ଚାକିରି ଛାଡ଼ି ଯୁବତୀ ଆରମ୍ଭ କଲେ ଫଳ ପ୍ରକ୍ରିୟାକରଣ; ବାର୍ଷିକ ରୋଜଗାର ୩୦ ଲକ୍ଷ ଟଙ୍କା

ଜୀବନ କେତେବେଳେ କାହାକୁ କେଉଁ ବାଟରେ ନେଇଯାଏ ତାହା ଆକଳନ କରିବା ମୁସ୍କିଲ । ସେମିତି ଉତ୍ତରାଖଣ୍ଡ ରାଜ୍ୟର ଗରୱାଲ ଅଞ୍ଚଳର ଝିଅ ଦିବ୍ୟା । ଡ଼େରାଡ଼ୁନରେ ପ୍ରାଥମିକ ଶିକ୍ଷା ପରେ ଦିଲ୍ଲୀରେ ସ୍ନାତକ ଓ ସ୍ନାତକୋତ୍ତର ପାଠ ଶେଷ ପରେ ୨୦୦୮ ମସିହାରେ ଏକ ବହୁରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥାରେ ପାଇଥିଲେ ନିଯୁକ୍ତି । ମାତ୍ର ଏହି ସମୟରେ ତାଙ୍କର ବାପାଙ୍କର ପରଲୋକ ଘଟିଲା । ୬ ବର୍ଷର ଚାକିରି ଛାଡ଼ି ସେ ଫେରି ଆସିଲେ ଗାଁକୁ । ଆଉ ଗାଁରେ ଆରମ୍ଭ କଲେ ଫଳ, ପନିପରିବାର ପ୍ରକ୍ରିୟାକରଣ । ଆଉ ଏବେ ତାଙ୍କ ରୋଜଗାର ବାର୍ଷିକ ୩୦ ଲକ୍ଷ ଟଙ୍କା ।

୨୦୧୪ରେ ସେ ନିଜ ଗାଁକୁ ଫେରିବା ପରେ ମା’ଙ୍କୁ ଚାଷବାସରେ ସହାୟତା ଦେଲେ । ନିଜ କ୍ଷେତରେ ଉତ୍ପାଦିତ ଫଳ, ପନିପରିବା, ହଳଦୀ ଆଦିର ପ୍ରକ୍ରିୟା କରଣ କରି ସେ କେବଳ ସ୍ବାବଲମ୍ବୀ ହୋଇ ନାହାନ୍ତି, ୨୪ ଜଣଙ୍କୁ ମଧ୍ୟ କାମଧନ୍ଦା ଯୋଗାଇଛନ୍ତି ।

ଦିବ୍ୟା କହିଛନ୍ତି ଯେ ସେ କାମ କରିବାକୁ ଭଲ ପାଆନ୍ତି । ଯେଉଁଠି ନିଯୁକ୍ତି ପାଇଥିଲେ ସେଠାରେ ଭଲ କାମ କରୁଥିଲେ । ଦରମା ମଧ୍ୟ ଭଲ ଥିଲା । ମାତ୍ର ବାପାଙ୍କ ମୃତ୍ୟୁ ପରେ ମା ଏକୁଟିଆ ହୋଇ ଯାଇଥିଲେ । ତାଙ୍କୁ ଦିଲ୍ଲୀ ନେଇ ଆସିବାକୁ ମୁଁ ଚାହୁଁଥିଲି, ମାତ୍ର ମା’ ଉତ୍ତରାଖଣ୍ଡ ଛାଡ଼ି ଆସିବାକୁ ରାଜି ନ ଥିଲା । ଫଳରେ ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା । ମା’ଙ୍କ ଯତ୍ନ ସହ ବାପାଙ୍କ କ୍ଷେତ କାମ ଉଭୟ ମୁଁ କରି ପାରିବି ବୋଲି ଭାବିଲି ।

ଦିବ୍ୟାଙ୍କ ବାପା ଜଣେ ଭଲ ଚାଷୀ ଥିଲେ । ଚାଷ ପାଇଁ ସେ ସବୁ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିଥିଲେ । ତାଙ୍କ ମା‘ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ ଓ ବାପାଙ୍କୁ ଚାଷର ସହଯୋଗ କରୁଥିଲେ । ଏବେ ସେ ଅବସର ନେଇ ସାରିଛନ୍ତି ।


