ଉଚ୍ଚନ୍ୟାୟାଳୟରେ ସିଧା ମାମଲା ନ କରି ଦୌରା ଅଦାଲତଙ୍କ ଦ୍ବାରସ୍ଥ ହେବେ ପକ୍ଷ

ଆଗୁଆ ଜାମିନ ଦାୟର ପ୍ରସଙ୍ଗ

କଟକ : ଏଣିକି ପକ୍ଷମାନେ ଆଗୁଆ ଜାମିନ ପ୍ରସଙ୍ଗରେ ସିଧାସଳଖ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ପାରିବେ ନାହିଁ। ପ୍ରଥମେ ଜିଲା ଓ ଦୌରା ଅଦାଲତରେ ଆଗୁଆ ଜାମିନ ଆବେଦନ ଦାୟର କରାଯିବ। ପରେ ଆବଶ୍ୟକ ସ୍ଥଳେ ଉଚ୍ଚନ୍ୟାୟାଳୟରେ ଏହି ପ୍ରସଙ୍ଗକୁ ନେଇ ଆବେଦନ ଦାୟର ହେବ। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ପୀଠ ଏକ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ସିଆରପିସିର ଧାରା ୪୩୮ରେ ଥିବା ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଦୌରା ଅଦାଲତ ଓ ଉଚ୍ଚନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ। ଧାରା ୪୩୮ ଅନୁସାରେ ଦୌରା ଅଦାଲତ ଓ ଉଚ୍ଚନ୍ୟାୟାଳୟଙ୍କ ଆଗୁଆ ଜାମିନ ପ୍ରଦାନ ପ୍ରସଙ୍ଗରେ ସମାନ ଧରଣର କ୍ଷମତା ରହିଛି। ଏଭଳି ସ୍ଥଳେ ପ୍ରଥମେ ନିମ୍ନ ଅଦାଲତରେ ଜଣେ ଆବେଦନ କରି ତା ପରେ ଉଚ୍ଚନ୍ୟାୟାଳୟକୁ ଆସିବା ଉଚିତ। ଧାରା ୪୩୯ରେ ଥିବା ବ୍ୟବସ୍ଥା ଅନୁସାରେ ନିୟମିତ ଜାମିନ ପ୍ରସଙ୍ଗରେ ଜଣେ ନିମ୍ନ ଅଦାଲତଙ୍କ ପ୍ରଥମେ ଦ୍ବାରସ୍ଥ ହୋଇଥାଏ। ଯଦି ନିମ୍ନ ଅଦାଲତଙ୍କ ରାୟ ସପକ୍ଷରେ ନ ଯାଏ; ତେବେ ପକ୍ଷ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥାଏ। ନିୟମିତ ଜାମିନ ଭଳି ଆଗୁଆ ଜାମିନ ପ୍ରସଙ୍ଗରେ ମଧ୍ୟ ପ୍ରଥମେ ନିମ୍ନ ଅଦାଲତରେ ମାମଲା ରୁଜୁ କରାଯିବା ଉଚିତ। ଏହାପରେ ଉଚ୍ଚନ୍ୟାୟାଳୟକୁ ଆସିବା କଥା‌। କାରଣ ଦୌରା ଅଦାଲତରେ ସବୁବେଳେ ମହକିଲକୁ ପହଞ୍ଚିବା ପାଇଁ ସହଜ ଓ ତାହା ନିକଟବର୍ତ୍ତୀ ହୋଇଥାଏ। ଏଥି ସହିତ ଦେଶରେ ଏଭଳି ମାମଲାର ସଂଖ୍ୟା ବଢ଼ିଚାଲଛି। ଉଚ୍ଚନ୍ୟାୟାଳୟରେ ମଧ୍ୟ ବିଚାରାଧୀନ ମାମଲା ସଂଖ୍ୟା ଅଧିକ। ଆଗୁଆ ଜାମିନ ଓ ନିୟମିତ ଜାମିନ ମଞ୍ଜୁରବେଳେ ଘଟଣାର ବାସ୍ତବତାର ମୂଲ୍ୟ ନିର୍ଦ୍ଧାରଣ ଓ ପୁଙ୍ଖାନୁପୁଙ୍ଖ ତର୍ଜମା ଆବଶ୍ୟକ। ନଥିର ସବୁ ତଥ୍ୟ ପ୍ରମାଣ ବିଚାରକୁ ନିଆଯାଇଥାଏ।
ଏଭଳି ମାମଲାରେ ଦୌରା ଅଦାଲତ ‌ଉପଯୁକ୍ତ ନିର୍ଦେଶ ପ୍ରଦାନ କରିବା ପରେ ଉଚ୍ଚନ୍ୟାୟାଳୟଙ୍କୁ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଏହି ପ୍ରସଙ୍ଗରେ ଦୌରା ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଅନ୍ତରୀଣ ସୁରକ୍ଷା ଅବଧି ଶେଷ ପୂର୍ବରୁ ଦୌରା ଅଦାଲତ ଆବେଦନକାରୀଙ୍କ ମାମଲାର ଶୁଣାଣି ଶେଷ କରିବା ପାଇଁ ଉଚ୍ଚନ୍ୟାୟାଳୟ କହିଛନ୍ତି। ରାଜକନିକା ଥାନାରେ ରୁଜୁ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଆବେଦନକାରୀ ନୃସିଂହ ସୂତାର ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ଉଚ୍ଚନ୍ୟାୟାଳୟ ଏପରି ଆଦେଶ ଦେବା ସହ ଶ୍ରୀ ସୂତାରଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Comments are closed.