ଏଥର ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା

- କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁ ବିଶ୍ବବିଦ୍ୟାଳୟର ଏକକ ଭାବେ ନାମଲେଖା କରିବା ପାଇଁ ପ୍ରଥମଥର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରବେଶିକା ଓ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ସୁଦ୍ଧା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେହିପରି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ ମହାବିଦ୍ୟାଳୟର ସ୍ଥଗିତ ସ୍ନାତକ(+୩) ପାଠ୍ୟକ୍ରମର ଷଷ୍ଠ ବା ଅନ୍ତିମ ସେମିଷ୍ଟର ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ। ସ୍ନାତକ ପାଠ୍ୟକ୍ରମର ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ବୁଧବାର ପୂର୍ବାହ୍ନରେ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଭିଡିଓ କନ୍‍ଫରେନ୍ସିଂ ଜରିଆର ଆଲୋଚନାରେ ଭାଗ ନେଇଥିଲେ। କରୋନା ଯୋଗୁଁ ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବାବେଳେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷା ଦାନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ବିବିଧ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‍ ଓ ଇ-ଲର୍ଣ୍ଣିଂ ପ୍ରକ୍ରିୟାକୁ ଗୁରୁତ୍ବ ଦେବାକୁ ୟୁଜିସି ପକ୍ଷରୁ କୁହାଯାଇଥିଲା। ଏନେଇ ବୈଠକରେ ଆଲୋଚନା ହେବା ସହ ଅନ୍‌ଲାଇନ୍‌ ପାଠପଢା ସମ୍ବନ୍ଧରେ ଯୋଜନା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟି ଖୁବ୍‌ ଶୀଘ୍ର ବିଭାଗକୁ ତାର ରିପୋର୍ଟ ପ୍ରଦାନ କରିବ। ରାଜ୍ୟର ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାର ସ୍ଥିିତି ଓ ଯୋଜନାକୁ ନେଇ ଏହି କମିଟି ରିପୋର୍ଟ ଦେବ। ଅନ୍‌ଲାଇନ୍‌ ଶିକ୍ଷାଦାନ ଚାଲିଲେ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବା ସହ ଶିକ୍ଷାଦାନ ବ୍ୟବସ୍ଥା ସୁଦୃଢ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମର ଚତୁର୍ଥ ତଥା ଶେଷ ସିମେଷ୍ଟର ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବା ସହ ସେପ୍ଟେମ୍ବର ୨୦ ସୁଦ୍ଧା ଫଳ ପ୍ରକାଶ କରାଯିବ। ଆସନ୍ତାକାଲି ଅର୍ଥାତ୍‌ ଚଳିତ ମାସ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରଶାସନିକ କାର୍ୟ୍ୟ କରିବା ପାଇଁ ଶିକ୍ଷାନୁଷ୍ଠାନ ଖୋଲାଯିବ। ତେବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ପ୍ରଶାସନିକ କାମ କରିପାରିବେ। ଛାତ୍ରଛାତ୍ରୀଙ୍କର ପାଠପଢା ଏହି ସମୟରେ ବନ୍ଦ ରହିବ। ଜୁନ୍‌ ୧୭ ପରେ ଶିକ୍ଷାନୁଷ୍ଠାନ ଖୋଲିବ ଓ ଛାତ୍ରଛାତ୍ରୀ ଆସିପାରିବେ। ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ହେବାକୁ ଥିବା ପରୀକ୍ଷା ସୂଚୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରସ୍ତୁତ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଗୁଆ ସୂଚାନା ପ୍ରଦାନ କରିବେ। ପିଜି ନାମଲେଖା ପାଇଁ ଛାତ୍ରଛାତ୍ରୀ ଗୋଟିଏ ଥରେ ଆବେଦନ କରି ନିଜ ଇଚ୍ଛା ମୁତାବକ ଏକାଧିକ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଫର୍ମ ପକାଇପାରିବେ। ସେହିପରି ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବା ସହ ମେଧା ତାଲିକା ପ୍ରକାଶ କରାଯିବ।

ପ୍ରତି ୧୫ ଦିନରେ ଥରେ କୁଳପତିଙ୍କ ସହିତ ଭିଡିଓ କନ୍‍ଫରେନ୍ସିଂରେ ବୈଠକ କରାଯାଇ ସ୍ଥିତିର ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟ କୁଳପତିମାନେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାଗନେଇଥିଲେ।

Comments are closed.