ହୀରାକୁଦ ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳ ଶିଳ୍ପ ସମୃଦ୍ଧ ; କିନ୍ତୁ ଜଳକ୍ଳିଷ୍ଟ

ରେଙ୍ଗାଲି : ହୀରାକୁଦ ପାଣିରେ କଳକାରଖାନାର ଶୋଷ ମେଣ୍ଟୁଛି। କିନ୍ତୁ ହୀରାକୁଦ ଜଳଭଣ୍ଡାର ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀ ତୃଷାର୍ତ୍ତ। ଶିଳ୍ପାୟନ ପୂର୍ବରୁ ଏହି ଅଞ୍ଚଳରେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଜଳାଭାବ ଲାଗି ରହୁଥିଲା। ଶିଳ୍ପାୟନ ପରଠାରୁ ଜାନୁଆରୀ- ଫେବ୍ରୁଆରୀ ମାସରୁ ଜଳାଭାବ ଆରମ୍ଭ ହୋଇଯାଉଛି। ଜଳାଶୟଗୁଡ଼ିକର ପାଣି ଶୁଖିଗଲାଣି। ଭୂତଳ ଜଳ ନିମ୍ନଗାମୀ ହେବାରୁ ନଳକୂଅରୁ ପାଣି ବାହାରୁନାହିଁ।
ରେଙ୍ଗାଲି ବ୍ଳକ ଅନ୍ତର୍ଗତ ବାରିକପାଲି, କୁର୍ଲା,ସପନେ ଯୁଗୀପାଲି ଆଦି ଅନେକ ଗାଁରେ ନଳକୂଅରୁ ଅତି କଷ୍ଟରେ ବାଲତିଏ ପାଣି ବାହାରୁଛି। ଗାଧୋଇବାକୁ ଲୋକଙ୍କୁ ୫ରୁ ୬ କିଲୋମିଟର ଯିବାକୁ ପଡ଼ୁଛି। ଏହି ଅଞ୍ଚଳରେ ବର୍ଷକ ୬/୭ ମାସ ଜଳାଭାବ ଲାଗି ରହୁଛି।

