ହାଇକୋର୍ଟରେ ବଢ଼ୁଛି ମାମଲା; ବଢ଼ୁନି ବିଚାରପତିଙ୍କ ସଂଖ୍ୟା

୩୦ରୁ ଅଧିକ ବର୍ଷ ଧରି ଗଡ଼ୁଛି ୮୩୩ ମାମଲା: ମଞ୍ଜୁରୀ ପଦ ୨୭, ଅଛନ୍ତି ମାତ୍ର ୧୫ ବିଚାରପତି

କଟକ: ହାଇକୋର୍ଟରେ ବିଚାରଧୀନ ମାମଲା ହାର ବଢୁଥିବାବେଳେ ବଢୁନି ବିଚାରପତିଙ୍କ ସଂଖ୍ୟା। ଫଳରେ ବିଚାର ପ୍ରକ୍ରିୟା ତ୍ବରିତ ହୋଇ ନପାରିବାରୁ ମହକିଲଙ୍କୁ ଚିନ୍ତାରେ ଦିନ ବିତାଇବାକୁ ପଡୁଛି। ଆଜି ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୬୭୪ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା ୨୭ ରହିଥିବାବେଳେ କାର୍ୟ୍ୟରତ ଅଛନ୍ତି ମାତ୍ର ୧୫ ବିଚାରପତି। ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏହି ସଂଖ୍ୟା ରହିଛି। ଅନ୍ୟପକ୍ଷରେ ନାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟ୍‌ରେ ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୨୧ ଜାନୁୟାରୀ ୧୦ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୨ ହଜାର ୬୭୪ ହୋଇଥିବା ବେଳେ ଏଥିମଧ୍ୟରେ ୧,୧୯,୩୬୫ ସଭିଲ କେସ୍ ଓ ୫୩,୩୦୯ କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ସ୍ବଭାବିକ କୋର୍ଟ କାର୍ୟ୍ୟ ପ୍ରଭାବିତ ହୋଇଥିବା ବେଳେ ବିଚାରାଧୀନ ମାମଲା ସଂଖ୍ୟା ମଧ୍ୟ ବଢିଛି।

୩୦ ବର୍ଷରୁ ଅଧିକ ସମୁଦାୟ ୮୩୩ ମାମଲା ବିଚାରଧିନ ରହିଛି। ସେଥିମଧ୍ୟରେ ୮୨୧ ସିଭିଲ ଓ ୧୨ କ୍ରିମିନାଲ କେସ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୪୪୨୩ଟି ମାମଲା ହାଇକୋର୍ଟରେ ଏବେ ବିଚାରାଧୀନ ଥିବା ବେଳେ ତା’ ମଧ୍ୟରେ ୩୩୮୭ଟି ସିଭିଲ କେସ୍, ୧୦୩୬ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୭୮୫୮ଟି ବିଚାରାଧୀନ ମାମଲା ହାଇକୋର୍ଟରେ ରହିଛି। ଏଥିମଧ୍ୟରେ ୧୦୧୬୭ଟି କ୍ରିମିନାଲ କେସ୍, ୧୭୬୯୧ଟି ସିଭିଲ କେସ୍ ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୪୫୭୨୪। ଏଥିରେ ୧୦୫୦୭ଟି କ୍ରିମିନାଲ କେସ୍, ୩୫୨୧୭ଟି ସିଭିଲ କେସ୍ ରହିଛି। ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୭,୧୧୮ଟି ବିଚାରାଧୀନ ମାମଲା ମଧ୍ୟରେ ୬୧୬୮ଟି କ୍ରିମିନାଲ କେସ୍ ଓ ୨୦,୯୫୦ ଟି ସିଭିଲ କେସ୍ ଅନ୍ତର୍ଭୁକ୍ତ। ୧ ବର୍ଷରୁ ୩ ବର୍ଷ ପୁରୁଣା ୩୪୨୧୨ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ସେଥିରେ ୧୨୦୫୪ଟି କ୍ରିମିନାଲ କେସ୍, ୨୨୧୫୮ଟି ସିଭିଲ କେସ୍ ବିଚାରାଧୀନ ରହିଛି। ୧ ବର୍ଷ ମଧ୍ୟରେ ୩୨ ହଜାର ୫୦୬ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ମହିଳାଙ୍କ ଦ୍ବାରା ଦାୟର ୧୦,୭୧୯ ମାମଲା ବିଚାରଧିନ ଥିବାବେଳେ ସେଥିରେ ୮୮୦୮ ସିଭିଲ ଓ ୧୯୧୧ କ୍ରିମିନାଲ କେସ୍ ବିଚାରଧୀନ ରହିଛି। ବରିଷ୍ଠ ନାଗରିକଙ୍କ ଦ୍ବାରା ଦାୟର ହୋଇଥିବା ୧୩୪୮୪ ମାମଲା ବିଚାରଧିନ ଥିବାବେଳେ ସେଥିରେ ୧୦,୪୦୧ ସିଭିଲ ଓ ୩୦୮୩ କ୍ରୀମିନାଲ କେସ ବିଚାରଧୀନ ରହିଛି। ହାଇକୋର୍ଟ ବାର ଆସୋସିଏସନ ପୂର୍ବତନ ସମ୍ପାଦକ ବିଜୟକୁମାର ରଗଡ଼ ପ୍ରତିକ୍ରିୟା ଦେଇ କୁହନ୍ତି ଲୋକମାନଙ୍କୁ ତ୍ବରିତ ନ୍ୟାୟ ଦେବା ପାଇଁ ହେଲେ ବିଚାରପତି ସଂଖ୍ୟା ବୃଦ୍ଧି ପାଇବା ଉଚିତ। ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତି ପାଇଲେ, ବିଚାରଧୀନ ମାମଲା ମଧ୍ୟ ହ୍ରାସ ପାଇବ। ଏ ଦିଗରେ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ମତଦିଅନ୍ତି। ସେହିପରି ହାଇକୋର୍ଟ ବାର ଆସୋସିଏସନ ପୂର୍ବତନ ସମ୍ପାଦକ ସତ୍ୟବ୍ରତ ମହାନ୍ତି କୁହନ୍ତି ସ୍ୟାଟ ଉଚ୍ଛେଦ ପରେ ଲକ୍ଷାଧିକ ମାମଲା ହାଇକୋର୍ଟକୁ ଆସିଲା। କିନ୍ତୁ ୩ ବିଚାରପତି ନିଯୁକ୍ତି ଦିଆଯିବା କଥା, ତାହା ମଧ୍ୟ ହେଲା ନାହି। ଏବେ ନୂଆ ମାମଲା ଦାୟର ଅଧିକମାତ୍ରାରେ ହେଉଛି। ପଦ ପୂରଣ ନହେବାରୁ ତ୍ବରିତ ନ୍ୟାୟ ପାଇବାରେ ପ୍ରତିବନ୍ଧକ ହେଉଛି।

Comments are closed.