ଜାମ୍ମୁ-କାଶ୍ମୀର ସୁରକ୍ଷାକୁ ନେଇ ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୁରକ୍ଷାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି। ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ, ଜାମ୍ମୁ-କାଶ୍ମୀର ଡିଜିପି ଏବଂ ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗର ଯୋଗଦେଇଥିଲେ।

ସୂଚନା ଅନୁସାରେ, ବୈଠକରେ ଜାମ୍ମୁ-କାଶ୍ମୀର ସୀମାନ୍ତରେ ବାରମ୍ବାର ଅନୁପ୍ରବେଶ, ଅସ୍ତ୍ରବିରତି ଉଲ୍ଲଂଘନ ସମେତ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ରାଜ୍ୟରେ ନଜରବନ୍ଦୀ ଥିବା ନେତାମାନଙ୍କ ମୁକ୍ତି, ଇଣ୍ଟରନେଟ ସେବାର ପୁନଃଆରମ୍ଭ ଉପରେ ଆଲୋଚନା ହୋଇଛି। ଏହା ସହିତ ଲଦାଖରେ ପୁଲିସ ମୁଖ୍ୟ ପଦବୀରେ କାହାକୁ ନିଯୁକ୍ତ କରାଯିବ ସେନେଇ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଲଦାଖ ପୁଲିସ ବିଭାଗର ମୁଖ୍ୟ ଭାବେ ପଠାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଲଦାଖ ହେଉଛି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ। ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଏଠାରେ ଜଣେ ଅନୁଭବୀ ପୁଲିସ ଅଧିକାରୀଙ୍କୁ ପଠାଯିବାକୁ ଯୋଜନା ହେଉଛି। ସେହିପରି ଜାମ୍ମୁ-କାଶ୍ମୀର ପୁଲିସ ଡିଜିପି ପଦବୀରେ ବି ପରିବର୍ତ୍ତନ ହେବାର ଅଛି।

Comments are closed.