୨୫ ତାରିଖରେ ଖୋଲିବ ହୀରାକୁଦ ଡ଼୍ୟାମ ଗେଟ୍

ହୀରାକୁଦ: ଆସନ୍ତା ୨୫ ତାରିଖରେ ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ । ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା । ସାଧାରଣତଃ ପ୍ରତିବର୍ଷ ଜୁଲାଇ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ପ୍ରଥମଥର ପାଇଁ ଜୁନ୍ ମାସରେ ବନ୍ୟାଜଳ ନିଷ୍କାସନ ହେବ ବୋଲି ଜଣାପଡ଼ିଛି ।

ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ । ସାଧାରଣତଃ ମୌସୁମୀ ଓ ବର୍ଷ ଉପରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥାଏ । ମୌସୁମୀ ବିଳମ୍ବିତ ହେଲେ ଜଳ କମ୍ ହୋଇଥାଏ ଓ ବନ୍ୟାଜଳ ନିଷ୍କାସନ ବିଳମ୍ବିତ ହୋଇଥାଲ । ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ଭଲ ବର୍ଷା ହୋଇଛି । ସୋମବାର ହୀରାକୁଦ ବନ୍ୟାଜଳ ୬୧୪ ଫୁଟରେ ପହଞ୍ଚିଛି । ସେହିପରି ଗତ ୩ ଦିନ ହେଲା ହୀରାକୁଦ ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଘୂର୍ଣିବଳୟ ପ୍ରଭାବରୁ ପୁଣି ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ହୀରାକୁଦ ଜଳସ୍ତର ପୁଣି ବଢ଼ିବାର ଆଶଙ୍କା ଥିବାରୁ ୨୫ ତାରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସନ ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି ।

ପାରମ୍ପରିକ ପୂଜାର୍ଚନା ପରେ ୨୫ ତାରିଖ ପୂର୍ବାହ୍ନ ୧୦ଟାରେ ହୀରାକୁଦ ଡ଼୍ୟାମର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲାଯିବ । ପରବର୍ତୀ ସମୟରେ ଅନ୍ୟ ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ତଳମୁଣ୍ଡର ଜିଲାଗୁଡ଼ିକୁ ସୂଚନା ଦିଆଯାଇଛି ।

Comments are closed.