ଭାରତୀୟ ହକିର ମିଶନ୍ ଟୋକିଓ ଆଜିଠାରୁ

ମହିଳାରେ ଆମେରିକା; ପୁୁରୁଷରେ ରୁଷିଆକୁ ଭେଟିବ ଭାରତୀୟ ଦଳ

ଭୁବନେଶ୍ବର : କ୍ରୀଡ଼ା ମହାକୁମ୍ଭ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାରଠାରୁ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ମ୍ୟାଚ ଖେଳିବ। ଶୁକ୍ରବାର ସନ୍ଧ୍ୟା ୬ଟାରେ ଭାରତୀୟ ମହିଳା ଦଳ ଆମେରିକାକୁ ଏବଂ ରାତି ୮ଟାରେ ପୁରୁଷ ଦଳ ରୁଷିଆକୁ ଭେଟିବ। ଶନିବାର ସମାନ ସମୟରେ ପୁଣିଥରେ ଏମାନଙ୍କ ମଧ୍ୟରେ ୨ୟ ମୁକାବିଲା ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ କେବଳ ମ୍ୟାଚକୁ ଅପେକ୍ଷା ରହିଛି।
ଭାରତୀୟ ମହିଳା ଦଳ କ୍ରମାଗତ ୨ୟ ଏବଂ ମୋଟଉପରେ ୩ୟ ଥର ପାଇଁ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଥିବାବେଳେ ପୁୁରୁଷ ଦଳ ମଧ୍ୟ ଟୋକିଓ ଟିକଟ ପାଇବାକୁ ପ୍ରସ୍ତୁତ ରହିଛି। ଅଧିନାୟିକା ରାଣୀ ରାମପାଲଙ୍କ ନେତୃତ୍ବ ଓ ସ୍ପାନିସ୍ ପ୍ରଶିକ୍ଷକ ସୋଏର୍ଡ ମାରିଏନେଙ୍କ ଦିଗ୍‌ଦର୍ଶନରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଅଲିମ୍ପିକ୍‌ସ ଯୋଗ୍ୟତା ମ୍ୟାଚ୍‌ ଜିତି ଟୋକିଓ ଟିକଟର ଲକ୍ଷ୍ୟ ରଖିଛି। ବିଶ୍ବ ମାନ୍ୟତାର ୯ମ ସ୍ଥାନରେ ଥିବା ଭାରତ ପ୍ରତିପକ୍ଷ ଆମେରିକାକୁ ପରାସ୍ତ କରିବା ଲକ୍ଷ୍ୟରେ ରହିଛି। ଦଳରେ ଉପଅଧିନାୟିକା ସବିତା, ରଜନୀ, ଗୁରୁଜିତ୍‌ କୌର, ସୁଶୀଲା ଚାନୁ, ନିକି ପ୍ରଧାନ, ନବନୀତ କୌର, ଲାଲରେମସିଆମିଙ୍କ ସହ ୩ ଓଡ଼ିଆ ଖେଳାଳି ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ମିଡ୍‌ଫିଲଡର ନମିତା ଟପ୍ପୋଙ୍କ ସମେତ ପ୍ରମୁଖ ଖେଳାଳି ଭଲ ଫର୍ମରେ ରହିଛନ୍ତି। ଦଳ ଅଲିମ୍ପିକ୍‌ସ ଯୋଗ୍ୟତା ନେଇ ଦୃଢ ଆଶାବାଦୀ ଅଛି। ଅଲିମ୍ପିକ୍‌ସ ଯୋଗ୍ୟତା ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଚମତ୍କାର ପ୍ରଦର୍ଶନ କରିଥିଲା। ଆମେରିକାକୁ ପରାସ୍ତ କରିବା ନେଇ ସ୍ବତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଉକ୍ତ ମ୍ୟାଚରେ ବିଜୟ ନେଇ ପ୍ରଥମ ଲକ୍ଷ୍ୟ ରହିବ। ଦଳର ପ୍ରତ୍ୟେକ ଖେଳାଳି ଭଲ ଫର୍ମରେ ରହିଛନ୍ତି। ପଡ଼ିଆରେ ରାଣୀଙ୍କ ଚତୁର ରଣନୀତି ଆମେରିକାକୁ ପରାସ୍ତ କରିବାରେ ସକ୍ଷମ ହେବ ବୋଲି ପ୍ରଶିକ୍ଷକ ସୋଏର୍ଡ ମାରିଏନେ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ୧୩ଶ ସ୍ଥାନରେ ଥିବା ଆମେରିକା ମଧ୍ୟ କଡା ଟକ୍କର ଦେବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ମଧ୍ୟରେ ଗତ ୨୦୧୮ ଇଂଲଣ୍ଡରେ ଆୟୋଜିିତ ବିଶ୍ବକପର ଲିଗ୍‌ ମ୍ୟାଚ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା।
ରାତି ୮ଟାରେ ଭାରତୀୟ ପୁରୁଷ ଦଳ ରୁଷିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ରୁଷିଆ ବିପକ୍ଷରେ ଭାରତ ଫେଭରିଟ୍‌ ରହିଛି। ବିଶ୍ବ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ଜୁନ୍‌ରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ର ଲିଗ୍‌ ମ୍ୟାଚରେ ୧୦-୦ ଗୋଲରେ ରୁଷିଆକୁ ଭାରତ ପରାସ୍ତ କରିଥିଲା। ଗ୍ରାହାମ ରିଡ୍‌ଙ୍କ ପ୍ରଶିକ୍ଷଣରେ ଦଳ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ ଲକ୍ଷ୍ୟ ରଖିଛି। ଦଳରେ ଗୋଲକିପର ପି.ଆର୍. ଶ୍ରୀଜେଶ, ହରମାନପ୍ରୀତ୍‌ ସିଂହ, ରୁପିନ୍ଦର ପାଲସିଂହ, ବରୁଣ କୁମାର, ବିବେକ ସାଗର ପ୍ରସାଦ, ଏସ୍‌.ଭି. ସୁନୀଲ, ଲଳିତ କୁମାର ଉପାଧ୍ୟାୟ., ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ରମଣଦୀପ୍ ସିଂହଙ୍କ ଭଳି ଖେଳାଳି ରହିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ପାଇଁ ଭାରତ ଦୃଢ ଆତ୍ମବିଶ୍ବାସରେ ରହିଛି। ଅଲିମ୍ପିକ୍‌ସ ଯୋଗ୍ୟତା ପୂର୍ବରୁ ଦଳ ବେଲ୍‌ଜିୟମ ଓ ସ୍ପେନ୍‌ ବିପକ୍ଷରେ ଭଲ ପ୍ରଦର୍ଶନ କରି ନିଜର ମନୋବଳକୁ ଦୃଢ କରିଛି। ରୁଷିଆ ଭଲ ଦଳ। ଆମକୁ ଦୁଇଦିନ ଭଲ ହକି ଖେଳିବାକୁ ପଡ଼ିବ ବୋଲି ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ କହିଛନ୍ତି। ଅନ୍ୟପକ୍ଷରେ ରୁଷିଆ ପ୍ରଶିକ୍ଷକ ମଧ୍ୟ ଭାରତ ବିପକ୍ଷରେ ଦଳକୁ ଶ୍ରେଷ୍ଠ ହକି ଖେଳିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି।

Comments are closed.