କିସ୍‌ରେ ନିଯୁକ୍ତି ପାଇଲେ ଦୁଇ ଦିନ ମଜୁରିଆ ମହିଳା ଖେଳାଳି

କଟକ : ଏଣିକି ଆଉ ଦିନ ମଜୁରିଆ ଭାବେ କାମ କରିବାକୁ ପଡ଼ିବ ନାହିଁ ଜାତୀୟସ୍ତରର ଦୁଇ ମହିଳା କ୍ରୀଡ଼ାବିତ୍‌ଙ୍କୁ। ଜାତୀୟ ପଦକ ବିଜେତା ନୟାଗଡ଼ ଜିଲାର ମହିଳା ରଗ୍‌ବୀ ଖେଳାଳି ସୁଜାତା ପ୍ରଧାନ ଓ ଯାଜୁପର ଜିଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଞ୍ଚାୟତର ମହିଳା ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ କିସ୍‌ରେ ନିଯୁକ୍ତି ପ୍ରଦାନ କରାଯାଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଦୁଇ ମହିଳା ଖେଳାଳିଙ୍କୁ ମଙ୍ଗଳବାର ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଖେଳାଳିମାନେ ବିଭିନ୍ନ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରି ଏବେ ଦୁସ୍ଥ ଜୀବନ ଅତିବାହିତ କରୁଥିବାବେଳେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିଲେ। ସେମାନଙ୍କ ଦୁର୍ଦଶା ସମ୍ପର୍କରେ ଦୈନିକ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ କିଟ୍‌ ଓ କିସର ପ୍ରତିଷ୍ଠାତା କଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଗୋଚର ହୋଇଥିଲା। କିଟ୍‌, କିସ୍ ଓ ସାଂସଦ ଶ୍ରୀ ସାମନ୍ତ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ସର୍ବଦା ପ୍ରୋତ୍ସାହିତ କରି ଆସୁଥିବାବେଳେ ଉଭୟ ଯାଜପୁର ଓ ନୟାଗଡ଼ ଜିଲାରୁ ଏହି ପ୍ରତିଭାମାନେ ଯେଭଳି ଆହୁରି ଆଗକୁ ବଢ଼ିପାରିବେ ସେ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଟେଲିଫୋନ ଯୋଗେ ଶ୍ରୀ ସାମନ୍ତ ଦୁଇ ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ସେମାନଙ୍କୁ କିସ୍‌ରେ ନିଯୁକ୍ତି ପ୍ରଦାନ କରିଛନ୍ତି। କିଟ୍‌ ଓ କିସ୍‌ ପକ୍ଷରୁ ଅସମୟରେ ଏଭଳି ସହାୟତା ଯୋଗାଇ ଦିଆଯାଇଥିବାରୁ ଉଭୟ ଖେଳାଳି କିଟ୍‌ ଓ କିସ୍‌ର ପ୍ରତିଷ୍ଠତା ଶ୍ରୀ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ଦିନ ମଜୁରିଆ ଭାବେ କାମ କରୁଥିବା ନେଇ ଖବର ପ୍ରକାଶ କରିବା ସହିତ ଆମ ଦୁଃସ୍ଥ ଜୀବନକୁ ଲୋକଲୋଚନକୁ ଆଣିଥିବା ଖବରକାଗଜ ‘ସମାଜ’କୁ ମଧ୍ୟ ସୁଜାତା ଓ ଲକ୍ଷ୍ମୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ଅକ୍ଟୋବର ୨ରେ ‘ସମାଜ’ର ପ୍ରଥମ ପୃଷ୍ଟାରେ ଦୁଇ କ୍ରୀଡ଼ା ପ୍ରତିଭା ଏବେ ଦିନ ମଜୁରିଆ, ଜାତୀୟସ୍ତରୀୟ ମହିଳା ଫୁଟବଲ ଖେଳାଳି ଓ ସ୍ବର୍ଣ୍ଣ ବିଜୟିନୀ ଜାତୀୟ ରଗ୍‌ବୀ ଖେଳାଳି ଶୀର୍ଷକ ଖବର ପ୍ରକାଶ ପାଇଥିଲା।

Comments are closed.