ଆଜି ଶପଥ ନେବେ ମୋଦୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ପରେ ଗୁରୁବାର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଭବନଠାରେ ସନ୍ଧ୍ୟା ୭ଟାରେ ଏକ ଭବ୍ୟ ସମାରୋହରେ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୋଦୀ ତଥା ତାଙ୍କର ନୂତନ ମନ୍ତ୍ରିମଣ୍ଡଳକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ଚଳିତଥର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ​‌େ​‌ର ଅତିଥି ସଂଖ୍ୟା ରେକର୍ଡ ଛୁଇଁବ। ୨୦୧୪ରେ ମୋଦୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ବେଳେ ପାଖାପାଖି ୫,୦୦୦ ଅତିଥି ଯୋଗ ଦେଇଥିଲେ। ଏଥର ଅତିଥି ସଂଖ୍ୟା ପାଖାପାଖି ୬୫୦୦ ରହିଛି। ଏହି କାର୍ଯ୍ୟକ୍ରମରେ ବିମାଷ୍ଟେକ (ବହୁ କ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗୀତା ନେଇ ବଙ୍ଗୋପସାଗର ତଟବର୍ତ୍ତୀ ରାଷ୍ଟ୍ର ସମୂହର ପଦକ୍ଷେପ) ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଅତିଥି ଭାବେ ଯୋଗ ଦେବେ। ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, କିରଗିଜ ରିପବ୍ଲିକ ରାଷ୍ଟ୍ରପତି ସୁରୋନବେ ଜୀନବେକୋଭ, ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଉଥ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ଶେରିଂ ଏବଂ ଥାଇଲାଣ୍ଡ ସ୍ବତନ୍ତ୍ର ପ୍ରତିନିଧି ଗ୍ରିସାଦା ବୁନରାଚଙ୍କ ନାମ ଅତିଥି ତାଲିକାରେ ରହିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶୈଖ ହାସିନା ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବାରୁ ଏଥର ମଧ୍ୟ ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ସେହିଭଳି ବିରୋଧୀ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜେଡିଏସ୍‌ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. ଦେବେ ଗୌଡା, ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଛି। ତେବେ ମମତା ଏବଂ ବିଜୟନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପାଇଁ ଦିଲ୍ଲୀ ଯିବେ ବୋଲି ସେ ନିଜେ ଘୋଷଣା କରିଥିଲେ। ପରେ ସିଦ୍ଧାନ୍ତ ବଦଳ କରିଛନ୍ତି। ତେବେ ଏହି ସିଦ୍ଧାନ୍ତ ପରିବର୍ତ୍ତନର କାରଣ କ’ଣ ତାହା ଆଢ଼ୁଆଳରେ ରହିଥିଲେ ସୁଦ୍ଧା ଚର୍ଚ୍ଚା ହୁଏ ଯେହେତୁ ପୁରୁଲିଆର ନିହତ ବିଜେପି କର୍ମୀଙ୍କ ପରିବାର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସିଦ୍ଧାନ୍ତ ହୋଇଛି, ତେଣୁ ସେ ଦିଲ୍ଲୀ ଯିବା ବାତିଲ କରିଛନ୍ତି। ଏଠାରେ ସଂକୀର୍ଣ୍ଣ ରାଜନୀତି ହେଉଥିବା ଅଭିଯୋଗ ଉଠିଛି। ପୁରୁଲିଆର ବିଜେପି କର୍ମୀ ଦୁଲାଲ କୁମାର, ତ୍ରିଲୋଚନ ମାହାତୋ ଓ ଶିଶୁପାଳଙ୍କ ମୃତ୍ୟୁରେ ରାଜନୈତିକ ଅଭିସନ୍ଧି ନାହିଁ। ତେଣୁ ଏହାକୁ ରାଜନୀତି ରୂପ ଦିଆଯାଉଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ବନ୍ଦ କରିଛନ୍ତି।
ସେହିପରି ଆସନ୍ତାକାଲିର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ନୂଆ ସରକାର ଗଠନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଷୋଡ଼ଶ ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ପାଇଁ ସ୍ଥିର କରାଯାଇଛି। ତେଣୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମା​‌ନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ପାରିବେ ନାହିଁ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ୫୪ ଜଣ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ମୋଦୀଙ୍କ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ମାରାଥନ ବୈଠକରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି। ୨୦୧୮ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ହିଂସାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାରକୁ ଏହି ତାଲିକାରେ ସାମିଲ କରାଯାଇଛି। ପ୍ରତ୍ୟେକ ପରିବାରରୁ ୨ ଜଣ ଲେଖାଏଁ ସଦସ୍ୟ ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ଶପଥ ଗ୍ରହଣର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ କରିଥିଲେ। ୫ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ରାଜନାଥ ସିଂହ, ପୀୟୁଷ ଗୋଏଲ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ନୀତୀନ ଗଡ଼କାରୀ ପ୍ରମୁଖ ନିଜ ପଦ କାଏମ ରଖିବେ ବୋଲି ରିପୋର୍ଟ ମିଳିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୫୪୫ ଆସନ ବିଶିଷ୍ଟ ଲୋକସଭା ଆସନ ମଧ୍ୟରୁ ୩୫୨ଟିରେ ବିଜୟଲାଭ କରିଛି। ମୋଦୀ ବିଜେପିର ପ୍ରଥମ ନେତା ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।

Comments are closed.