ମହଙ୍ଗା ଔଷଧ : ସମସ୍ୟା ଉତ୍କଟ ହେବା ପୂର୍ବରୁ ପଦକ୍ଷେପ ଆବଶ୍ୟକ

ଯାହା ଆଶଙ୍କା କରାଯାଉଥିଲା ତାହା ଘଟିବାକୁ ଯାଉଛି। ଚୀନ୍ କମ୍ପାନୀ ଦ୍ୱାରା ବିକଶିତ ଆପ୍ ଓ ଚୀନ୍ ବ୍ୟାଙ୍କର ନିବେଶ ଉପରେ ଭାରତ ସରକାର କଟକଣା ଜାରି କରିବା ପରେ ଚୀନ୍ ଏପିଆଇ(ଔଷଧ କଞ୍ଚାମାଲ୍) ରପ୍ତାନି ମୂଲ୍ୟ ବଢ଼ାଇ ଦେଇଛି। ଏ କ୍ଷେତ୍ରରେ ଚୀନ୍ ‘ଯେସାକୁ ତେସା’ ନୀତି ଆପଣେଇ ଏପିଆଇ ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ କରିବାର ସମ୍ଭବନା କ୍ଷୀଣ। କାରଣ ଚୀନ୍ ଯଦି ସେଭଳି ପଦକ୍ଷେପ ନିଏ ତେବେ ବିଶ୍ୱରେ ତାର ଭାବମୂର୍ତ୍ତି ଆହୁରି କଳଙ୍କିତ ହେବ। ଏତଦ୍‌ବ୍ୟତୀତ ଆମେରିକା ଓ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ତିକ୍ତତା ପରେ ଚୀନର ଔଷଧ ଶିଳ୍ପ ପାଇଁ ଭାରତ ଏ ପର୍ଯ୍ୟନ୍ତ ଏକ ନିର୍ଭରଯୋଗ୍ୟ ଓ ବିଶାଳ ବଜାର ରୂପେ ପରିଗଣିତ ହୋଇଛି। ତେଣୁ ଚୀନ୍ ନିଜର ସ୍ୱଭାବଗତ ଚରିତ୍ର ଅନୁଯାୟୀ ଭାରତକୁ ରପ୍ତାନି ହେଉଥିବା ଏପିଆଇ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ନ କରି ମୂଲ୍ୟ ବୃଦ୍ଧି କରିଛି। ଚୀନର ଏହି ପଦକ୍ଷେପ ପରେ ଭାରତରେ ଅଧିକାଂଶ ଔଷଧ ମୂଲ୍ୟ ୧୦% ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସରକାରୀ ମାଗଣା ଔଷଧ କିମ୍ବା ଜନୌଷଧି (ଜେନେରିକ୍ ଔଷଧ) ସବୁ ଅଞ୍ଚଳରେ ଉପଲବ୍ଧ ନଥିବାରୁ ଭାରତର ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରର ଚିକିତ୍ସା ଖର୍ଚ୍ଚ ଆହୁରି ଏହା ପରେ ବୃଦ୍ଧି ପାଇବ।
ବିଡ଼ମ୍ବନା ହେଉଛି, ବିଶ୍ୱର ଅନେକ ଦେଶକୁ ଜେନେରିକ୍ ମେଡିସିନ୍ ବା ଅତି କମ୍ ମୂଲ୍ୟରେ ଔଷଧ ରପ୍ତାନି କରୁଥିବା ଦେଶ ମଧ୍ୟରେ ଅଗ୍ରଣୀ ଥିବା ଭାରତ ଏପିଆଇ ପାଇଁ ଚୀନ୍ ଉପରେ ନିର୍ଭରଶୀଳ। ଫାର୍ମାସ୍ୟୁଟିକାଲ୍ ଏକ୍ସପୋର୍ଟ ପ୍ରମୋସନ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସୂଚନା ଅନୁଯାୟୀ ଭାରତ ଗତ ଆର୍ଥିକ ବର୍ଷରେ ୩୯୦ କୋଟି ଡଲାର ମୂଲ୍ୟର ଜେନେରିକ୍ ଔଷଧ ରପ୍ତାନି କରିଥିଲା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଦୁଇଗୁଣ। ଭାରତରେ ଏପିଆଇ ଉତ୍ପାଦନ ପାଇଁ ଭିତ୍ତିଭୂମି କିମ୍ବା ଜ୍ଞାନକୌଶଳର ଅଭାବ ମଧ୍ୟ ନାହିଁ। ତଥାପି