ରିୟଲ ଇଷ୍ଟେଟ ଆଇନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ବ୍ୟାପକ ପ୍ରସାରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବିଭିନ୍ନ ସମୟରେ ରିୟଲ ଇଷ୍ଟେଟ ସଂପର୍କିତ ବିବାଦକୁ ଅପରାଧିକ ମାମଲାର ରଙ୍ଗ ଦିଆଯିବାକୁ ହାଇକୋର୍ଟ ନା ପସନ୍ଦ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଠକେଇ ମାମଲାରେ ଦାୟର ଜାମିନ ଆବେଦନର ଶୁଣାଣି କରି  ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ବହୁଳ ପ୍ରସାର କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

କୋର୍ଟ କହିଛନ୍ତି, ଜମାକାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଆଇନ କେବେ ରିୟଲ ଇଷ୍ଟେଟ କାରବାର ପାଇଁ ଲାଗୁ ହେବ ନାହିଁ। ଏପରି ଆଇନରେ ଥିବା ବ୍ୟବସ୍ଥା ରିୟଲ ଇଷ୍ଟେଟ ବ୍ୟବସାୟର ନେଣଦେଣ ପ୍ରସଂଗରେ ଲାଗୁ ଦ୍ବାରା ଏକ ଅଯଥା ସ୍ଥିତି ସୃଷ୍ଟି ହେବ। ଏଭଳି ସ୍ଥିତିରେ ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ପ୍ରୟୋଗ ହେବା କଥା। କିନ୍ତୁ ଏହି ଆଇନର ଅନେକ କ୍ଷେତ୍ରରେ ଆଶ୍ରୟ ନିଆ ନ ଯାଇ ପରୋକ୍ଷରେ ଅନ୍ୟ ଉପାୟ ଅବଲମ୍ବନ କରାଯାଉଛି। ଏହା ଦ୍ବାରା ନା ଘର କିଣୁଥିବା ଲୋକର ନା ରିୟଲ ଇଷ୍ଟେଟ ସେକ୍ଟର କାହାର ବି ଲାଭ ହେବ ନାହିଁ।

ରିୟଲ ଇଷ୍ଟେଟ ସଂପତି ବିବାଦ ସମାଧାନ ପାଇଁ ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନରେ ବ୍ୟାପକ ବ୍ୟବସ୍ଥା ରହିଛି। ବିଲ୍ଡର ଓ କିଣୁଥିବା ଲୋକର ସଂପର୍କରୁ ସୃଷ୍ଟି ହେଉଥିବା ଅନାବଶ୍ୟକ ମାମଲା ରୋକିବାକୁ ରେରା ଆଇନର ବହୁଳ ପ୍ରସାରଣ କରିବା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ଏହା ଦ୍ବାରା ଏହି ଆଇନର ଲୋକମାନେ ଆଶ୍ରୟ ନେବା ପାଇଁ ସକ୍ଷମ ହୋଇ ପାରିବେ। ରେରା ଆଇନ ଅଧିନରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କୁ ସମସ୍ତ ସୁବିଧା ପ୍ରଦାନ ସୁନିଶ୍ଚିତ କରାଯିବ। ରିୟଲ ଇଷ୍ଟେଟ ସଂପତି ସଂପର୍କିତ ବିବାଦକୁ ବିପଦପୂର୍ଣ୍ଣ ଭାବେ ଅପରାଧିକ ମାମଲା ପରିସରଭୁକ୍ତ ପ୍ରସଂଗକୁ ରୋକିବାରେ ଏହା ସୁଦୂର ପ୍ରସାରୀ ହେବ ବୋଲି ପ୍ରକାଶିତ ରାୟରେ କୁହଯାଇଛି। ଏଥି ସହିତ ମାମଲାର ଆବେଦନକାରୀ ମ‌ହାଶ୍ବେତା ବିଶ୍ବାଳଙ୍କୁ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଆବେଦନକାରୀ ୨୦୨୦, ଅଗଷ୍ଟ ୨୦ରେ ସତ୍ୟପାଠରେ ଦାଖଲ କରି ଏତଲାକାରୀଙ୍କୁ ଯେତିକି ଅର୍ଥ ଯେଉଁ ସମୟରେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୭ ବର୍ଷ ତଳେ ନିଜକୁ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ ପରିଚୟ ଦେଇ ବିଶ୍ବଭୂଷଣ ବିଶ୍ବାଳଙ୍କୁ  ତାଙ୍କ କମ୍ପାନିରେ ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ଏହି କମ୍ପାନିରେ ଆବେଦନକାରୀ ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ଜଣେ ନିର୍ଦ୍ଦେଶକ ବୋଲି ଅଭିଯୋଗକାରୀଙ୍କୁ କହିଥିଲେ। ଅଭିଯୋଗକାରୀ ୧ କୋଟି ୮୯ ଲକ୍ଷ ଟଙ୍କା ଶ୍ରୀ ବିଶ୍ବାଳ ଓ ଆବେଦନକାରୀଙ୍କ  କମ୍ପାନିରେ ନିବେଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ମୁତାବକ ଅଭିଯୋଗକାରୀଙ୍କୁ ଟଙ୍କା କମ୍ପାନି ପକ୍ଷରୁ ପ୍ରଦାନ କରାଯାଇ ନଥିଲା। ବଦଳରେ ଅଭିଯୋଗକାରୀଙ୍କ ନାଁରେ ଆଇଆରସି ଭିଲେଜରେ ଥିବା ପ୍ଲଟକୁ ପଞ୍ଜୀକରଣ କରାଇବେ ବୋଲି ଶ୍ରୀ ବିଶ୍ବାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ଲଟ ଅନ୍ୟ ଜଣଙ୍କୁ ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲେ ଅଭିଯୋଗକାରୀ।

ଏହାପରେ ପୁଣି ଆପୋଷରେ ମାମଲାର ସମାଧାନ ହୋଇଥିଲା ଓ ଏ ନେଇ ଏକ ଚୁକ୍ତିପତ୍ର ୨୦୧୭, ଜାନୁଆରି ୨୫ରେ ସ୍ବାକ୍ଷରିତ ହୋଇଥିଲା। ଶ୍ରୀ ବିଶ୍ବାଳ ଓ ଆବେଦନକାରୀ ୧ କୋଟି ୭୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଦେବା ଲାଗି ବୋଲି ପ୍ରତିଶ୍ରୁତି ଦେବା ସହିତ ଏକ ଲକ୍ଷା ଟଙ୍କା ପ୍ରଦାନ କରିଥିଲେ। ଦେଢ କୋଟି ଟଙ୍କାର ବିଭିନ୍ନ ତାରିଖର ଚେକ୍ ଏତଲାକାରୀଙ୍କ ପ୍ରଦାନ କରାଯାଇଥିବା ବେଳେ ଏହି ଚେକ୍ ଗୁଡିକ ପରବର୍ତ୍ତୀ ସମୟରେ ବାଉନ୍ସ ହୋଇଥିଲା। ଆବେଦନକାରୀ ଓ କମ୍ପାନି ତାଙ୍କୁ ଠକିଥିଲେ ବୋଲି ଅଭିଯୋଗ କରି ଅଭିଯୋଗକାରୀ  କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ଥ ହୋଇଥିଲେ। ଆଇପିସିର ଧାରା ୪୦୬, ୪୨୦, ୧୨୦-ବି ଓ ଓପିଆଇଡି ଆଇନର ଧାରା ୬ରେ ମାମଲା ରୁଜୁ କରି ଇଓଡବ୍ଲୁ ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ନିୟୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିଲେ।

Comments are closed.