ଶ୍ରମିକ ମୃତ୍ୟୁ ନେଇ ହାଇକୋର୍ଟଙ୍କ ଉଦବେଗ

ସ୍ବେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦ ଶଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଭୁବନେଶ୍ୱରରେ ସ୍ୱରେଜ କାମ ବେଳେ ମୃତ୍ୟୁ ବରଣ କରିଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭୁବନେଶ୍ୱର ଜଏଣ୍ଟ ଲେବର କମିଶନରଙ୍କ ନିକଟରେ ସଂପୃକ୍ତ ଠିକା କମ୍ପାନୀ ଏହି ଇନ୍ସୁରାନ୍ସ ଟଙ୍କା ଜମା ଦେଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ ହୋଇଛି।

ରାୟଗଡା ଟିକିରି ଥାନା ଅଞ୍ଚଳରେ ଅକ୍ଟୋବର ୨୦ ତାରିଖରେ ଏକ ଶୌଚାଳୟ କାମ କରୁଥିବା ବେଳେ ୨ ଜଣ ଦଳିତ ଓ ଅନ୍ୟ ଜଣେ ପଛୁଆ ବର୍ଗ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଆମିକସ କ୍ୟୁରୀ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇ ଥିବା ବେଳେ ହାଇକୋର୍ଟ ଏ ସମ୍ପର୍କରେ ରାୟଗଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି।ସେହିଭଳି କନ୍ଧମାଳରେ ସ୍ବେରେଜ ଟାଙ୍କିରେ ଦୁଇ ଜଣ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରଇଥିବା ଘଟଣା‌ରେ ପୂର୍ବରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇ ଥିବା ବେଳେ ଅଦ୍ୟାବଧି ସେହି ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇନାହିଁ। ତେଣୁ ସେ ସମ୍ପର୍କିତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତୀ ଶୁଣାଣି ପୂର୍ବରୁ ଏହି ଦୁଇ ଘଟଣା ସମ୍ପର୍କରେ ଦୁଇ ଜିଲ୍ଲାପାଳ ସବିଶେଷ ତଥ୍ୟ ଦାଖଲ କରିବେ।

କଟକ ଭୁବନେଶ୍ୱର ସ୍ୱରେଜ ଲାଇନରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଜବାବ ଦାଖଲ କରିଥିଲା ବେଳେ ସେ ସମ୍ପର୍କରେ ଆମିକସ କ୍ୟୁରୀ ପ୍ରତିଜବାଵ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ୱାଟର କର୍ପୋରେସନ୍ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ କଟକର ସିଡିଏରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିଛି। ଏହି ଘଟଣାରେ ଆହତ ଜଣଙ୍କୁ ଠିକା ସଂସ୍ଥା ୨ ଲକ୍ଷ ଟଙ୍କା ଦେଇଛି। ଅନ୍ୟପକ୍ଷରେ ଭୁବନେଶ୍ବରରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମକଙ୍କ ଘର ମୟୂରଭଞ୍ଜ ଓ ଝାଡଖଣ୍ଡ ହୋଇଥିବା ବେଳେ କ୍ଷତିପୂରଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି। ଆମିକସ୍ କ୍ୟୁରୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ମାମଲା ପରିଚାଳନା କରୁଛନ୍ତି। ଗତ ମାର୍ଚ୍ଚ ୧୯ରେ ଭୁବନେଶ୍ୱର ବଡ଼ଗଡ଼ ବ୍ରହ୍ମେଶ୍ୱର ବାଗ ଏବଂ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର ୧୦ରେ ଘଟିଥିଲା ଦୁଇଟି ଅଘଟଣ। ସ୍ୱରେଜ ଲାଇନରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକ କାମ କରୁଥିଲେ। ଭୁବନେଶ୍ୱରରେ ଦୁଇଜଣ ଶ୍ରମିକ ଓ କଟକରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିବା ସହ ନିଜ ଆଡୁ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରିଛନ୍ତି।

ତେବେ ଅଛୁଆଁ ସହିତ ହାତରେ ମଇଳା ସଫେଇ ଭଳି ପ୍ରଥା ସ୍ବାଧୀନତା ପରେ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ପ୍ରଥା ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିଲା। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅନୁସାରେ ବିଗତ ୫ ବର୍ଷ ଭିତରେ ଦେଶରେ ସ୍ବେ‌ରେଜ ଓ ସେପ୍ଟିକ ଟାଙ୍କି ସଫେଇ କାର୍ଯ୍ୟରେ ନିୟୋଜିତ ୩୪୦ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଇଏମ୍‌ଏସ୍‌ସିଡିଏଲ୍‌ପି ଆଇନ, ୧୯୯୩ ଯଥେଷ୍ଟ ନଥିବା ବେଳେ ସରକାର ପିଇଏମଏସଆର ଆଇନ ୨୦୧୩, ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଇଥିଲେ। କିନ୍ତୁ ଏହି ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଡା କଡ଼ି କରାଯାଉ ନଥବା ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଅଭିଯୋଗ ହୋଇଥିଲା। ସ୍ୱେରେଜ୍ ଲାଇନ୍ ରେ ସଫେଇ କାମ କରୁଥିବା ବେଳେ ଭୁବନେଶ୍ୱରରେ ଝାଡ଼ଖଣ୍ଡର ସୁନାରାମ ସର୍ଦାର ଓ ମୟୁରଭଞ୍ଜର ସିଲୁପ ବିରୁଆଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି କଟକରେ ତିନିକୋଣିଆ ବଗିଚାର ପି ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକ ମୃତ୍ୟୁ ବରଣ କରିଥିଲେ।

Comments are closed.