ଏପିଆଇ(ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନଗ୍ରିଡିଆଣ୍ଟ) ପାଇଁ ଭାରତ ଚୀନ୍ ଉପରେ ନିର୍ଭରଶୀଳ କାହିଁକି? ଏହାର କାରଣ ହେଉଛି ଭାରତୀୟ ଔଷଧ ଉତ୍ପାଦକ ସଂସ୍ଥା ବା କମ୍ପାନୀମାନଙ୍କ ବ୍ୟାବସାୟିକ ଦୃଷ୍ଟିକୋଣ ଓ ସରକାରୀ ଉଦାସୀନତା। ଭାରତରେ ଉତ୍ପାଦିତ ଏପିଆଇ ମୂଲ୍ୟ ଚୀନରୁ ଆମଦାନୀ ଏପିଆଇ ମୂଲ୍ୟ ତୁଳନାରେ ୨୦%ରୁ ୩୦% ଅଧିକ ହେଉଛି। ସେହି ଅନୁସାରେ ଔଷଧର ଉତ୍ପାଦନ ଖର୍ଚ୍ଚ ଓ ବଜାର ମୂଲ୍ୟ ମଧ୍ୟ ଅଧିକ ରହୁଥିବାରୁ ଭାରତୀୟ କମ୍ପାନୀମାନେ ଚୀନରୁ ଏପିଆଇ ଆମଦାନୀ କରିବାକୁ ଉଚିତ୍ ମଣୁଛନ୍ତି। ଉଲ୍ଲେଖନୀୟ, ବିଗତ ଶତାବ୍ଦୀର ୯୦ ଦଶକ ପର୍ଯ୍ୟନ୍ତ ଭାରତ ଉଭୟ ଔଷଧ ଓ ଏପିଆଇ ଉତ୍ପାଦନରେ ପ୍ରାୟତଃ ଆତ୍ମନିର୍ଭରଶୀଳ ଥିଲା; କିନ୍ତୁ ଜଗତୀକରଣ ପରେ ବିଶେଷକରି ବିଗତ ଦୁଇ ଦଶନ୍ଧିରେ ଏପିଆଇ ପାଇଁ ଆମଦାନୀକୁ ଅଗ୍ରାଧିକାର ଦେଲା। ଏହାର ସୁଯୋଗ ନେଇ ଚୀନ୍ ଭାରତୀୟ ଔଷଧ ବଜାରରେ ଆଧିପତ୍ୟ ବିସ୍ତାର କରିଚାଲିଛି। ଭାରତରେ ଆବଶ୍ୟକ ଏପିଆଇର ୮୦% ଚୀନ୍‌ରୁ ଆମଦାନୀ ହେଉଛି।
ଏବେ ଭାରତରେ ଥିବା ଏପିଆଇ ଉତ୍ପାଦନ ୟୁନିଟଗୁଡ଼ିକର ସମ୍ପୂର୍ଣ୍ଣ କ୍ଷମତାର ମାତ୍ର ୩୦% ଉପଯୋଗ ହେଉଛି। ତେଣୁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଲେ ଏପିଆଇରେ ଭାରତ ଆତ୍ମନିର୍ଭରଶୀଳ ହେବା ଅସମ୍ଭବ ନୁହେଁ, କିନ୍ତୁ ଏ ଦିଗରେ ଆଉ ଏକ ବାଧକ ହେଉଛି ଭାରତରେ ଭିତ୍ତିଭୂମି ବିକାଶ ଓ ସରକାରୀ ପ୍ରୋତ୍ସାହନର ଅଭାବ। ଏ କ୍ଷେତ୍ରରେ ଭାରତର ନୀତି ନିର୍ଦ୍ଧାରକ ଓ ସରକାରୀ ଉପଦେଷ୍ଟାଙ୍କ ଦୂରଦୃଷ୍ଟିର ଅଭାବବୋଧକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଚୀନ୍ ଅତି ଚତୁରତାର ସହିତ ମନ୍ଥର ଗତିରେ ଗତ କିଛି ବର୍ଷ ହେଲା ଏପିଆଇ ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଦେଇଛି। ତେଣୁ ଚୀନ୍ ଯେ କୌଣସି ସମୟରେ ପରିସ୍ଥିତିର ଫାଇଦା ଉଠାଇବ ବୋଲି ଅନୁମାନ କରିବା କଷ୍ଟକର ନୁହେଁ। ତଥାପି ଭାରତ ସରକାର ସେ ଦିଗରେ ଉଦାସୀନ ରହିଥିବା ପରିଲକ୍ଷିତ ହେଉଛି, ଯାହାର ଫଳ ଭାରତର ଗରିବ ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ।
