ହୀରାକୁଦ ଉପରେ ନଜର: ଜଳସ୍ତର ରୁଲ କର୍ଭରୁ ୪ ଫୁଟ ବେଶୀ ଓ ସବୋର୍ଚ୍ଚ ସୀମାରୁ ୪ ଫୁଟ କମ

ସମ୍ବଲପୁର: ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ସମ୍ବଲପୁରରେ ନିର୍ମିତ ହୀରାକୁଦ ବନ୍ଧ ମୌସୁମୀ ଋତୁରେ ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜେ। ସ୍ୱାଧୀନୋତ୍ତର ଭାରତରେ ଦୀର୍ଘ ଛଅ ଦଶନ୍ଧୀରୁ ଅଧିକ ସମୟ ହେଲା ଓଡ଼ିଶାର ଜନଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରି ଆସିଥିବା ଏହି ସର୍ବବୃହତ ମାଟିବନ୍ଧ ଉପରେ ଏବେ ସାରା ରାଜ୍ୟର ନଜର। ସମସ୍ତଙ୍କ ମୁହଁରେ ଏକ ମାତ୍ର ଉତ୍କଣ୍ଠାଭରା ପ୍ରଶ୍ନ- କେତେ ଗେଟ ଖୋଲିଛି? କେ​‌​‌ତୋଟି ଗେଟ ଖୋଲା ଅଛି ଜାଣି ଗଲେ ଛତିଶଗଡ଼ରୁ କେତେ ପାଣି ଆସୁଛି, ଜଳସ୍ତର କେତେ ଅଛି , କେତେ ପାଣି ଛଡ଼ା ଯାଉଛି ଓ ବନ୍ୟା ହାଲଚାଲ ସମ୍ପର୍କରେ ଏକ ​‌ମ‌ୋଟାମୋଟି ଚିତ୍ର ସ୍ବତଃ ମନକୁ ଆସିଯାଉଛି। ‘ ହୀରାକୁଦ ଗେଟ୍‌’ ହୋଇପଡ଼ିଛି ଓଡ଼ିଶାର ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତିର ଏକ ମାପକାଠି। ତେଣୁ ସରକାରୀ ବ୍ୟବସ୍ଥା ଓ ସାଧାରଣ ଜନତା; ଉଭୟ ପକ୍ଷର ସବୁ ଉତ୍କଣ୍ଠାର କେନ୍ଦ୍ରବିନ୍ଦୁ ପାଲଟିଛି ହୀରାକୁଦ।

