ମଧୁର ଇଲିଶି ସ୍ବପ୍ନ; ଲୋପ ପାଇବାକୁ ବସିଲାଣି ଲୁଣି ଇଲିଶି

ଆମିଷପ୍ରିୟ ଲୋକଙ୍କ ଖାଦ୍ୟରେ ଇଲିଶିର ମହତ୍ବ କାହିଁରେ କଣ । ଇଲିଶି ଭଜା ହେବାର ବାସ୍ନା ତ ଅନେକଙ୍କ ଭୋକ ବଢ଼ାଇ ଦିଏ। ଏକ ସମୟରେ ଶ୍ରାବଣ ଓ ଭାଦ୍ରବ ମାସରେ ଓଡ଼ିଆ  ଲୋକଙ୍କ ଖାଦ୍ୟ ମେନ୍ୟୁରେ ଇଲିଶି ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ମାତ୍ର ଏବେ ଇଲିଶି ବଜାରରେ ସ୍ବପ୍ନ, ଖାଦ୍ୟ ଥାଳି ନିକଟରେ ଦୁର୍ଲଭ ଓ ଆମିଷପ୍ରିୟମାନଙ୍କ ପାଇଁ ଏକ ମହାର୍ଘ୍ୟ ବ୍ୟଞ୍ଜନ । ନଦୀରେ ପାଣି ନାହିଁ, ଆଉ ସମୁଦ୍ରରୁ ବି ମିଳୁନାହିଁ ଇଲିଶି । ଚଳିତ ବର୍ଷ ଭଦ୍ରକ ଜିଲାର ଚାନ୍ଦିନୀପାଳ ନିକଟରେ ମାତ୍ର ଥରଟିଏ ’ଇଲିଶି ମାଡ଼’ ( ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ୁଥିବା ମାଛ ଦଳ) ହୋଇଛି । ତାହା ପୁଣି ଛୋଟ ଆକାରର ଓ ସଂଖ୍ୟାରେ କମ୍ । ଏପରି ସ୍ଥିତିରେ ଆଉ କେଇବର୍ଷ ପରେ ବଜାର କ’ଣ ସମୁଦ୍ରରୁ ବି ଇଲିଶି ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଉପକୂଳବର୍ତୀ ଓଡ଼ିଶାର ଉତ୍ତରଭାଗରୁ ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ପର୍ଯ୍ୟାପ୍ତ ପରିମାଣରେ ଇଲିଶି ମିଳିଥାଏ । ବର୍ଷା ଦିନେ ଉଛୁଳୁଥିବା ନଦୀ ଜଳ ସମୁଦ୍ରରେ ପହଞ୍ଚିବା ବେଳେ ମୁହାଣ ଦେଇ ଇଲିଶି ପଲ ନଦୀ ଜଳଧାରର ପ୍ରତିକୂଳ ସ୍ରୋତ ଦେଇ ଉପରକୁ ଉଠନ୍ତି ଓ ଅଣ୍ଡା ଦିଅନ୍ତି । ବୟସ୍କ ଇଲିଶି ପ୍ରତିକୂଳ ଜଳଧାରାର ଶହଶହ କିଲୋମିଟର ପର୍ଯ୍ୟନ୍ତ ଉପରକୁ ଉଠିବାର କ୍ଷମତା ରଖନ୍ତି । ସେମାନେ ଅଣ୍ଡା ଦେବା ପରେ ନଦୀର ଅନୁକୂଳ ସ୍ରୋତରେ ପୁଣି ସମୁଦ୍ରକୁ ବାହୁଡ଼ି ଯାଆନ୍ତି । ଲୁଣି ମାଛ ହେଲେ ମଧ୍ୟ ନଦୀରୁ ଧରାପଡ଼ୁଥିବା ଇଲିଶିକୁ ମଧୁର ଇଲିଶି ଓ ସମୁଦ୍ରରୁ ଧରା ପଡ଼ୁଥିବା ଇଲିଶିକୁ ଲୁଣି ଇଲିଶି ବୋଲି ଲୋକମାନେ କହୁଥିଲେ ।  ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା, ବୁଢ଼ାବଳଙ୍ଗ, ସାଳନ୍ଦୀ ଓ ଏହାର ଶାଖାନଦୀ, ଉପନଦୀଗୁଡ଼ିକରୁ ଏକଦା ପର୍ଯ୍ୟାପ୍ତ ଇଲିଶି ମିଳୁଥିବା ଦେଖାଯାଉଥିଲା । ମାତ୍ର ଏବେ ରାଜ୍ୟରେ ଶ୍ରାବଣ ତ ଦୂରର କଥା, ଭାଦ୍ରବ ଓ ଆଶ୍ବିନ ମାସରେ ମଧ୍ୟ ଇଲିଶି ଦେଖାଯାଉ ନାହିଁ । ଯେଉଁଠି କଦବାଏ କ୍ବଚିତ୍ ଇଲିଶି ମିଳୁଛି ତାହା ଆକାରରେ ସାନ, ଓଜନରେ କମ୍ ଓ ଦାମ୍ ମଧ୍ୟ ବେଶ୍ ଚଢ଼ା । ଗତବର୍ଷ ବଡ଼ ଇଲିଶି ଭୁବନେଶ୍ବର ବଜାରରେ ୧୨ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ସାନ ଇଲିଶି ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷର ପ୍ରଥମ ଇଲିଶି ବଜାରରେ କିଲୋ ୭୦୦ ଟଙ୍କାରେ ବିକ୍ରି ହୋଇଛି । ତାହା ପୁଣି ଛୋଟ ଆକାରର । ବଡ଼ ଇଲିଶି ଏ ପର୍ଯ୍ୟନ୍ତ ବଜାରକୁ ଆସିନାହିଁ ।

