ପୁରୁଷ ହକି ଦଳ ପ୍ରଦର୍ଶନରେ ହରେନ୍ଦ୍ର ଅସନ୍ତୁଷ୍ଟ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ହକି ସେମିଫାଇନାଲରେ ମାଲେସିଆଠାରୁ ପରାସ୍ତ ହୋଇଛି ଭାରତ। ଦଳ ସେମିଫାଇନାଲରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଅସନ୍ତୋଷ ବ୍ୟକ୍ତ କରିବା ସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିପାରିନଥିବାରୁ ଅଲିମ୍ପିକ୍‍ ନିମନ୍ତେ ଯୋଗ୍ୟତା ଅର୍ଜନ ବେଶ୍‍ କଷ୍ଟକର ହୋଇପଡ଼ିଛି ବୋଲି ମତ ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ହରେନ୍ଦ୍ର କହିଥିଲେ ଏସୀୟ କ୍ରୀଡ଼ାର ପୁରୁଷ ହକି ବିଭାଗ ସେମିଫାଇନାଲରେ ବିଜୟୀ ହେବାକୁ ଭାରତ ନିମନ୍ତେ ସୁଯୋଗ ରହିଥିଲା। ତେବେ ଦଳର ଖେଳାଳିଙ୍କ ତ୍ରୁଟିବିଚ୍ୟୁତି ଯୋଗୁଁ ଦଳ ପରାଜୟର ମୁହଁ ଦେଖିଲା। ଭାରତୀୟ ଖେଳାଳିମାନଙ୍କୁ ସେ ଯେଉଁ ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ସେମାନେ ସେପରି ଭାବେ ନ ଖେଳି ମନଇଚ୍ଛା ଖେଳିଥିବାରୁ ଫାଇନାଲରେ ପ୍ରବେଶ କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଥିଲା। ଭାରତ ଯଦି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥାନ୍ତା ତେବେ ସିଧାସଳଖ ଅଲିମ୍ପିକ୍‍ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥାନ୍ତା। ବର୍ତ୍ତମାନ ଏହି ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଥିବାରୁ ଅଲିମ୍ପିକ୍‍ ନିମନ୍ତେ ଯୋଗ୍ୟତା ଅର୍ଜନ କରିବାକୁ ଦଳକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ।
ସେମିଫାଇନାଲ ମ୍ୟାଚ୍‍ ପୂର୍ବରୁ ପ୍ରସ୍ତୁତ ରଣନୀତି ଅନୁଯାୟୀ ଭାରତୀୟ ଖେଳାଳିମାନେ ନିଜ ପାଖରେ ବଲ୍‍ ବେଶୀ ସମୟ ନ ରଖି ପରସ୍ପରକୁ ପାସ୍‍ ଦେଇ ଗୋଲ କରିବା ସୁଯୋଗ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଭାରତୀୟ ଖେଳାଳିମାନେ ଏହି ରଣନୀତି ଅନୁଯାୟୀ ଖେଳିନଥିଲେ, ଯାହାର କୁପରିମାଣ ଦଳକୁ ଭୋଗିବାକୁ ପଡ଼ିଥିଲା। ଭାରତୀୟ ଦଳ ସୁଟ୍‍ଆଉଟରେ ପରାସ୍ତ ହେବା ସଂପର୍କରେ ମତ ଦେଇ ହରେନ୍ଦ୍ର କହିଥିଲେ ସୁଟ୍‍ଆଉଟରେ କିଏ ଜିତିବ ତାହା କରିବା ସମ୍ଭବ ନୁହେଁ। ସେମିଫାଇନାଲ ମ୍ୟାଚ୍‍ରେ ମାଲେସିଆ ଦଳ ଆଶାନୁରୂପକ ପ୍ରଦର୍ଶନ କରିନଥିବା ବେଳେ ଭାରତୀୟ ଦଳ ଫିଲଡ୍‍ ଗୋଲ୍‍ ସ୍କୋର କରିବାକୁ ବହୁ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲ୍‍ରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିବା ହରେନ୍ଦ୍ର ମତ ଦେଇଛନ୍ତି।

Leave A Reply