ରୁଷିଆକୁ ୧୦-୦ରେ ହରାଇଲା ଭାରତ; ଗୋଲ୍‌ ଦେଲେ ଅମିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ରେ ଭାରତ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ସନ୍ଧ୍ୟାରେ ପୁଲ୍‌ ‘ଏ’ର ମ୍ୟାଚ୍‌ରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ମ୍ୟାଚରେ ଭାରତ ପକ୍ଷରୁ ୮ଜଣ ଖେଳାଳି ଗୋଲ ସ୍କୋର କରିଥିଲେ। ସେଥିମଧ୍ୟରୁ ୬ଟି ଫିଲ୍‌ଡ ଓ ୪ଟି ପେନାଲ୍‌ଟି କର୍ଣ୍ଣର ଗୋଲ ରହିଥିଲା।
ପ୍ରତିଯୋଗିତାର ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତ ୨୨ତମ ମାନ୍ୟତାପ୍ରାପ୍ତ ରୁଷିଆ ଉପରେ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୩ ମିନିଟ୍‍ରେ ଗୁର୍‍ସାହିବଜିତ ସିଂହଙ୍କ ପାସ୍‍କୁ ନୀଳକାନ୍ତ ଶର୍ମା ଗୋଲରେ ପରିଣତ କରିଥିଲେ। ୨ୟ କ୍ୱାର୍ଟରରେ ମଧ୍ୟ ଭାରତ ପ୍ରତିପକ୍ଷ ଉପରେ ନିଜର ପ୍ରାଧାନ୍ୟ ବଜାୟ ରଖି ଖେଳିଥିଲା। ଖେଳର ୧୯ତମ ମିନିଟ୍‍ରେ ଭାରତ ଦ୍ୱିତୀୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ସିମ୍ରନଜିତ୍‍ ସିଂହ ବିପକ୍ଷ ଦଳର ଡିଫେଣ୍ଡରଙ୍କୁ ପରାସ୍ତକରି ଦଳକୁ ୨-୦ରେ ଆଗୁଆ କରିଥିଲେ। ୨୦ ମିନିଟ୍‍ରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଗୋଲରେ ପରିଣତ କରି ଦଳକୁ ୩-୦ ଗୋଲରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ଥିଲା। ୩ୟ କ୍ୱାର୍ଟରରେ ମଧ୍ୟ ଭାରତର ପ୍ରାଧାନ୍ୟ ଜାରି ରହିଥିଲା। ୩୨ ମିନିଟ୍‍ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ୍‍ ସିଂହ ଗୋଲରେ ପରିଣତ କରି ଦଳକୁ ୪-୦ରେ ଆଗୁଆ କରିଥିଲେ। ଏହାର ୨ ମିନିଟ୍‍ ପରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ବରୁଣ କୁମାର ଗୋଲ ଦେବାରେ କୌଣସି ତ୍ରୁଟି କରିନଥିଲେ। ଭାରତ ୫-୦ ଗୋଲରେ ଆଗୁଆ ରହିବା ପରେ ରୁଷିଆ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଦେଇଥିଲା। ୩୭ ମିନିଟ୍‍ରେ ଗୁର୍‍ସାହିବ୍‍ଜିତ୍‍ ସିଂହ ଫିଲ୍‌ଡ ଗୋଲ ଦେଇ ଭାରତକୁ ୬-୦ ଗୋଲରେ ଆଗୁଆ କରିଥିଲେ। ୪୧ ମିନିଟ୍‍ରେ ଭାରତର ଆକାଶଦୀପ୍‍ ସିଂହ ୭ମ ଗୋଲ ସ୍କୋର କରିଥିଲେ। ୪୫ ମିନିଟ୍‍ରେ ବିବେକ ପ୍ରସାଦ ଭାରତ ପକ୍ଷରୁ ୮ମ ଗୋଲ୍‌ ଦେଇଥିଲେ। ୩ୟ କ୍ୱାର୍ଟର ସୁଦ୍ଧା ଭାରତ ୮-୦ ଗୋଲରେ ଆଗୁଆ ରହିଥିଲା। ୪୮ ମିନିଟ୍‍ରେ ପେନାଲ୍‌ଟି କର୍ଣ୍ଣରରୁ ହରମନପ୍ରୀତ୍‍ ସିଂହ ଗୋଲ ଦେଇଥିଲେ। ୫୬ ମିନିଟ୍‍ରେ ଆକାଶଦୀପ ସିଂହ ଭାରତ ପକ୍ଷରୁ ୧୦ମ ଗୋଲ ସ୍କୋର କରିଥିଲେ। ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଖେଳାଳି ନୀଳକାନ୍ତ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଭାରତ ୨ୟ ମ୍ୟାଚ ଶୁକ୍ରବାର ପୋଲାଣ୍ଡ ବିପକ୍ଷରେ ଖେଳିବ।

Comments are closed.