ହୀରାକୁଦ ପଥର ପ୍ୟାଚିଂ କାମ ଅଧା ଛାଡ଼ି ପଳାଇଲା ଠିକା ସଂସ୍ଥା; କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ

ଦୁଇ ବର୍ଷରେ ବି ସରିଲା ନାହିଁ ପଥର ପ୍ୟାଚିଂ କାମ

ବୁର୍ଲା: ଦୁଇ ବର୍ଷ ବିତିଲା, ତଥାପି ହୀରାକୁଦ ଜଳଭଣ୍ଡାରର ପଥର ପ୍ୟାଚିଂ କାମ ସରିଲା ନାହିଁ । ପୁଣିଥରେ ଠିକା କମ୍ପାନୀ ଅଧା କାମ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ମୁଖ୍ୟବନ୍ଧ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଠିକା ସଂସ୍ଥାଗୁଡ଼ିକ ଲାଭବାନ ହେଉଥିବାବେଳେ କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି ।

ହୀରାକୁଦ ଜଳଭଣ୍ଡାରର ବୁର୍ଲା ପଟ ବିଶାଳ ବନ୍ଧର ମରାମତି ଓ ପଥର ପ୍ୟାଚିଂ କାମ ୨୦୧୯ରେ ଆରମ୍ଭ ହୋଇଥିଲା। ଏଥିପାଇଁ ୫.୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଓ ୟୁନିକର୍ଣ୍ଣ ନାମକ ଏକ କମ୍ପାନୀ ଏହାର କାମ ଠିକା ପାଇଥିଲା।  ତେବେ ଆରମ୍ଭରୁ କାମର ମାନକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶ୍ନ ଉଠାଇ ଆସୁଥିଲେ । ଠିକା ସଂସ୍ଥା ମାନ ଉଲ୍ଲଙ୍ଘନ କରି ନିମ୍ନମାନର ଓ ଛୋଟ ହାଲୁକା ପଥର ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ଅନିୟମିତତାକୁ ଲୁଚାଇବା ପାଇଁ ରୀତିମତ ଯୋଜନା ହୋଇଥିଲା ଏବଂ ବନ୍ଧ ସୁରକ୍ଷା ବାହାନାରେ କାହାରିକ ସେହି ଅଞ୍ଚଳକୁ ଯିବାକୁ ଦିଆଯାଉ ନ ଥିଲା । ପାହାଡ଼ରୁ ପଥର କାଟି ତାହାକୁ ବ୍ୟବହାର କରାଯିବା ମାଛ ତେଲରେ ମାଛ ଭାଜିବା ପରି ହୋଇଥିଲା । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ବେ ବନ୍ଧ କର୍ତ୍ତୃପକ୍ଷ ଗୁରୁତ୍ଵ ଦେଇ ନ ଥିଲେ । ଏବେ ମହାନଦୀ ପାଣି ପୂର୍ଣ ଥିବାରୁ ସବୁ ଅନିୟମିତତା ପାଣି ତଳେ ଲୁଚି ଗଲା ଏବଂ ବନ୍ଧରେ ପାଣି ଭର୍ତି ଆଳ ଦେଖାଇ ଠିକା କାମ ବନ୍ଦ କରି ଦେଇଛି ଠିକାଦାର ସଂସ୍ଥା।

ତେବେ ଏହି ପଥର ପେଚିଙ୍ଗ ତୃତୀୟ ବର୍ଷରେ ସମାପ୍ତ ହେବ କି ଆହୁରି କି ଆହୁରି ବିଳମ୍ବ ହେବ ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।   ଗତ ୨୦୧୬ ମସିହାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାରେ ପଥର ପ୍ୟାଚିଙ୍ଗରେ ନିମ୍ନମାନର ପଥର ବ୍ୟବହାରକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଠିକାଦାରଙ୍କୁ ତାଗିଦ କରିଥିବାର ଦୃଷ୍ଟାନ୍ତ ରହିଛି। ମାତ୍ର ବିଡ଼ମ୍ବନା ହେଉଛି ତାଗିଦ କରିଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ରାତାରାତି ବଦଳି କରି ଦିଆଯାଇଥିଲା । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଥିଲା ।   ପାଣିମଧ୍ୟରେ ରହିଥିବା ପଥର ପେଚିଙ୍ଗର ନିମ୍ନମାନର କାମ ପୁଣି ବନ୍ଧକୁ ବିପଦ ପହଞ୍ଚାଇବ ଏବଂ ପୁଣି ହୀରାକୁଦ ବନ୍ଧରେ ଫାଟ ସୃଷ୍ଟି ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯେପରି ଭାବରେ ବର୍ତ୍ତମାନ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆଉ ଏକ କମ୍ପାନିକୁ ଫାଟ ମରାମତି କାମ ହସ୍ତାନ୍ତର କରାଯାଇଛି। ତେବେ ଏହି ଦୁର୍ନିତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପାରିଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ସଚେତନ ବର୍ଗରେ ଦାବି ହେଉଛି।

Comments are closed.