ମହିଳା ହକି : ଇଣ୍ଡୋନେସିଆକୁ ୮-୦ରେ ହରାଇଲା ଭାରତ

0

ଜାକର୍ତ୍ତା : ଭାରତୀୟ ମହିଳା ହକି ଦଳ ଚଳିତ ଏସୀୟ କ୍ରୀଡାରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ରବିବାର ଏଠାରେ ଖେଳାଯାଇଥିବା ପୁଲ ‘ବି’ର ଏକ ମ୍ୟାଚରେ ଭାରତ ୮-୦ ଗୋଲରେ ଆୟୋଜକ ଇଣ୍ଡୋନେସିଆକୁ ପରାସ୍ତ କରିଛି। ଭାରତୀୟ ଦଳ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ପ୍ରତିପକ୍ଷ ଗୋଲ ଏରିଆରେ ଚାପ ବଜାୟ ରଖିଥିଲା। ପ୍ରଥମ କ୍ୱାର୍ଟରର ୬ଷ୍ଠ ମିନିଟରେ ଉଦିତା ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ୧୩ ମିନିଟରେ ବନ୍ଦନା କାଟାରିଆ ଆଉ ଏକ ଗୋଲ ଦେଇ ଏହି ବ୍ୟବଧାନ ୨-୦କୁ ବୃଦ୍ଧି କରିଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୫ ମିନିଟରେ ପେନାଲଟି କର୍ଣ୍ଣରରୁ ଗୁରଜିତ କୌର ଗୋଲ ଦେବାଫଳରେ ଭାରତ ୩-୦ରେ ଆଗୁଆ ରହିଥିଲା। ୨୧ ମିନିଟରେ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଗୁରଜିତ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ସହ ଭାରତକୁ ୪-୦ରେ ଆଗୁଆ କରିଥିଲେ। ଏହି କ୍ୱାର୍ଟରର ୨୪ ମିନିଟରେ ଲାଲସେମ୍‍ସିଆମି ଫିଲ୍ଡ ଗୋଲ ଦେବାଫଳରେ ଏହି ବ୍ୟବଧାନ ୫-୦କୁ ବୃଦ୍ଧି ପାଇଥିଲା। ୩୦ ମିନିଟରେ ବନ୍ଦନା ଦଳ ପକ୍ଷରୁ ୬ଷ୍ଠ ତଥା ନିଜର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ଭାରତ ୬-୦ ଗୋଲରେ ଆଗୁଆ ରହିଥିଲା।
ବିରତି ପରେ ତୃତୀୟ କ୍ୱାର୍ଟରର ୪୯ ମିନିଟରେ ନବନିତ୍‍ ଭାରତ ପକ୍ଷରୁ ୭ମ ଗୋଲ ସ୍କୋର କରିଥିଲେ। ଚତୁର୍ଥ କ୍ୱାର୍ଟରର ୫୭ ମିନିଟରେ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଗୁରଜିତ ଏହାକୁ ଗୋଲରେ ପରିବର୍ତ୍ତନ କରି ଦଳ ପକ୍ଷରୁ ୮ମ ଗୋଲ ସ୍କୋର କରିବା ସହ ନିଜର ହ୍ୟାଟ୍ରିକ ଅର୍ଜନ କରିଥିଲେ।

Leave A Reply