 

ବଙ୍ଗଳାଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ବଙ୍ଗୋପସାଗର ଉପକୂଳବର୍ତୀ ରାଜ୍ୟ ଓ ଅଞ୍ଚଳଗୁଡ଼ିକରେ ଇଲିଶିର ଚାହିଦା ବେଶ୍ । ବିଡ଼ମ୍ବନା ହୋଇଛି ଓଡ଼ିଶାରେ ଗତ ଦଶକଠାରୁ ଚଳିତ ଦଶକରେ  ଇଲିଶି ଉତ୍ପାଦନ ୭୦% ହ୍ରାସ ପାଇଛି, ମାତ୍ର ବଙ୍ଗଳାଦେଶ ଇଲିଶି ଉତ୍ପାଦନ ଦ୍ବିଗୁଣିତ କରିବାକୁ ସକ୍ଷମ ହୋଇଛି । ଇଲିଶି ଲୋପ ପାଇବା ନିମନ୍ତେ ୩ଟି ମୁଖ୍ୟ କାରଣ ବୋଲି କୁହାଯାଉଛି ।

୧. ଜଳବାୟୁ ପରିବର୍ତନ

୨. ନଦୀଜଳର ପ୍ରଦୂଷଣ

୩. ମଶାରୀ ଜାଲ ବ୍ୟବହାର 

ଜଳବାୟୁ ପରିର୍ତ୍ତନ ଯୋଗୁଁ ବର୍ଷାଦିନରେ ନଦୀରେ ଜଳ ଆସିବାରେ ବିଳମ୍ବ ହେଉଛି । ଯେଉଁଠି ବି ଜଳ ଆସୁଛି ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ତେଣୁ ବୟସ୍କ ଇଲିଶି ଅଣ୍ଡା ଦେବା ପାଇଁ ସମୁଦ୍ରରୁ ନଦୀକୁ ଆସିବାକୁ ସୁଯୋଗ ପାଉନାହିଁ । ଦ୍ବିତୀୟତଃ ଯେତେବେଳେ ନଦୀରେ ଜଳ ଆସୁଛି ତାହା ଶିଳ୍ପ ଓ ସହରାଞ୍ଚଳ ବର୍ଜ୍ୟ ଜଳରେ ପ୍ରଦୂଷିତ ହୋଇ ପଡ଼ୁଛି । ଏହା ଇଲିଶିକୁ ନଦୀର ଉପରମୁଣ୍ଡ ପର୍ଯ୍ୟନ୍ତ ଯିବାରେ ବଡ଼ ବାଧକ ହୋଇଛି । ଆଉ ଏକ ବଡ଼ ସମସ୍ୟା ହୋଇଛି ମତ୍ସ୍ୟଜୀବୀମାନଙ୍କ ଦ୍ବାରା ମଶାରୀ ଜାଲ ବ୍ୟବହାର । ଏହି ଜାଲ ଦ୍ବାରା ବଡ଼ ମାଛ କ’ଣ ସାନ ମାଛର ଅଣ୍ଡା ବି ଧରାଯିବା ସମ୍ଭବ ହୋଇ ପାରୁଛି । ଯାହା ଫଳରେ ଇଲିଶି ଅଣ୍ଡା ମଧ୍ୟ ନଷ୍ଟ ହୋଇ ଯାଉଛି ଓ ଯେଉଁ କିଛି ଇଲିଶି ଜାଆଁଳ ପ୍ରତିକୂଳ ପରିସ୍ଥିତିରେ ସୁଦ୍ଧା ବର୍ତି ଯାଉଛନ୍ତି ତାହା ମଶାରି ଜାଲରେ ପଡ଼ୁଛନ୍ତି । ତେଣୁ  ନଦୀରେ ମଶାରି ଜାଲ ବ୍ୟବହାର ନ କରିବା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ନିଷେଧାଦେଶ ଜାରି କରିଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି ।  ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅନ୍ୟ ମାଛ ପରି ଇଲିଶି ମାଛର ଚାଷ ମଧ୍ୟ ସମ୍ଭବ ହୋଇପାରି ନାହିଁ । ଫଳରେ ଇଲିଶି ବଂଶ ଲୋପ ପାଇବାକୁ ବସିଛି ।

 

 

 

Comments are closed.