ଏସୀୟ କ୍ରୀଡ଼ା ହକି: ପ୍ରଥମ ମ୍ୟାଚ୍‌ରେ ହଂକଂକୁ ଭେଟିବ ଭାରତ

0

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ହକି ପୁରୁଷ ବିଭାଗରେ ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ହଂକଂକୁ ଅଗଷ୍ଟ ୨୨ରେ ଭେଟିବ। ଭାରତୀୟ ଦଳ ପୁଲ୍‌ ଏ’ରେ ରହିଛି। ଏହି ପୁଲ୍‌ରେ ଭାରତ ବ୍ୟତୀତ କୋରିଆ, ଜାପାନ, ଶ୍ରୀଲଙ୍କା ଓ ହଂକଂ ଦଳ ରହିଛି। ସେହିପରି ପୁଲ୍‌ ବି’ରେ ମାଲେସିଆ, ପାକିସ୍ତାନ, ବାଂଲାଦେଶ, ଓମାନ୍‌, ଥାଇଲାଣ୍ଡ ଓ ଆୟୋଜକ ଇଣ୍ଡୋନେସିଆ ଦଳ ରହିଛି। ଭାରତୀୟ ଦଳ ଅଗଷ୍ଟ ୨୪ରେ ଜାପାନ, ୨୬ରେ କୋରିଆ ଓ ୨୮ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ମହିଳା ବିଭାଗ ହକିରେ ଭାରତୀୟ ଦଳ ପୁଲ୍‌ ବି’ରେ ରହିଛି। ଭାରତ ସହ କୋରିଆ, ଥାଇଲାଣ୍ଡ, କାଜାଖସ୍ତାନ ଓ ଇଣ୍ଡୋନେସିଆ ଏହି ପୁଲ୍‌ରେ ରହିଛନ୍ତି। ସେହିପରି ପୁଲ୍‌ ଏ’ରେ ଚୀନ୍‌, ଜାପାନ, ମାଲେସିଆ, ହଂକଂ ଓ ଚାଇନିଜ ତାଇପେ ଦଳ ରହିଛି। ଭାରତୀୟ ମହିଳା ଦଳ ଅଗଷ୍ଟ ୧୯ରେ ଆୟୋଜକ ଇଣ୍ଡୋନେସିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ଭାରତ ଅଗଷ୍ଟ ୨୧ରେ କାଜାଖସ୍ତାନ, ୨୫ରେ କୋରିଆ ଓ ୨୭ରେ ଥାଇଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ। ପୁରୁଷ ଓ ମହିଳା ବିଭାଗର ଚମ୍ପିଆନ୍‌ ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍‌ସରେ ଖେଳିବାକୁ ସୁଯୋଗ ପାଇବ। ସବୁ ହକି ମ୍ୟାଚ୍‌ ଜାକର୍ତ୍ତାସ୍ଥିତ ଗେଲୋରା ବୁଙ୍ଗ୍‌ କାରନୋ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଖେଳାଯିବ। ମହିଳା ବିଭାଗ ଫାଇନାଲ ମ୍ୟାଚ୍‌ ଅଗଷ୍ଟ ୩୧ରେ ଖେଳାଯିବାକୁ ଥିବା ବେଳେ ପୁରୁଷ ବିଭାଗ ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧ରେ ଖେଳାଯିବ। ପ୍ରଥମଥର ପାଇଁ ଭିଡିଓ ରେଫେରାଲ୍‌ ବ୍ୟବସ୍ଥା ଉପଯୋଗ କରାଯିବ ବୋଲି ଜଣାପଡ଼ିଛି।

Leave A Reply