ଦିବ୍ୟା କୁହନ୍ତି ଯେ ମା ଜେଲି, ସସ୍ ଇତ୍ୟାଦି ପ୍ରସ୍ତୁତ କରି ମୋ ପାଖକୁ ପଠାଉଥିଲେ | ଯେଉଁମାନେ ଏହାକୁ ବ୍ୟବହାର  କରିଥିଲେ ସେମାନେ ଏହାକୁ ପସନ୍ଦ କରୁଥିଲେ । ତେଣୁ ମୁଁ ଭାବିଲି ଗାଁରେ ନିଜ ମା’ଙ୍କୁ ଏହି କାମରେ ମୁଁ ସହାୟତା କରି ପାରିବି ଓ ନିଜ ପାଇଁ ରୋଜଗାର ମଧ୍ୟ ସୃଷ୍ଟି କରିପାରିବି । ସେଥିପାଇଁ ଚାକିରି ଛାଡ଼ିଦେଲି ।

ଦିବ୍ୟା ହିମାଳୟ ହାଟ ନାମକ ଏକ ୱେବସାଇଟ୍ ଲଞ୍ଚ କରିଛନ୍ତି। ସେମାନଙ୍କର ସମସ୍ତ ଉତ୍ପାଦ ଏହି ୱେବସାଇଟରେ ଉପଲବ୍ଧ | ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କପାଖକୁ ଏହି ସାମଗ୍ରୀର ଅର୍ଡ଼ର ପଠାଉଛନ୍ତି । ଏହାଦ୍ବାରା ମାସକୁ ହାରାହାରି ୨ରୁ ୩ ଲକ୍ଷ ଟଙ୍କାର ଅର୍ଡ଼ର ଆସୁଛି ।

ସମ୍ପ୍ରତି ଦିବ୍ୟା ଷ୍ଟ୍ରବେରି, , କମଳା, ନିମ୍ବୁ,  ଆପ୍ରିକେଟ୍, ଗୋଲମରିଚ, କାମୋମାଇଲ୍, ଲେମ୍ବୁ, ବାଇଗଣ  ଏବଂ ପନିପରିବା ଉତ୍ପାଦନ କରୁଛନ୍ତି । ସେମାନେ ଏହି ଚାଷଜମିରେ ଯାହା ଉତ୍ପାଦନ କରନ୍ତି, ସେମାନେ ପ୍ରକ୍ରିୟାକରଣ କରନ୍ତି । ଏହାବ୍ୟତୀତ ସ୍ଥାନୀୟ କୃଷକମାନଙ୍କଠାରୁ ମଧ୍ୟ କିଛି ସାମଗ୍ରୀ ସେମାନେ କ୍ରୟ କରୁଛନ୍ତି ।

ଦିବ୍ୟା କହିଛନ୍ତି ଯେ ସେ କିମ୍ବା ତାଙ୍କ ମା ପୂର୍ବରୁ କୌଣସି ତାଲିମ ନେଇ ନଥିଲେ। ମା ଘର ପାଇଁ ରୋଷେଇ କରୁଥିଲେ । ମାତ୍ର ଆମେ ଧୀରେଧୀରେ ସବୁ ଶିଖିଲୁ । ବର୍ତମାନ ୩୦ ପ୍ରକାରର ଉତ୍ପାଦ ତାଙ୍କ ନିକଟରେ ଉପଲବ୍ଧ । ସେ ବର୍ତମାନ ୨୦ ଏକର ଜମିରେ ବିଭିନ୍ନ ଫସଲ କରୁଛନ୍ତି । ତାଙ୍କୁ ପ୍ରାୟ ୨ ଡ଼ଜନରୁ ଅଧିକ ମହିଳା ସହଯୋଗ କରୁଛନ୍ତି । ସେମାନେ ମଧ୍ୟ ଏଥିରୁ ପାରିଶ୍ରମିକ ପାଉଛନ୍ତି । ତାଙ୍କ ଉତ୍ପାଦରେ କୌଣସି ରାସାୟନିକ ସାର ବା କୀଟନାଶକ ବ୍ୟବହାର କରାଯାଉନାହିଁ । ତେଣୁ ଏହା ଶୁଦ୍ଧ ଓ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ । ଉତ୍ତରାଖଣ୍ଡର ତାଙ୍କ ଅଞ୍ଚଳକୁ ଯାନବାହନ ବିଶେଷ ସୁବିଧା ନାହିଁ । ତେଣୁ ସେମାନେ ଦିଲ୍ଲୀରେ ଏକ ଘର ଭଡ଼ା ନେଇ ବିତରଣ କେନ୍ଦ୍ର ଖୋଲିଛନ୍ତି । ପ୍ରାୟ ୪୦ରୁଅଧିକ ବିତରକ ସେମାନଙ୍କଠାରୁ ସାମଗ୍ରୀ କିଣିଥାଆନ୍ତି ଓ ଗ୍ରାହକମାନେ ଅନଲାଇନରେ ମଧ୍ୟ ଏହି ସାମଗ୍ରୀ ନେଉଛନ୍ତି ବୋଲି ଦିବ୍ୟା କହିଛନ୍ତି ।

Comments are closed.