ବିଶ୍ୱକପ ହକି: ସହାୟତାର ହାତ ବଢ଼ାଇଲା ଓଏମ୍‍ସି

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ବିଶ୍ୱକପ ହକି -୨୦୧୮ ନିମନ୍ତେ ସହାୟତାର ହାତ ବଢ଼ାଇଛି ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍‍ (ଓଏମ୍‍ସି)। ଓଏମ୍‍ସି ଅଫିସିଆଲ ପାର୍ଟନର ହୋଇଥିବା ବିଷୟରେ ଆୟୋଜକ ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଓଏମ୍‍ସି ହକି ବିଶ୍ୱକପର ଅଫିସିଆଲ ପାର୍ଟନର ହୋଇଥିବାରୁ ଆମେ ଖୁସି। ଏଥିପାଇଁ ଓଡ଼ିଶା ସରକାର ଓ ଓଏମ୍‍ସିକୁ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ଧନ୍ୟବାଦ ଜଣାଇଛନ୍ତି। ଓଏମ୍‍ସି ପରିଚାଳନା ନିର୍ଦେଶକ ଆର. ବିନୀଳ କୃଷ୍ଣ କହିଛନ୍ତି ହକିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱକପ ଭଳି ପ୍ରତିଯୋଗିତାର ପାର୍ଟନର ହେବା ଓଏମ୍‍ସି ଓ ଓଡ଼ିଶା ସରକାରଙ୍କ ପାଇଁ ଗର୍ବର ବିଷୟ। ଏହି ସୁଯୋଗ ମିଳିଥିବାରୁ ହକି ଇଣ୍ଡିଆକୁ ପରିଚାଳନା ନିର୍ଦେଶକ ଶ୍ରୀ କୃଷ୍ଣ ଧନ୍ୟବାଦ ଜଣାଇଛନ୍ତି।
ବିଶ୍ୱକପ ହକି ଭାରତରେ ୩ୟ ଓ ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେଉଛି। ପୂର୍ବରୁ ୧୯୮୨ ମୁମ୍ବଇ ଓ ୨୦୧୦ ଦିଲ୍ଲୀରେ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଆୟୋଜକ ଭାରତ ଓ ପଡୋଶୀ ପାକିସ୍ତାନ ସମେତ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଉଦ୍‍ଘାଟନୀ ମ୍ୟାଚ୍‍ ବେଲଜିୟମ ଓ କାନାଡ଼ା ମଧ୍ୟରେ ଖେଳାଯିବ। ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍‍ ମ୍ୟାଚ୍‍ ଖେଳାଯିବ। ୧୦ ଓ ୧୧ରେ କ୍ରସ ଓଭର ମ୍ୟାଚ୍‍, ୧୨ ଓ ୧୩ରେ କ୍ୱାର୍ଟରଫାଇନାଲ, ୧୫ରେ ସେମିଫାଇନାଲ ଓ ୧୬ରେ ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ୍‍ ଖେଳାଯିବ। ପ୍ରତିଯୋଗିତା ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଅନ୍‍ଲାଇନ୍‍ରେ ଟିକଟ ଉପଲବ୍‍ଧ ହେଉଛି। ଲିଗ୍‍ ଓ କ୍ରସ ଓଭର ମ୍ୟାଚ୍‍ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ୨୦୦, ଉତ୍ତର ଷ୍ଟାଣ୍ଡ ୧୦୦, ଦକ୍ଷିଣ ଷ୍ଟାଣ୍ଡ ୧୦୦ ଟଙ୍କା ରହିଛି। ସେହିପରି ନକ୍‍ଆଉଟ୍‍ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୫୦, ଉତ୍ତର ଷ୍ଟାଣ୍ଡ ୧୫୦ ଓ ଦକ୍ଷିଣ ଷ୍ଟାଣ୍ଡ ୧୫୦ ଟଙ୍କା ରହିଛି।

Leave A Reply