ଜାପାନରେ ‘ହିଗିବିସ’ ତାଣ୍ଡବ: ୨୨୫ କି.ମି. ବେଗରେ ବହୁଛି ପବନ, ଭୁସ୍ଖଳନ ଓ ବନ୍ୟାରେ ୧୧ ମୃତ

ଟୋକିଓ: ଜାପାନରେ ସାମୁଦ୍ରିକ ଝଡ଼ ‘ହିଗିବିସ’ ତାଣ୍ଡବ ରଚିଛି। ବାତ୍ୟା ପ୍ରଭାବରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଭୁସ୍ଖଳନ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ପବନରେ ବେଗ ଘଣ୍ଟା ପ୍ରତି ୨୨୫ କିଲୋମିଟର ରହିଛି। ବିଭିନ୍ନ ସ୍ଥାନରେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୭୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି।

ଜାପାନର ପ୍ରମୁଖ ଦ୍ବୀପ ହୋଂଶୁ ଆଇଲାଣ୍ଡରେ ଗତ ଶନିବାର ରାତି ୭ଟାରେ ସାମୁଦ୍ରିକ ଝଡ଼ ‘ହିଗିବିସ’ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ପରେ ଜାପାନର ପ୍ରମୁଖ ସହର ଟୋକିଓ, ଇଜୁ ଏବଂ ଇଲୁଓକାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। ବିଗତ ୬ ଦଶନ୍ଧି ମଧ୍ୟରେ ଜାପାନରେ ଏହା ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହାଯାଉଛି। ବାତ୍ୟା ଯୋଗୁ ଗମନାଗମନ ଏବଂ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ସହରାଞ୍ଚଳରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ଟୋକିଓରେ ଅଟକି ରହିଛି। ଏହାବ୍ୟତୀତ ଅନେକ ବୁଲେଟ୍‌ ଟ୍ରେନ ଏବଂ ରାଜଧାନୀରେ ଥିବା ୨ଟି ବିମାନବନ୍ଦରରୁ ବିମାନ ଚଳାଚଳକୁ ବାତିଲ କରାଯାଇଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଦେଶରେ ଚାଲିଥିବା ୨ଟି ବଡ଼ ଗେମ୍ସ ପ୍ରଭାବିତ ହୋଇଛି। ରଗ୍‌ବୀ ବିଶ୍ଵ କପ୍‌ର ୨ଟି ମ୍ୟାଚ ବାତିଲ କରାଯାଇଛି। ୩୨ ବର୍ଷର ଇତିହାସ ମଧ୍ୟରେ ପ୍ରଥମ ଥର ଲାଗି ମ୍ୟାଚ ବାତିଲ ହୋଇଛି। ସେହିପରି ଜାପାନିଜ ଗ୍ରାଣ୍ଡ ପ୍ରିକ୍ସକୁ ସ୍ଥଗିତ ରଖାଯାଇଛି।

Comments are closed.