ଦ୍ବିତୀୟ ଲଘୁଚାପ ବର୍ଷାଜନିତ ବନ୍ୟା ମହାନଦୀ ତଟବର୍ତ୍ତୀ ଇଲାକାକୁ ବିଧ୍ବସ୍ତ କରି ପକାଇଛି। ଏହାର ପ୍ରତିକୂଳ ପ୍ରଭାବରୁ ରାଜ୍ୟବାସୀ ମୁକୁଳି ନଥିବା ବେଳେ ଆଉ ଗୋଟିଏ ଲଘୁଚାପ ଆସୁଥିବା ସମ୍ପର୍କରେ ପାଣିପାଗ ବିଭାଗର ଆଗୁଆ ସୂଚନା ଲୋକଙ୍କ ହୃତକମ୍ପ ବଢ଼ାଇ ଦେଇଛି। ଦ୍ବିତୀୟ ଲଘୁଚାପ ବର୍ଷାର ପ୍ରଭାବ ହୀରାକୁଦ ଉପରେ ପଡ଼ିବା ଆଗରୁ (ଅଗଷ୍ଟ ୨୭) ବନ୍ଧର ଜଳସ୍ତର ଥିଲା ୬୨୨ .୫୫ ଫୁଟ ଓ ୧୮ଟି ଖୋଲାଥିଲା। ଜଳପ୍ରବେଶର ପରିମାଣ ଥିଲା ‌୫ ଲକ୍ଷ ୬୬ ହଜାର କ୍ୟୁସେକ। କିନ୍ତୁ ମାତ୍ର ୨୪ ଘଣ୍ଟାରେ ସ୍ଥିତି ଆକାଶପାତାଳ ବଦଳିଗଲା। ୨୮ ତାରିଖ ରାତି ୯ ସୁଦ୍ଧା ପୂର୍ବ ଅପେକ୍ଷା ଅଧିକ ଦେଢ଼ ଲକ୍ଷ କ୍ୟୁସେକ ପାଣି ପଶୁଥିଲା। ଗେଟ୍ ସଂଖ୍ୟା ୧୮ରୁ ୨୨କୁ ବୃଦ୍ଧି ପାଇ ୪୦ଟି ଗେଟରେ ପାଣି ଛଡ଼ା ଯାଉଥିଲା। ମହାନଦୀ ତା’ ନିଜ ପାଣି ସହିତ ଛତିଶଗଡ଼ର ହସଦେଓ, ମାଣ୍ଡ, ସିଓନାଥ, ଜୋଙ୍କ ଏବଂ ଓଡ଼ିଶାର ଇବ ଓ ଭେଡ଼େନ ନଦୀକୁ ମିଶାଇ ମୋଟ ୮୩ ହଜାର ୪୦୦ ବର୍ଗ କିଲୋମିଟର କ୍ୟାଚମେଣ୍ଟ ଏରିଆରୁ ସଂଗୃହିତ ଜଳ ହୀରାକୁଦକୁ ପ୍ରବେଶ କରିବା ପରଠୁ ବନ୍ୟା ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ୨୯ ତାରିଖ ରାତି ୯ଟା ବେଳକୁ ସର୍ବାଧିକ ୮ ଲକ୍ଷ ୭୬ ହଜାର ଘନଫୁଟ ପାଣି ଆସି ହୀରାକୁଦ ଜଳସ୍ତରକୁ ସର୍ବାଧିକ ୬୨୮ ଫୁଟ ପାଖାପାଖି ନେଇ ଯାଇଥିଲା। ତା’ ପରଠୁ ସ୍ଥିତି ପୁଣି ଓଲଟା ଗତି ଧରିଛି। ୩୦ ତାରିଖ ଅପରାହ୍ନରୁ ପ୍ରବେଶ ଜଳର ପରିମାଣ କମିବା ଆରମ୍ଭ କରିଥିଲା। ୩୦ ତାରିଖ ରାତି ୯ ସୁଦ୍ଧା ୧ ଲକ୍ଷ ୧୫ ହଜାର ଘନଫୁଟ ପାଣି କମ ଆସିବାରୁ ପ୍ରଥମ ପର୍ଯ୍ୟାୟରେ ୬ଟି ଗେଟ ବନ୍ଦ କରାଯାଇଥିଲା। ୩୧ ତାରିଖ ସନ୍ଧ୍ୟା ୭ ସୁଦ୍ଧା ୧୪ଟି ଗେଟ୍ ବନ୍ଦ କରି ୩୨ଟି ଗେଟ୍ଟ୍ରେରେ ପାଣି ଛଡ଼ାଯାଉଛି। ଜଳ ପ୍ର​‌ବେଶ ପୂର୍ବାପେକ୍ଷା ପ୍ରାୟ ୪ ଲକ୍ଷ କ୍ୟୁସେକ କମିଛି। ଜଳସ୍ତର ୬୨୬.୬୫ ଫୁଟକୁ ଖସି ଆସିଛି। ହୀରାକୁଦ ରୁଲ କର୍ଭ ଅନୁସାରେ ଅଗଷ୍ଟ ୩୧ ତାରିଖରେ ଜଳସ୍ତର ୬୨୨.୩୬ ଫୁଟ ଥିବା କଥା। କିନ୍ତୁ ଏବେ ୪ ଫୁଟରୁ ବେଶୀ ପାଣି ଅଛି। ଅନ୍ୟ ପକ୍ଷରେ ବନ୍ଧର ସର୍ବୋଚ୍ଚ ସୀମା ୬୩୦ ଫୁଟ ହୋଇଥିବା ବେଳେ ଆଜିର ଜଳସ୍ତର ଏହାଠୁ ପାଖାପାଖି ୪ ଫୁଟ ତଳେ ଅଛି।

ପ୍ରକାଶଯୋଗ୍ୟ ଯେ ହୀରାକୁଦ ବନ୍ଧର ୮୨ କିଲୋମିଟର ଉପରେ ଛତିଶଗଡ଼ର କଲମା ବନ୍ଧ ଅଛି। ହୀରାକୁଦ ବନ୍ୟା ପରିଚାଳନା ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ କଲମାରୁ ହୀରାକୁଦକୁ ବନ୍ୟା ପାଣି ଆସିବାକୁ ପ୍ରାୟ ସାଢ଼େ ୮ ଘଣ୍ଟା ଲାଗିଥାଏ। ତେଣୁ କଲମା​ରେ ପ୍ରବାହିତ ହେଉଥିବା ପାଣିର ପରିମାଣ ସଂପର୍କରେ ଆଗୁଆ ସୂଚନା ହୀରାକୁଦ ଗେଟ ସଂଖ୍ୟା ନିର୍ଦ୍ଧାରଣ କରେ। ପ୍ରକାଶଯୋଗ୍ୟ ଯେ ଗୋଦାବରୀ ପରେ ମହାନଦୀକୁ ଦେଶର ଦ୍ୱିତୀୟ ବନ୍ୟା ପ୍ରବଣ ନଦୀ ଭାବେ ବିବେଚନା କରାଯାଏ। ହୀରାକୁଦ ବନ୍ଧରୁ ବନ୍ୟା ଜଳ ନିଷ୍କାସନ ରେକର୍ଡ ଅନୁସାରେ ଏହା ଆଗରୁ ୧୯୬୧ ମସିହାରେ ସମସ୍ତ ୬୪ ସ୍ଲୁଇସ ଓ ୧୮ କ୍ରେଷ୍ଟ ଗେଟ ମିଶି ୭୮, ୧୯୮୦ ମହାବନ୍ୟାରେ ରେକର୍ଡ ୮୮, ୨୦୦୧ରେ ୫୨, ୨୦୦୩ରେ ୫୪, ୨୦୦୮ରେ ୪୬, ୨୦୧୧ରେ ୫୯, ୨୦୧୪ରେ ୫୦ ଗେଟ ଖୋଲା ଯାଇଥିବା ବେଳେ ୨୦୨୦ରେ ସର୍ବାଧିକ ୪୬ଟି ଗେଟ ଖୋଲାଯାଇଛିି।

Comments are closed.