ମରିବାକୁ ଯାଉଥିବା ବ୍ୟକ୍ତିର ପ୍ରତିଟି ଶବ୍ଦ ସହିତ ପବିତ୍ରତା ଓ ଶୁଦ୍ଧତା ଜଡିତ: ହାଇ‌କୋର୍ଟ

କଟକ: ମରିବାକୁ ଯାଉଥିବା ବ୍ୟକ୍ତିର ପ୍ରତିଟି ଶବ୍ଦ ସହିତ ପବିତ୍ରତା ଓ ଶୁଦ୍ଧତା ଜଡିତ। କାରଣ ମୃତ୍ୟୁର ଦ୍ବାରଦେଶରେ ଥିବା ବ୍ୟକ୍ତି ମିଛ କହି ନଥାଏ କିମ୍ବା ମନଗଢା କଥା କହି ନିର୍ଦ୍ଦୋଷକୁ କୌଣସି ଅପରାଧରେ ସଂପୃକ୍ତ ‌େବାଲି ଦର୍ଶାଇ ନଥାଏ; ତଥାପି ମୃତକଙ୍କ ବୟାନ ଉପରେ ଅଦାଲତଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ଆବେଦନର ଶୁଣାଣି କରି ମୃତ୍ୟୁକାଳୀନ ଜମାନବନ୍ଦୀର ଗ୍ରହଣୀୟତା ପ୍ରସଙ୍ଗରେ ଏପରି ରାୟ ଦେଇଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ମୃତ୍ୟୁ ପୂର୍ବରୁ ରେକର୍ଡ କରାଯାଇଥିବା ବୟାନ ସଂପୃକ୍ତ ବ୍ୟକ୍ତିଙ୍କୁ ନିର୍ଯାତନାର, ପ୍ରରୋଚନାର କିମ୍ବା ତାଙ୍କ ଭାବନାର ଫଳାଫଳ ବା ନୁହେଁ ତାହା ବିଚାରକୁ ନିଆଯାଇଥାଏ। ଏଭଳି ବୟାନ ଦେବା ପାଇଁ ସଂପୃକ୍ତ ବ୍ୟକ୍ତି ସୁସ୍ଥ ମାନସିକ ଅବସ୍ଥାରେ ଥି‌ଲେ ବା ନାହିଁ ତାହା ଅଦାଲତ ସୁନିଶ୍ଚିତ ହେବା ଆବଶ୍ୟକ। ମୃତ୍ୟୁକାଳୀନ ଜମାନବନ୍ଦୀ କୌଣସି ପ୍ରକାର ପ୍ରଭାବିତ ‌ନ ହୋଇ ଓ ବିଦ୍ବେଷ ଭାବ ନ ରଖି ଦିଆଯାଇଛି ବୋଲି ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ। ମୃତ୍ୟୁକାଳୀନ ଜମାନବନ୍ଦୀ ଯଦି ସ୍ବେଚ୍ଛାକୃତ ଭାବେ ଦିଆଯାଇଛି ଓ ଏଥିରେ ସତ୍ୟତା ରହିଛି ବୋଲି ଅଦାଲତ ଥରେ ଗ୍ରହଣ କରନ୍ତି ତେବେ ଅନ୍ୟ କୌଣସି ପ୍ରମାଣ ବା ସମର୍ଥନ ଦୋଷୀସାବ୍ୟସ୍ତ ପାଇଁ ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ମାମଲାରେ ମେଡିକାଲ ଅଫିସର ରେକର୍ଡ କରିଥିବା ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଚାରକୁ ନେଇ ଖଣ୍ଡପୀଠ ଆବେଦନକାରୀ ମହମ୍ମଦ ୱାସିମଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ୱାସିମଙ୍କୁ ସର୍ତ୍ତ ରଖି ଜାମିନରେ ଛାଡିବେ ବୋଲି ଖଣ୍ଡପୀଠ ନି​‌ର୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବା ସହିତ ଜାମିନର ଅପବ୍ୟବହାର ନ କରିବା ପାଇଁ ୱାସିମଙ୍କୁ ନି‌େ​‌ର୍ଦଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ନଭେମ୍ବର ୧୫ରେ ୱାସିମଙ୍କର ପତ୍ନୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ନଭେମ୍ବର ୧୬ ତାରିଖ ଦିନ ୱାସିମ ପତ୍ନୀଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍କ ଭାଇଙ୍କ ଏଭଳି ଅଭିଯୋଗ ଆଧାରରେ ରାଇରଙ୍ଗପୁର ବହଳଦା ଥାନା ପୁଲିସ ‌ଯୌତୁକଜନିତ ହତ୍ୟାକାଣ୍ଡ ମାମଲା ରୁଜୁକରି ୱାସିମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୀଡ଼ିତା ଚିକିତ୍ସିତ ‌ହେଉଥିବାବେଳେ ମେଡିକାଲ ଅଫିସର ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲେ। ରୋଷେଇ ଘରେ ସେ ଏକା ଥିବାବେଳେ କି‌ରାସିନି ଜାର୍ ଗ୍ୟାସ୍ ଉପରେ ପଡିଯିବାରୁ ନିଆଁ ଲାଗିଯାଇଥିଲା ବୋଲି ପୀଡିତା ତାଙ୍କ ବୟାନରେ କହିଥିଲେ। ଏଥି ସହିତ ଅନ୍ୟ କେତେକ ସାକ୍ଷୀ ମଧ୍ୟ କହିଥିଲେ ଯେ ଏହି ସମୟରେ ୱାସିମ ଘରେ ଉପସ୍ଥିିତ ନଥିଲେ; କିନ୍ତୁ ମେଡିକାଲ ଅଫିସରଙ୍କ ଦ୍ବାରା ରେକର୍ଡ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଶ୍ନାବଳୀ ପଦ୍ଧତିରେ ରେକର୍ଡ କରାଯାଇଥିବାରୁ ଏହାକୁ ନେଇ ସନ୍ଦେହ ରହିଛି ବୋଲି ପ୍ରସିକ୍ୟୁସନ୍ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ନିମ୍ନ ଅଦାଲତ ୱାସିମଙ୍କ ଜାମିନ ଖାରଜ କରିଥିଲେ।

Comments are closed.