୫୦% କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ ଚାଲିବ

କଟକ: ୫୦% କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏଥି ପାଇଁ ସବୁ ବିଭାଗର ଅଧୀକ୍ଷକ ପ୍ରତି କାର୍ଯ୍ୟ ଦିବସରେ ଦାୟିତ୍ବ ବଣ୍ଟନର ଯୋଜନାବଦ୍ଧ ତାଲିକା ବ୍ୟବସ୍ଥା (ରୋଷ୍ଟର ଆରେଞ୍ଜମେଣ୍ଟ) କରିବେ। ୫୦% କର୍ମଚାରୀ ଯେପରି ସବୁ କାର୍ଯ୍ୟଦିବସରେ ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରାଯିବ। ପ୍ରତି ବିକଳ୍ପ କାର୍ଯ୍ୟଦିବସରେ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। କର୍ମଚାରୀମାନେ ମୁଖ୍ୟାଳୟ ଛାଡ଼ିବେ ନାହିଁ। ସବୁବେଳେ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିବେ। ସେମାନଙ୍କୁ ଯେ କୌଣସି ସମୟରେ ଫୋନ୍ ଯୋଗେ ଡକାଯାଇପାରେ।

କାର୍ଯ୍ୟ ଦିବସରେ ଯଦି ମୁଖ୍ୟାଳୟରେ ଜଣେ କର୍ମଚାରୀ ଅନୁପସ୍ଥିତ ରହିଥବା ଜଣା ପଡ଼େ ତେବେ ଉକ୍ତ ଦିବସକୁ ତାଙ୍କର କାଜୁଆଲ ଲିଭ୍ ଭାବେ ଗ୍ରହଣ କରାଯିବ। ଏଥି ସହିତ ହାଇକୋର୍ଟରେ ନୂଆ ମାମଲା ଦାଖଲର ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟଦିବସରେ ମାମଲା ରୁଜୁ କରିବାର ସମୟ ଦିନ ୧୦ଟାରୁ ୧ଟା ୩୦ ମିନିଟ ଧାର୍ଯ୍ୟ କରାଯାଇଛି। ଏଥି ସହିତ ନିମ୍ନ ଅଦାଲତ ଓ ପ୍ରାଧିକରଣ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସାନି ନିର୍ଦେଶନାମା ଜାରି କରାଯାଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ପରିସ୍ଥିତିକୁ ବିଚାରକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲା ବିଚାରପତି, ପ୍ରାଧିକରଣ ପ୍ରିଜାଇଡିଂ ଅଫିସରଙ୍କୁ ଆଦେଶ  ଦିଆଯାଇଛି।

Comments are closed.