#ମି ଠୁ ଅଭିଯାନକୁ ହାଇକୋର୍ଟ ବିଚାରପତି, ରାହୁଲ ଗାନ୍ଧୀଙ୍କ ସମର୍ଥନ

0

ନୂଆଦିଲ୍ଲୀ : ଯୌନ ନିର୍ଯାତନା ବିରୋଧରେ ନିର୍ଭିକତାର ସହ ସ୍ୱର ଉଠାଇବା ଲାଗି ମହିଳାମାନଙ୍କୁ ସାହସ ପ୍ରଦାନ କରିଥିବା ‘#ମି ଠୁ ଅଭିଯାନ’କୁ ବମ୍ବେ ହାଇକୋର୍ଟ ବିଚାରପତି ଗୌତମ ପଟେଲ ସମର୍ଥନ କରିଛନ୍ତି। ଯୌନ ନିର୍ଯାତନା ଏବଂ ତତ୍‍ସମ୍ବନ୍ଧୀୟ ଆତଙ୍କ ବିଷୟରେ ଖୋଲାଖୋଲି ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିବା ମହିଳାମାନଙ୍କୁ ସେ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ଗୌତମ କହିଛନ୍ତି। ଇଣ୍ଡିଆନ୍‍ ମର୍ଚ୍ଚାଣ୍ଡ ଚ୍ୟାମ୍ବରର ମହିଳା ଶାଖା ପକ୍ଷରୁ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ସେ ଆମେରିକୀୟ ଅଭିନେତା ଏବଂ ବ୍ୟଙ୍ଗକାର ବିଲ କୋସ୍‍ବାଏଙ୍କ ବିଷୟ ଉପସ୍ଥାପନ କରିଥିଲେ। ବିଲ୍‍ଙ୍କ ୧୪ ବର୍ଷ ପୁରୁଣା ଏବଂ ଯୌନ ନିର୍ଯର୍ତନା ମାମଲାରେ ଗତ ମାସରେ ଦୋଷୀ ଘୋଷଣା କରାଯାଇଥିଲା। ଯେକୌଣସି ସ୍ଥଳରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଗ୍ରହଣୀୟ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ଏହି ଅବସରରେ ଦେଶର ଅନ୍ୟତମ ପ୍ରମୁଖ ସମସ୍ୟା ବିଚାର ବିଭାଗରେ ବିଚାରପତିଙ୍କ ଅଭାବ ପ୍ରସଙ୍ଗ ସେ ଉତ୍‍ଥାପନ କରିଥିଲେ। ୨୦୧୯ ଡିସେମ୍ବରରେ ବମ୍ବେ ହାଇକୋର୍ଟର ୧୧ ଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏଯାବତ୍‍ କେବଳ ୪ ଜଣ ନୂତନ ବିଚାରପତିଙ୍କ ନାମ ଚୂଡାନ୍ତ ହୋଇଥିବା ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି।
ସେହିଭଳି ବିରୋଧୀ ଦଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହି ଅଭିଯାନ ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, ମହିଳାମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦାର ସହ ବ୍ୟବହାର କରୁ ନ ଥିବା ଲୋକଙ୍କୁ ଉଚିତ ଶିକ୍ଷା ମିଳିବ। ସମାଜରେ ପରିବର୍ତ୍ତନ ଆଣିବା ନିମନ୍ତେ ମହିଳାମାନଙ୍କୁ ଦୃଢ ସ୍ୱରରେ ସତ୍ୟ ପ୍ରକାଶ କରିବାକୁ ହେବ ବୋଲି ସେ କହିଛନ୍ତି।

Leave A Reply