ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି: ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ

0

ବ୍ରେଡା (ନେଦରଲାଣ୍ଡ୍‍ସ) : ଏଠାରେ ଚାଲିଥିବା ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ୩ୟ ମ୍ୟାଚ୍‍ରେ ପ୍ରଥମ ପରାଜୟ ଭୋଗିଛି ଭାରତୀୟ ଦଳ। ବୁଧବାର ଖେଳା ଯାଇଥିବା ଏକ ଲିଗ୍‍ ମ୍ୟାଚ୍‍ରେ ବିଶ୍ୱ ଚମ୍ପିଆନ୍‍ ଅଷ୍ଟ୍ରେଲିଆ ୩-୨ ଗୋଲ୍‍ରେ ଭାରତକୁ ପରାସ୍ତକରି ପୂରା ୩ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ପ୍ରଥମେ ଗୋଲ୍‍ ଦେଇଥିଲେ ହେଁ ବରୁଣ କୁମାର ଏହାକୁ ସୁଝାଇ ଦେଇଥିଲେ। ପରେ ଅଷ୍ଟ୍ରେଲିଆ ୨ଟି ଗୋଲ୍‍ ଦେଇଥିଲା। ତେବେ ମ୍ୟାଚ୍‍ ସରିବାକୁ ଅଳ୍ପ ସମୟ ବାକିଥିବା ବେଳେ ଭାରତର ହରମନପ୍ରୀତ ସିଂହ ଗୋଟିଏ ଗୋଲ୍‍ ସୁଝାଇଥିଲେ ହେଁ ଏହା ଯଥେଷ୍ଟ ନଥିଲା। ଏହି ପରାଜୟ ଫଳରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‍ସ ପଛକୁ ଭାରତ ୩ୟ ସ୍ଥାନରେ ରହିଛି।
ପ୍ରଥମ ୨ଟି ମ୍ୟାଚ୍‍ରେ ପାକିସ୍ତାନ ଓ ଅଲିମ୍ପିକ୍‍ ଚମ୍ପିଆନ୍‍ ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ଭାରତୀୟ ଖେଳାଳିଙ୍କ ମନୋବଳ ବେଶ୍‍ ଦୃଢ଼ ରହିଥିଲା। ମ୍ୟାଚ୍‍ ଆରମ୍ଭରୁ ଭାରତୀୟ କିଛି ଆକ୍ରମଣ କରିଥିଲେ ହେଁ ୬ଷ୍ଠ ମିିନିଟରେ ଅଷ୍ଟ୍ରେଲିଆ ଆଗୁଆ ହୋଇ ଯାଇଥିଲା। ଲାଚ୍‍ଲାନ୍‍ ସାର୍ପ ଏହି ଫିଲ୍‍ଡ ଗୋଲ୍‍ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରିଥିଲେ। ଭାରତୀୟ ଡିଫେଣ୍ଡରଙ୍କ ତ୍ରୁଟିରୁ ଏହି ଗୋଲ୍‍ଟି ହୋଇଥିଲା। ତେବେ ୧୦ ମିନିଟରେ ଭାରତ ଗୋଲ୍‍ ସୁଝାଇ ଦେଇଥିଲା। ପେନାଲ୍‍ଟି କର୍ଣ୍ଣର ଲଳିତ ଉପାଧ୍ୟାୟ ବଲ୍‍ ରୋକି ପାରିନଥିବା ବେଳେ ଅଭିଜ୍ଞ ଷ୍ଟ୍ରାଇକର ଏସ୍‍.ଭି. ସୁନୀଲଙ୍କ ଡିଫେନ୍‍ଭେଦୀ ପାସ୍‍ରୁ ବରୁଣ କୁମାର ଗୋଲ୍‍ ଦେଇଥିଲେ। ପ୍ରଥମ କ୍ୱାର୍ଟରର ଶେଷଆଡ଼କୁ ଅଷ୍ଟ୍ରେଲିଆକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ତେବେ ଭାରତୀୟ ଗୋଲ୍‍ରକ୍ଷକ ଶ୍ରୀଜେଶ ଏହାକୁ ବେକାର କରି ଦେଇଥିଲେ। ପ୍ରଥମ କ୍ୱାର୍ଟରର ଶେଷ ମିନିଟରେ ଅଷ୍ଟ୍ରେଲିଆ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ପେନାଲ୍‍ଟି କର୍ଣ୍ଣରରୁ ଟମ୍‍ କ୍ରେଗ୍‍ ଏହି ଗୋଲ୍‍ଟି ଦେଇଥିଲେ। ୨ୟ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ଲାଗଲାଗ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ତେବେ ଉଭୟ ପ୍ରୟାସ ଭାରତୀୟ ଗୋଲ୍‍ରକ୍ଷକ ଶ୍ରୀଜେଶ ରୋକି ଦେଇଥିଲେ। ଶ୍ରୀଜେଶ ଗୋଲ୍‍ ସମ୍ମୁଖରେ ପ୍ରାଚୀର ପରି ଛିଡ଼ାହୋଇ ରହିବାରୁ ୨୮ ମିନିଟରେ ଅଷ୍ଟ୍ରେଲିଆ ଗୋଲ୍‍ ଦେଇ ପାରିନଥିଲା। ୨ୟ କ୍ୱାର୍ଟରରେ ଗୋଲ୍‍ ନହେବାରୁ ପ୍ରଥମାର୍ଦ୍ଧରେ ସ୍କୋର୍‍ ଅଷ୍ଟ୍ରେଲିଆ ସପକ୍ଷରେ ୨-୧ ରହିଥିଲା। ୩ୟ କ୍ୱାର୍ଟର ଆରମ୍ଭରୁ ଅଷ୍ଟ୍ରେଲିଆ ଗୋଲ୍‍ଦେଇ ୩-୧ରେ ଆଗୁଆ ହୋଇ ଯାଇଥିଲା। କ୍ରେଗ୍‍ ମିଟନ୍‍ ଏହି ଗୋଲ୍‍ଟି ଦେଇଥିଲେ। ଏହାପରେ ଭାରତ କିଛି ସୁଯୋଗ ହାତଛଡ଼ା କରିଥିଲା। ଅଷ୍ଟ୍ରେଲିଆ ୭ଟି ପେନାଲ୍‍ଟି କର୍ଣ୍ଣର ପାଇଥିଲେ ହେଁ ଗୋଟିଏ ବି ଗୋଲ୍‍ରେ ପରିଣତ କରି ପାରିନଥିଲା। ମ୍ୟାଚ୍‍ ସରିବାକୁ ମାତ୍ର ୧ ମିନିଟ ବାକିଥିବା ବେଳେ ଭାରତ ଗୋଟିଏ ଗୋଲ୍‍ ସୁଝାଇ ଦେଇଥିଲା। ଶେଷଆଡ଼କୁ ଭାରତକୁ କ୍ରମାଗତ ୩ଟି ପେନାଲ୍‍ଟି କର୍ଣ୍ଣର ମିଳିଥିବା ବେଳେ ୩ୟ ପେନାଲ୍‍ଟି କର୍ଣ୍ଣରରୁ ହରମନପ୍ରୀତ ସିଂହ ଭାରତ ପାଇଁ ୨ୟ ଗୋଲ୍‍ ଦେଇଥିଲେ। ଗୁରୁବାର ରାତି ୮.୩୦ରେ ବେଲ୍‍ଜିୟମ୍‍ ଦଳ ବିରୋଧରେ ଭାରତ ତା’ର ୪ର୍ଥ ଲିଗ୍‍ ମ୍ୟାଚ୍‍ ଖେଳିବ।

Leave A Reply