ହୀରାକୁଦ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରିଥିବା ତୁରୀଟିକ୍ରା, ବାରିକପାଲି, ଯୁଗୀପାଲି, ସପନେ, କୁର୍ଲା, ଠୁଠି କତରବଗା, ପୁରୁଣାଖିଣ୍ଡା, ନୂଅାଁଁଖିଣ୍ଡା, ମାତୁଲୁକେମ୍ପ, ବଂଶୀମାଲ,ଚାଲଟିକ୍ରା, ଦନ୍ତାମୁରା, ଖତୁପଡ଼ା, ଲପଙ୍ଗା, ଲାଣ୍ଡୁପାଲି, ତଲାବିରା ଆଦି ଅନେକ ହୀରାକୁଦ ଜଳଭଣ୍ଡାର ତଟବର୍ତ୍ତୀ ଗ୍ରାମବାସୀ ଉତ୍କଟ ଜଳାଭାବର ସମ୍ମୁଖୀନ ହେଉଛନ୍ତି। ସହସିଆମାଲ, ଫଟାଟାଙ୍ଗର, ଚଟେନପଡ଼ା, ଚନ୍ଦନିମାଲ, କର୍ଲାବୁଡ଼ିଆ, କୁସୁମଡିହି, ଗୁମଲୋଇ ଆଦି ଆହୁରି ଅନେକ ଗ୍ରାମରେ ଜଳାଭାବ ଉତ୍କଟ ରୂପ ଧାରଣ କଲାଣି। ଅଥଚ ହୀରାକୁଦ ଜଳଭଣ୍ଡାରରୁ ୧୩ଟି କାରଖାନାକୁ ଦିନକୁ ୧ ଶହ କୋଟି ଲିଟର ଜଳଯୋଗାଣ ହେଉଛି। ସମସ୍ୟା ଜର୍ଜରିତ ଲୋକଙ୍କ ବାରମ୍ବାର ଦାବି ପରେ ୩୫ଟି ଜଳକ୍ଲିଷ୍ଟ ଗ୍ରାମର ଲୋକଙ୍କ ପାଇଁ ଜଳଯୋଗାଣ କରାଯିବ ବୋଲି ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଖିଣ୍ଡା ଛକ ପାଖରେ ତତ୍କାଳିନ ବାଚସ୍ପତି କିଶୋର କୁମାର ମହାନ୍ତି ଘୋଷଣା କରିଥିଲେ। ଖିଣ୍ଡା ଛକରେ ଶିଳାନ୍ୟାସ ହୋଇଥିବା ଜଳଯାଗାଣ ପ୍ରକଳ୍ପରୁ ଖିଣ୍ଡା ଓ ଲପଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଶିଳାନ୍ୟାସ ଉତ୍ସବରେ ଘୋଷଣା କରାଯାଇଥିଲା । କିନ୍ତୁ ୧୨ ବର୍ଷ ବିତିଗଲା ପଛେ ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ନିର୍ବାଚନ ବୈତରଣୀ ପାରି ହେଲା ପରେ ନେତାଏ ନିଜ ପ୍ରତିଶ୍ରୁତି ଭୁଲି ଲୋକଙ୍କୁ କିପରି ପ୍ରତାରଣା କରନ୍ତି ଏହା ତାହାର ଅନ୍ୟତମ ଉଦାହରଣ।
ଜଳକ୍ଲିଷ୍ଟ ଅଞ୍ଚଳକୁ ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ଟ୍ୟାଙ୍କର ପାଣି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ପ୍ରଧାନପାଲି ବୃହତ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ହୀରାକୁଦ ବିସ୍ଥାପିତ ଲୋକେ ରହୁଥିବା ରାମଚନ୍ଦ୍ର ନଗର, ତୁରିଟିକ୍ରା, କୁର୍ଲା, ଯୁଗୀପାଲି, ବାରିକପାଲି, ସପନେ, ପୁରୁଣା ଖିଣ୍ଡା, ଚାଲଟିକ୍ରା, ତଲାବିରା, ଦନ୍ତାମୁରା, ଲାଣ୍ଡୁପାଲି ବଂଶୀମାଲ, ଲପଙ୍ଗା, ଧୁବେନଛାପଲ ଆଦି ଗ୍ରାମବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ପାଉନାହାନ୍ତି। ତେଣୁ ଏହି ଯୋଜନା ଉପରୋକ୍ତ ଗ୍ରାମବାସୀଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼ିଛି। ବିଭିନ୍ନ କଳକାରଖାନା ଜଳଭଣ୍ଡାର ଭିତରେ ଇନଟେକ କୂଅ ଖୋଳି ପାଣି ଟାଣି ନେଉଥିବାରୁ ଏହି ସମସ୍ୟା ଅଧିକ ଗୁରୁତର ହୋଇପଡ଼ିଛି। ଇନଟେକ କୂଅ ଯୋଗେ କଳ କାରଖାନାକୁ ଜଳଯୋଗାଣ କଲାଭଳି ଜଳଭଣ୍ଡାର ପାଣିକୁ ବିଶୋଧନ କରି ଲୋକଙ୍କ ଆବଶ୍ୟକତା ପୂରଣ କାହିଁକି କରାଯାଉ ନାହିଁ ବୋଲି ପ୍ରଭାବିତ ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ବିଭିନ୍ନ ବିକାଶ ଯୋଜନା ପାଇଁ ୨/୩ ଥର ବିସ୍ଥାପିତ ହୋଇ ସାରିଥିବା ଏହି ଅଞ୍ଚଳବାସୀଙ୍କ ପାଇଁ ଏ ପର୍ଯ୍ୟନ୍ତ ପାନୀୟ ଜଳ ନିଶ୍ଚିତ କରାଯାଇ ନପାରିବା ବିଡ଼ମ୍ବନାପୂର୍ଣ୍ଣ ବୋଲି କୁହାଯାଉଛି।

Comments are closed.