ଓଡ଼ିଆ ହକି ଖେଳାଳିଙ୍କୁ ଉପେକ୍ଷା : ହକି ଇଣ୍ଡିଆର ଉପେକ୍ଷା ନା କ୍ରୀଡ଼ା ବିଭାଗର ଅପାରଗତା

କଟକ : ହକି ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଲାଗି ସମ୍ମାନଜନକ ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ଓ ଜୀବନବ୍ୟାପୀ ସାଧନା ଲାଗି ମେଜର ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଖେଳାଳିମାନଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ଏଥିରେ ଓଡ଼ିଶା ହକି ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଓଡ଼ିଶା ଖେଳାଳିମାନଙ୍କ ନିକଟରେ ଅର୍ଜୁନ ପୁରସ୍କାର ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଯୋଗ୍ୟତା ରହିଥିଲେ ମଧ୍ୟ ହକି ଇଣ୍ଡିଆ ପକ୍ଷରୁ ଉକ୍ତ ଖେଳାଳିମାନଙ୍କୁ ବିଚାରକୁ ନିଆନଯିବା ଦୁର୍ଭାଗ୍ୟର ବିଷୟ । ଯାହାକୁ ନେଇ ଖେଳାଳି ଓ ହକିପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ହକି ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଲାଗି ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା କଟାରିୟା, ମୋନିକା ଓ ହରମନପ୍ରୀତ୍‌ ସିଂହଙ୍କ ନାମ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ରାଣୀ ରାମପାଲଙ୍କ ନାମକୁ ସୁପାରିସ କରାଯାଇଛି।ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର ପାଇଁ ଅଲିମ୍ପିଆନ ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ନିକଟରେ ଅବସର ଗ୍ରହଣ କରିଥିବା ସୁନୀତା ଲାକ୍ରା ଓ ବୀରେନ୍ଦ୍ର ଲାକ୍ରାଙ୍କ ନିକଟରେ ଯୋଗ୍ୟତା ରହିଥିଲେ ମଧ୍ୟ ଏମାନଙ୍କୁ ଅଣଦେଖା କରାଯାଇଛି। ଡିଫେଣ୍ଡର ଦୀପ୍‌ଗ୍ରେସ ଏକ୍କା ୨୦୨ଟି ମ୍ୟାଚ ଖେଳି ୧୩ଟି ଗୋଲ, ମିଡ୍‌ଫିଲଡର ନମିତା ଟପ୍ପୋ ୧୬୩ଟି ମ୍ୟାଚ ଖେଳି ୪ଟି ଗୋଲ, ଲିଲିମା ମିଞ୍ଜ ୧୩୩ଟି ମ୍ୟାଚ ଖେଳି ୪ଟି ଗୋଲ ସ୍କୋର କରିଛନ୍ତି। ଅନ୍ୟପକ୍ଷରେ ଗତ ଜାନୁଆରୀ ୨ରେ ଅନ୍ତର୍ଜାତୀୟ ହକିରୁ ଅବସର ଗ୍ରହଣ କରିଥିବା ପୂର୍ବତନ ଅଧିନାୟିକା ତଥା ଡିଫେଣ୍ଡର ସୁନିତା ଲାକ୍ରା ୧୫୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସକ୍ଷମ ହୋଇଥିଲେ। ଉକ୍ତ ଖେଳାଳିମାନେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜାତୀୟ ଦଳର ମେରୁଦଣ୍ଡ ଭାବେ ରହି ଆସିଛନ୍ତି। ସୁନୀତା, ନମିତା, ଲିଲିମା ଓ ଦୀପ୍‌ଗ୍ରେସ କେବଳ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିନାହାନ୍ତି, ଏସୀୟ କ୍ରୀଡ଼ା ୨୦୧୬ ରିଓ ଅଲିମ୍ପିକ୍‌ସ ,୨୦୧୮ ବିଶ୍ବକପ, ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି। ଦୀର୍ଘ ବର୍ଷ ଧରି ଜାତୀୟ ଦଳରୁ ପ୍ରତିନିଧିତ୍ବ କରି ଆସୁଥିଲେ ମଧ୍ୟ ଅର୍ଜୁନ ଓ ଖେଳରତ୍ନ ଭଳି ଜାତୀୟ ପୁରସ୍କାର ପାଇଁ ଉକ୍ତ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆନଯିବା ଦୁର୍ଭାଗ୍ୟର ବିଷୟ। ସେହିପରି ପୁରୁଷ ବିଭାଗରେ ମଧ୍ୟ ବୀରେନ୍ଦ୍ର ଲାକ୍ରା ୨୦୧୨ ମସିହାରୁ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ଏଥିମଧ୍ୟରେ ୧୭୨ଟି ମ୍ୟାଚ ଖେଳି ୯ଟି ଗୋଲ ସ୍କୋର ମଧ୍ୟ କରିଛନ୍ତି। ରାଜ୍ୟର ଖେଳାଳିମାନଙ୍କ ପ୍ରଦର୍ଶନ ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ହକି ଇଣ୍ଡିଆକୁ ଖେଳାଳିମାନଙ୍କ ନାମ ସୁପାରିସ କରାଯାଇପାରିବ। ଅନ୍ୟପକ୍ଷରେ ରାଜ୍ୟ କ୍ରୀଡ଼ା ବିଭାଗ ଖେଳାଳିମାନଙ୍କ ନାମକୁ ସୁପାରିସ ନକଲେ ମଧ୍ୟ ହକି ଇଣ୍ଡିଆ ସିଧାସଳଖ ଖେଳାଳିମାନଙ୍କ ନାମକୁ ସୁପାରିସ କରିବାର ଅଧିକାର ରହିଛି। ହକି, ହକି ଇଣ୍ଡିଆ ଓ ଓଡ଼ିଶା ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ରହିଥିବାବେଳେ ଓଡ଼ିଆ ହକି ଖେଳାଳିଙ୍କ ନିକଟରେ ଯୋଗ୍ୟତା ଥାଇ ମଧ୍ୟ ଉପେକ୍ଷାର ଶିକାର ହେଉଛନ୍ତି। ଫଳରେ ନିୟମିତ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଆମ ଖେଳାଳିମାନେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଆ ହକି ଖେଳାଳିମାନଙ୍କ ପ୍ରତି ଏଭଳି ଅବିଚାର ରାଜ୍ୟ କ୍ରୀଡ଼ା ବିଭାଗର ଅପାରଗତା ନାଁ ହକି ଇଣ୍ଡିଆର ଉପେକ୍ଷା ବୋଲି ହକିପ୍ରେମୀମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ପାଇଁ ଖେଳାଳିମାନଙ୍କ ନାମକୁ ଜାତୀୟ କ୍ରୀଡ଼ା ସଂଘ ସିଧାସଳଖ ସୁପାରିସ କରିବାର ଅଧିକାର ରହିଛି। ରାଜ୍ୟ କ୍ରୀଡ଼ା ବିଭାଗ ରାଜ୍ୟର ଖେଳାଳିମାନଙ୍କ ନାମକୁ ସୁପାରିସ ନକଲେ ମଧ୍ୟ ଜାତୀୟ କ୍ରୀଡ଼ା ସଂଘ ଚାହିଁଲେ ଖେଳାଳିମାନଙ୍କ ନାମକୁ ସିଧାସଳଖ ସୁପାରିସ କରିପାରିବ। ଏପରିକି ପୂର୍ବରୁ ଅର୍ଜୁନ ପୁରସ୍କାର ହାସଲ କରିଥିବା ଖେଳାଳି ଅର୍ଜୁନ ପୁରସ୍କାର ପାଇଁ ଜଣେ ଖେଳାଳିଙ୍କ ନାମକୁ ସୁପାରିସ କରିପାରିବ ବୋଲି ଉକ୍ତ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

Comments are closed.