ଉଚ୍ଚଶିକ୍ଷା ବିଭାଗର ନିୟମକୁ ସଫଳତା : ବଢୁଛି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଅଧ୍ୟାପକଙ୍କ ଉପସ୍ଥିତି

ସବୁ ଶିକ୍ଷାନୁଷ୍ଠାନରେ ଲାଗିବ ବା​‌େ​‌ୟାମେଟ୍ରିକ୍‌ ସବୁ ଶିକ୍ଷାନୁଷ୍ଠାନରେ ଲାଗିବ ବାୟୋ‌ମେଟ୍ରିକ୍‌

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଅଧ୍ୟାପକଙ୍କ ଉପସ୍ଥିତି ବୃଦ୍ଧି ପାଇଁ ହୋଇଥିବା ନୂଆ ନିୟମକୁ ସଫଳତା ମିଳିଛି। ଏହି ନିୟମ ଲାଗୁ ହେବାକୁ ପ୍ରାୟ ଦୁଇମାସ ବିତିଥିବାବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ପାଉଥିବାବେଳେ ଅଧ୍ୟାପକମାନେ ମଧ୍ୟ ପୂର୍ବାପେକ୍ଷା ଅଧିକ ସମୟ ରହି ପାଠପଢାଉଛନ୍ତି। ଏହି ସଫଳତାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍‌ ଉପସ୍ଥାନ ଯୋଗୁଁ ଅଧ୍ୟାପକଙ୍କ ରହଣି ସମୟ ବଢୁଥିବାରୁ ବିଭାଗ ପକ୍ଷରୁ ଏଭଳି ଯୋଜନା କରାଯାଇଛି।
ଅଧ୍ୟାପକମାନେ ଶିକ୍ଷାନୁଷ୍ଠାନରେ ୫ ଘଣ୍ଟା ପରିବର୍ତ୍ତେ ୭ ଘଣ୍ଟା ରହିବା ନିୟମ ହେବା ପରେ ଉପସ୍ଥିତି ବଢିବା ସହ ପାଠପଢା ମଧ୍ୟ ଅଧିକ ହେଉଛି। ତେବେ କିଛି ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ନ ଥିବାରୁ ଅଧ୍ୟାପକଙ୍କ ରହଣି ସମୟ ମାପିବା ବିଭାଗ ପାଇଁ ସମ୍ଭବ ହୋଇପାରୁନି। ଖୁବ୍‌ଶୀଘ୍ର ବିଭାଗ ପକ୍ଷରୁ କେତେ ମହାବିଦ୍ୟାଳୟର ବାୟୋମେଟ୍ରିକ୍‌ ବ୍ୟବସ୍ଥା ଅଛି ଚିହ୍ନଟ କରାଯିବ। ତାଲିକା ମିଳିବା ପରେ ଯେଉଁ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ନଥିବା ସେଠାରେ ତୁରନ୍ତ ସ୍ଥାପନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯିବ। ଏ ବିଷୟରେ ଖୁବ୍‌ଶୀଘ୍ର ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ ୭୫%ରୁ କମ୍‌ ଉପସ୍ଥାନ ହେଲେ ପରୀକ୍ଷାରୁ ବଞ୍ଚିତ ହେବା ନେଇ ନିୟମ କରାଯାଇଥିଲା। ଏହାଦ୍ବାରା ଉପସ୍ଥାନ ବଢୁଥିବାବେଳେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ ଅଭିଭାବକଙ୍କୁ ଜଣାଯିବା ପରେ ଏହା ମଧ୍ୟ ବୃଦ୍ଧି ପାଇଛି। ରାଜଧାନୀରେ ଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତାଲିକା ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ୭୫ %ରୁ କମ୍‌ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ବିଭାଗୀୟ ମୁଖ୍ୟମାନେ ଅବଗତ କରୁଛନ୍ତି। ଅଧ୍ୟକ୍ଷା ଡ.ସୁପ୍ରଭା ପଟ୍ଟନାୟକ କହିଛନ୍ତି ନୂଆ ନିୟମ ଲାଗୁ ପରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ବହୁଳ ଭାବେ ବୃଦ୍ଧି ପାଇଛି। ସେହିପରି ମହର୍ଷି ମହାବିଦ୍ୟାଳୟରେ ପ୍ରତ୍ୟେକ ଦିନ ବିଦ୍ୟାର୍ଥୀଙ୍କ ଉପସ୍ଥାନ ତାଲିକା ପ୍ରସ୍ତୁତ କରାଯାଇଛି। ଅନୁପସ୍ଥିତ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଅବଗତ କରାଯାଉଛି। ଏହାବ୍ୟତୀତ ବିଶ୍ବବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ବାୟୋମେଟ୍ରିକ୍‌ ଉପସ୍ଥାନରେ ଅଧ୍ୟାପକଙ୍କ ଉପସ୍ଥିତି କଡ଼ାକଡ଼ି ଯାଞ୍ଚ କରାଯାଇଛି। ବିଦ୍ୟାର୍ଥୀ ଓ ଅଧ୍ୟାପକଙ୍କ ଉପସ୍ଥିତି ବଢୁଥିବାରୁ ପାଠ ପଢା ପୂର୍ବ ବର୍ଷ ଅପେକ୍ଷା ଆଗେଇଥିବା ଅଧ୍ୟକ୍ଷ ଡ.ବିଜୟ କୁମାର ବାରିକ କହିଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି ବିଦ୍ୟାର୍ଥୀଙ୍କର ଉପସ୍ଥାନ ବଢିବା ଓ ଉତ୍ତମ ଶିକ୍ଷାଦାନ ପାଇଁ ଅଧ୍ୟାପକଙ୍କର ସାତଘଣ୍ଟା ରହିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ବିଭାଗକୁ ମିଳିଥିବା ସୂଚନା ଅନୁଯାୟୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ଯୋଗଦାନ ସଠିକ୍‌ ହେଉଥିବାରୁ ଉପସ୍ଥିତି ବଢିଛି। ଅନୂରୂପ ଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାୟୋମେଟ୍ରିକ୍‌ ବ୍ୟବସ୍ଥା ଆଗାମୀ ଦିନରେ ସବୁ ମହାବିଦ୍ୟାଳୟରେ ଲାଗୁ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଅଭିଭାବକଙ୍କର ଭାଗିଦାରୀ ବଢାଇବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି।

Comments are closed.