ଭାରତରେ ଏପିଆଇ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ବାଧକ ହେଲା ‘ଇଜ୍ ଅଫ୍ ଡୁଇଂ ବିଜିନେସ୍’ ବା ବ୍ୟବସାୟ ଆରମ୍ଭ କରିବାର ସୁବିଧା ସୁଯୋଗ। ଚୀନ୍‌ରେ ନୂଆ ଏପିଆଇ ଉତ୍ପାଦନକାରୀ କମ୍ପାନୀ ପଞ୍ଜୀକରଣଠାରୁ ମାତ୍ର ୬ ମାସ ମଧ୍ୟରେ ଉତ୍ପାଦନ ଓ ବ୍ୟବସାୟ ଆରମ୍ଭ କରିପାରୁଥିବାବେଳେ ଭାରତରେ ଏଥିପାଇଁ ପ୍ରାୟ ହାରାହାରି ୬ ବର୍ଷ ଲାଗି ଯାଉଛି। ଲାଇସେନ୍ସ ନବୀକରଣ ପ୍ରକ୍ରିୟା ମଧ୍ୟ ଭାରତରେ ଜଟିଳ ଓ ସମୟସାପେକ୍ଷ। ପୁଣି ଯେଉଁ କେତେକ ଭାରତୀୟ କମ୍ପାନୀ ବା ବିଦେଶୀ କମ୍ପାନୀ ଭାରତରେ ଏପିଆଇ ଉତ୍ପାଦନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ରପ୍ତାନିଭିତ୍ତିକ ବ୍ୟବସାୟ ପାଇଁ ଅନୁମତି ପାଇଛନ୍ତି। ଅର୍ଥାତ୍ ଭାରତରେ ଉତ୍ପାଦନ କରୁଥିଲେ ମଧ୍ୟ ଭାରତୀୟ ବଜାରରେ ସେମାନଙ୍କ ଉତ୍ପାଦକୁ ବିକ୍ରି କରିପାରିବେ ନାହିଁ; କେବଳ ରପ୍ତାନି କରିପାରିବେ।
ଲଦାଖ୍ ସୀମାରେ ଉତ୍ତେଜନା ପରେ ଚୀନରୁ ଭାରତ ଆସୁଥିବା ବିଭିନ୍ନ ସାମଗ୍ରୀ ଉପରେ ଭାରତ ସରକାର କଟକଣା ଜାରି କରିଥିଲେ ମଧ୍ୟ ଔଷଧ ସାମଗ୍ରୀ ଓ ଏପିଆଇକୁ ଯଥାଶୀଘ୍ର ଅନୁମତି ଦେବା ପାଇଁ ଭାରତୀୟ ସୀମା ଓ ବନ୍ଦର ବାଣିଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏଥିରୁ ଭାରତର ବିବଶତା ବାରି ହୋଇପଡ଼ୁଛି। ଏପିଆଇ ବା ଔଷଧ ଶିଳ୍ପରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ପାଇଁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେଇ ମନୁଷ୍ୟକୃତ ପ୍ରତିବନ୍ଧକ ହଟାଇବାକୁ ପଡ଼ିବ। ‘ଆତ୍ମନିର୍ଭରଶୀଳ ଭାରତ’ ଅଭିଯାନରେ ଔଷଧ କ୍ଷେତ୍ରକୁ ପ୍ରଥମ ଅଧିକାର ନ ଦେଲେ ଭବିଷ୍ୟତରେ ଦେଶ ଓ ଦେଶବାସୀ ଆହୁରି ଗୁରୁତର ସ୍ୱାସ୍ଥ୍ୟଗତ ସଙ୍କଟର ସମ୍ମୁଖୀନ ହେବେ। ତେଣୁ ଚୀନର ଏପିଆଇ ଦରବୃଦ୍ଧିକୁ ଏକ ସତର୍କ ଘଣ୍ଟି ରୂପେ ଗ୍ରହଣ କରି ଭାରତ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ଲାଇସେନ୍ସ ରାଜ ହଟିଥିବା ଘୋଷଣା କେବଳ କାଗଜପତ୍ରରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି। ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଯଥାସମ୍ଭବ ଉଦାର ଓ ସ୍ପଷ୍ଟ ନୀତି ସହିତ ଟିକସ ପ୍ରୋତ୍ସାହନ ଘୋଷଣା କଲେ ଚୀନର ଆଭିମୁଖ୍ୟକୁ ପଣ୍ଡ କରି ଭାରତ ଓ ଭାରତବାସୀଙ୍କୁ ସୁରକ୍ଷା ଦେବା ସମ୍ଭବ ହେବ।

Comments are closed.