ଡିସେମ୍ବର ୮ ରୁ ଆରମ୍ଭ ହେବ ହୀରାକୁଦ ଇକୋ ରିଟ୍ରଟ : ପ୍ରଥମ ପର୍ଯ୍ୟାୟରେ ୨୫ଟି କଟେଜ 

ସମ୍ବଲପୁର : କୋଣାର୍କର ମାରାଇନ ଡ୍ରାଇଭରେ ପର୍ଯ୍ୟଟନର ବିକାଶ ପାଇଁ କରାଯାଇଥିବା ‘ଇକୋ ରିଟ୍ରିଟ’ ଯୋଜନାର ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନ ହୀରାକୁଦ, କୋଣାର୍କ, ଭିତର କନିକା, ଦାରିଙ୍ଗିବାଡି ଓ ସାତକୋଶିଆ ଠାରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରର ଲେଫ୍ଟ ଡାଇକ ପାଖରେ ଥିବା ବଲବସପୁର ଅଞ୍ଚଳରେ ଏଥିପାଇଁ ଜୋରସୋରରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ଗସ୍ତରେ ସମ୍ବଲପୁର ଆସି କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ତାଙ୍କର ସହିତ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ମଧ୍ୟ ଆସିଛନ୍ତି।

ହୀରାକୁଦ ଡ୍ୟାମର ଲେଫ୍ଟ ଡାଇକର ବଲବସପୁର ଅଞ୍ଚଳରେ ଇକୋ ରିଟ୍ରିଟ ସେଣ୍ଟରର ନିର୍ମାଣ କାର୍ଯ୍ୟ ସମୀକ୍ଷା ପରେ ଗଣମାଧ୍ୟମ ସହିତ ମନ୍ତ୍ରୀ ପାଣିଗ୍ରାହୀ ସାକ୍ଷାତକାର କରିଥିଲେ। ହୀରାକୁଦ ଇକୋ ରିଟ୍ରିଟ ଠାରେ ଅପରାହ୍ନ ୨ଟା ୩୦ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଆସନ୍ତା ଡିସେମ୍ବର ୮ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ୱେବ ସାଇଟ ଜରିଆରେ ବୁକିଂ ଆରମ୍ଭ କରାଯାଇ ସାରିଛି। ଏହି ଆମୋଦପ୍ରମୋଦ କେନ୍ଦ୍ରର ନିର୍ମାଣ କାର୍ଯ୍ୟର ଗତି ଉପରେ ମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ। ଓଡିଶାକୁ ଆର୍ନ୍ତଜାତୀୟ ପର୍ଯ୍ୟଟନର ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବା ପାଇଁ ରାଜ୍ୟରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ, ଅଭୟାରଣ୍ୟ ଆଦି ସ୍ଥାନ ଗୁଡିକୁ ସରକାର ବିକଶିତ କରି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଏହା କରାଯାଉଛି। ହୀରାକୁଦ ଇକୋ ରିଟ୍ରିଟରେ ପ୍ରଥମ ପର୍ଯ୍ୟାୟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ମାନଙ୍କର ସୁବିଧା ପାଇଁ ଜଳଭଣ୍ଡାରରେ ଜଳ କ୍ରିଡା, ଡେବ୍ରିଗଡ ଅଭୟାରଣ୍ୟ ବୁଲିବା, ରୋପ ୱେ, ଆଖପାଖର ଦର୍ଶନୀୟ ଓ ଧାର୍ମିକସ୍ଥଳ ଗୁଡିକର ପରିଦର୍ଶନ ଆଦି ସହିତ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରାଯାଉଛି। ଏହି ଶୀତକାଳୀନ ଆମୋଦ ପ୍ରମୋଦ କେନ୍ଦ୍ର ଗୁଡିକୁ କୋଭିଡ – ୧୯ ନିୟମକୁ କଡାକଡି ଭାବରେ ପାଳନ କରାଯାଇ କାର୍ଯ୍ୟକ୍ଷମ କରାଯାଉଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ହୀରାକୁଦକୁ ଏକ ପ୍ରମୁଖ ସ୍ଥାନରେ ପହୁଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି।

ଏହି ସେଣ୍ଟରରେ ୨ ପ୍ରକାରର କଟେଜ କରାଯାଉଛି। କଟେଜ ଗୁଡିକର ମୂଲ୍ୟ ୯ ହଜାରରୁ ଆରମ୍ଭ ହୋଇ ୧୫ ହଜାର ପର୍ଯ୍ୟନ୍ତ ରହିଛି। ଶୀତକାଳୀନ ଆମୋଦ ପ୍ରମୋଦ ରିଟ୍ରିଟ ସେଣ୍ଟରରେ ଓଡିଆ ଓ ସମ୍ବଲପୁରୀ ଖାଦ୍ୟପେୟର ରେଷ୍ଟୁରାଣ୍ଟ ରହିବ। ଏହା ସହିତ ଲୋକନୃତ୍ୟ ଓ ସଙ୍ଗୀତର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ଅଞ୍ଚଳକୁ ବୁଲି ଆସୁଥିବା ଅନ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ରିଟ୍ରିଟ ସେନ୍ଟରର ବାହାରେ ବୁଲାବୁଲି ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି। ସମ୍ବଲପୁରୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ହସ୍ତ୍ରତନ୍ତର ପ୍ରଦର୍ଶନୀ ଷ୍ଟଲର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶୁଭମ ସାକ୍ସସେନା କହିଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେନ୍ଦ୍ରରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସହିତ ପୁଲିସର କଡା ପହରା ରହିବ ବୋଲି ଏସପି ଡା. କନୱର ବିଶାଳ ସିଂହ କହିଛନ୍ତି। ଏହି ସାମ୍ବାଦିକ ସମ୍ମୁଳନୀରେ ଉପ ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୁଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ମଞ୍ଚାସୀନ ରହିଥିଲେ।

ସୂଚନାଯୋଗ୍ୟ ଯେ, ଶୀତକାଳୀନ ଆମୋଦ ପ୍ରମୋଦର ବ୍ୟବସ୍ଥା ଓ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ ରିଟ୍ରିଟ ଯୋଜନା ଆରମ୍ଭ କରିଛନ୍ତି। ଏହି ରିଟ୍ରିଟ ସେଣ୍ଟରର କଟେଜରେ ଷ୍ଟାର ହୋଟେଲ ସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି। ହୀରାକୁଦ ରିଟ୍ରିଟରେ ଦୁଇ ପ୍ରକାର ଟେଣ୍ଟ ଯଥା ରୟାଲ ଓ ପ୍ରମିୟମ ଶ୍ରେଣୀର ଟେଣ୍ଟ ସୁବିଧା ଯୋଗାଇ ଦିଆଯାଉଛି। ଏହାର ବୁକି ରାଜ୍ୟ ସରକାରଙ୍କ ୱେବ ସାଇଟରେ ଆରମ୍ଭ ହୋଇଯାଇଛି। ସମ୍ବଲପରରେ ପ୍ରଥମ ଥର ପାଇଁ ଏଭଳି ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହେଉଥିବା ବେଳେ ଜମାଦାରପାଲି ଏୟାରଷ୍ଟ୍ରିପ ଠାରୁ ମାତ୍ର ୧ କିମି, ବିଜୁ ଏକ୍ସପ୍ରେସ ୱେ ଠାରୁ ୬ କିମି ଦୂରରେ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଇକୋ ରିଟ୍ରିଟ ସେଣ୍ଟର ରହିଛି।

Comments are closed.