ଭାରତୀୟ ହକି ଦଳର ମାନ୍ୟତାରେ ଉନ୍ନତି ପୁରୁଷ ୫ମ; ମହିଳା ଦଳ ୯ମକୁ ଉନ୍ନୀତ

0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‍ଆଇଏଚ୍‍) ପକ୍ଷରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ମାନ୍ୟତା ତାଳିକା ମଙ୍ଗଳବାର ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳର ମାନ୍ୟତାରେ ଉନ୍ନତି ଘଟିଛି। ଭାରତୀୟ ପୁରୁଷ ଦଳ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ମଧ୍ୟ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ତା’ର ସର୍ବଶ୍ରେଷ୍ଠ ମାନ୍ୟତା ୯ରେ ପହଞ୍ଚିଛି। ଭାରତୀୟ ହକି ଇତିହାସରେ ଏହା ମହିଳା ଦଳ ସର୍ବଶ୍ରେଷ୍ଠ ମାନ୍ୟତା। ଗତବର୍ଷ ଏହା ତା’ର ସର୍ବଶ୍ରେଷ୍ଠ ମାନ୍ୟତା ୧୦ରେ ପହଞ୍ଚିଥିବା ବେଳେ ଚଳିତବର୍ଷ ଗୋଟିଏ ସ୍ଥାନର ଉନ୍ନତି ଘଟାଇଛି।
ଗତମାସରେ ନେଦରଲାଣ୍ଡ୍‍ସରେ ଆୟୋଜିତ ଚମ୍ପିଆନ୍‍ସ ଟ୍ରଫିରେ ଭାରତ ରନର୍ସଅପ୍‍ ହୋଇଥିଲା। ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ପେନାଲ୍‍ଟି ସୁଟ୍‍ଆଉଟ୍‍ରେ ପରାସ୍ତ ହୋଇଥିଲା। ଚମ୍ପିଆନ୍‍ସ ଟ୍ରଫିରେ ରନ୍‍ର୍ସଅପ୍‍ ହୋଇଥିôବାରୁ ଭାରତୀୟ ଦଳର ମାନ୍ୟତାରେ ଗୋଟିଏ ସ୍ଥାନର ଉନ୍ନତି ଘଟିଛି। ଭାରତୀୟ ଦଳ ୧୪୮୪ ପଏଣ୍ଟ ପାଇ ମାନ୍ୟତାର ୫ମ ସ୍ଥାନରେ ରହିଥିବା ବେଳେ ଜର୍ମାନୀ, ଇଂଲଣ୍ଡ ଓ ସ୍ପେନ୍‍ ଭଳି ଶକ୍ତିଶାଳୀ ଦଳଙ୍କୁ ପଛରେ ପକାଇ ଦେଇଛି। ବିଶ୍ୱ ଚମ୍ପିଆନ୍‍ ଅଷ୍ଟ୍ରେଲିଆ ୧୯୦୬ ପଏଣ୍ଟ ସହ ୧ମ, ଅଲିମ୍ପିକ୍‍ ଚମ୍ପିଆନ୍‍ ଆର୍ଜେଣ୍ଟିନା ୧୮୮୩ ପଏଣ୍ଟ ସହ ୨ୟ, ବେଲ୍‍ଜିୟମ୍‍ ୧୭୦୯ ପଏଣ୍ଟ ସହ ୩ୟ ଓ ନେଦରଲାଣ୍ଡ୍‍ସ ୧୬୫୪ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ଭାରତ ୫ମ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ୬ଷ୍ଠ, ଇଂଲଣ୍ଡ ୭ମ, ସ୍ପେନ୍‍ ୮ମ, ନ୍ୟୁଜିଲାଣ୍ଡ ୯ମ ଓ ଆୟରଲାଣ୍ଡ ୧୦ମ ସ୍ଥାନରେ ରହିଛି। ଏଫ୍‍ଆଇଏଚ୍‍ ମାନ୍ୟତାର ୫ମ ସ୍ଥାନକୁ ଉନ୍ନୀତ ହୋଇଥିବାରୁ ଭାରତ ଏସୀୟ କ୍ରୀଡ଼ା ନିମନ୍ତେ ଟପ୍‍ ସିଡ୍‍ ହାସଲ କରିଛି। ଭାରତ ପଛକୁ ପାକିସ୍ତାନ (୧୩), ଦକ୍ଷିଣ କୋରିଆ (୧୪) ଓ ଜାପାନ (୧୪) ଭଳି ଦଳ ରହିଛନ୍ତି। ମହିଳା ହକି ମାନ୍ୟତାରେ ମଧ୍ୟ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ରହିଛି। ଫଳରେ ଆସନ୍ତା ଏସୀୟ କ୍ରୀଡ଼ାରେ ଭାରତ ଟପ୍‍ ସିଡ୍‍ ଦଳ ଭାବେ ଖେଳିବ। ଏହି ମାନ୍ୟତାରେ ନେଦରଲାଣ୍ଡ୍‍ସ ୧ମ, ଇଂଲଣ୍ଡ ୨ୟ, ଅଷ୍ଟ୍ରେଲିଆ ୩ୟ, ଆର୍ଜେଣ୍ଟିନା ୪ର୍ଥ ଓ ଜର୍ମାନୀ ୫ମ ସ୍ଥାନରେ ରହିଛି। ଲଣ୍ଡନ୍‍ ବିଶ୍ୱକପ୍‍ରେ ନେଦରଲାଣ୍ଡ୍‍ସ ରେକର୍ଡ ୮ମ ଥର ପାଇଁ ବିଶ୍ୱ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିଲା। ୨୦୧୧ ଅକ୍ଟୋବର ପରଠାରୁ ନେଦରଲାଣ୍ଡ୍‍ସ ବିଶ୍ୱ ମାନ୍ୟତାର ୧ନଂ ସ୍ଥାନ ବଜାୟ ରଖିଛି। ୯ମ ସ୍ଥାନରେ ଥିବା ଭାରତ ୧୧୩୮ ପଏଣ୍ଟ ପାଇଛି। ଗତ ମହିଳା ବିଶ୍ୱକପ୍‍ରେ ଭାରତ କ୍ୱାର୍ଟରଫାଇନାଲ ଖେଳିଥିବାରୁ ଏହାର ମାନ୍ୟତାରେ ଉନ୍ନତି ଘଟିଛି। ଅନ୍ୟପକ୍ଷରେ ସମସ୍ତଙ୍କୁ ଚକିତ କରି ଏହି ବିଶ୍ୱକପ୍‍ର ଫାଇନାଲ ଖେଳିଥିବା ଆୟରଲାଣ୍ଡ ୮ଟି ସ୍ଥାନର ଉନ୍ନତି ଘଟାଇ ୧୬ରୁ ୮ମ ସ୍ଥାନକୁ ଉନୀତ ହୋଇଛି। ପୂର୍ବରୁ ସର୍ବାଧିକ ୧୪ତମ ମାନ୍ୟତା ପାଇଥିବା ଆୟରଲାଣ୍ଡର ଏହା ସର୍ବଶ୍ରେଷ୍ଠ ମାନ୍ୟତା। ଭାରତ ପଛକୁ ଦୁଇ ଏସୀୟ ଦଳ ଦକ୍ଷିଣ କୋରିଆ ୧୦ ଓ ଚୀନ୍‍ ୧୧ଶ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଜ୍‍ପଦକ ପାଇଥିବା ସ୍ପେନ୍‍ ୪ଟି ସ୍ଥାନର ଉନ୍ନତି ଘଟାଇ ତା’ର ସର୍ବଶ୍ରେଷ୍ଠ ମାନ୍ୟତା ୭ରେ ପହଞ୍ଚିଛି।

Leave A Reply