ଖୋଲିଲା ଆଉ ୪ଟି, ମୋଟ୍ ୨୦ଟି ସ୍ଲୁଇସ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଗୁରୁବାର ଅପରାହ୍ଣରେ ଆଉ ୪ଟି ଗେଟ୍ ସହିତ ମୋଟ ୨୦ଟି ସ୍ଲୁଇସ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପଟର ୧୩ଟି ଏବଂ ଦକ୍ଷିଣ ପଟର ୭ଟି ଗେଟ୍ ଖୋଲା ଯାଇଛି।

ପ୍ରଥମେ ଆଜି ଦିନ ୨ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ୧୬ଟି ସ୍ଲୁଇସ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା। ବାମ ପଟର ୧୦ଟି ଏବଂ ଦକ୍ଷିଣ ପଟର ୬ଟି ଗେଟ୍ ଖୋଲା ଯାଇଥିଲା।

ଅନ୍ୟପକ୍ଷରେ ରାତି ୭ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୮୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ଏହି ସମୟ​ରେ ପ୍ରତି ସେକେଣ୍ଡରେ ୧,୯୫,୦୨୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୩,୩୧,୯୫୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି।

ସୂଚନାଯୋଗ୍ୟ, ଆଜି ଦିନ ୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୨.୦୪ ଫୁଟ ଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨,୫୩,୧୬୮ କ୍ୟୁସେକ ଜଳ ପ୍ରବେଶ କରୁଛି।
ଅପରପକ୍ଷରେ ବୁଧବାର ସାଂକେତିକ ଭାବେ ଗୋଟିଏ ଗେଟ ଖୋଲାଯାଇ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପରେ ଦିନ ୨ଟାରେ ଗେଟ୍ ବନ୍ଦ କରିଦିଆଯାଇଥିଲା।

Comments are closed.