ଗାଁ ବିକାଶରେ ଅଡୁଆ ପଥର ରାସ୍ତା ; ଅଟକୁଛି ଜରୁରୀକାଳୀନ ସ୍ବାସ୍ଥ୍ୟସେବା

ଜେମାଦେଇପେଣ୍ଠ :  ସୀମାନ୍ତ ଗାଁକୁ ପକ୍କା ରାସ୍ତା ନାହିଁ। ପ୍ରଶାସନ ପକ୍ଷରୁ ରାସ୍ତା ତିଆରି ଆରମ୍ଭ କରାଯାଇଥିଲା। କିନ୍ତୁ ପାହାଡ ଉପରେ ପଥର କାଟି ରାସ୍ତା ତିଆରିକୁ ଜଙ୍ଗଲ ବିଭାଗ ବିରୋଧ କଲା। ରାସ୍ତା ତିଆରି ହେବାର କିଛିଦିନ ପରେ ବନ୍ଦ ହୋଇଗଲା। ଅନୁମତି ପରେ ସମ୍ପୃକ୍ତ ଠିକାଦାର ରାସ୍ତା ତିଆରି ଆରମ୍ଭ କଲା। ଅଦ୍ୟାବଧି ରାସ୍ତା କାମ ଶେଷ ହୋଇପାରିଲା ନାହିଁ। ଗାଁ ବିକାଶରେ ପଥର ରସ୍ତା ଅଡ଼ୁଆ ସୃଷ୍ଟି କରୁଛି। ଅଟକି ଯାଉଛି ଜରୁରୀକାଳୀନ ସ୍ବାସ୍ଥ୍ୟସେବା। ସୀମାନ୍ତ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏପରି ଚିତ୍ର ରାୟଗଡ଼ା ଜିଲା ଜେମାଦେଇପେଣ୍ଠ ପଞ୍ଚାୟତ ମାଉରିଗୁଡା ଗାଁ ରେ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଉକ୍ତ ରାସ୍ତା ତିଆରି ଆରମ୍ଭ ହୋଇଛି। ବିଭିନ୍ନ କାରଣରୁ କାର୍ଯ୍ୟ ବିଳମ୍ବ ହୋଇଥିବାରୁ ରାସ୍ତା ମରଣଯନ୍ତା ପାଲଟିଛି। ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ରାସ୍ତା ମଝିରେ ବଡ଼ ପଥର ଖଣ୍ଡ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ଚାରି ଚକିଆ ଯାନ ଯିବା ତ ଦୂରର କଥା ଚାଲିକି ଯିବା କଷ୍ଟକର। ଯାତାଯାତରେ ପଡୋଶୀ ଆନ୍ଧ୍ରର ବିରିପଡୁ ଗ୍ରାମର ରାସ୍ତା ଭରସା ହୋଇଛି। ଜରୁରୀକାଳୀନ ସେବା ପାଇଁ ଉକ୍ତ ରାସ୍ତା ବ୍ୟବହାର ଯୋଗ୍ୟ ହୋଇପାରୁନି। ପଥର ଖଣ୍ଡ ପାଇଁ ୩ କିଲୋମିଟର ରାସ୍ତା ପାରି ହେବାକୁ ୧୮ କିଲୋମିଟର ବୁଲିକରି ଯିବାକୁ ପଡୁଛି ବୋଲି ଗ୍ରାମର ମହେଶ ମଣ୍ଡ।ଙ୍ଗି ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅଧିକାରୀ ପାହାଡ ତଳେ ଚାରି ଚକିଆ ଯାନ ରଖି ଚାଲି ଚାଲି ଉକ୍ତ ଗ୍ରାମକୁ ଆସୁଥିଲେ ହେଁ ଉକ୍ତ ରାସ୍ତାକୁ ଦୃଷ୍ଟି ନ ଦେବା ଦୁଃଖର ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକଙ୍କୁ ପଚାରିବାରୁ ପଥର ଖଣ୍ଡ ଥିବାରୁ ଗମନାଗମନ ପାଇଁ ଅସୁବିଧା ନିଶ୍ଚିତ ଦୁଃଖର ବିଷୟ। ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Comments are closed.