ସଙ୍ଗରୋଧ ଚିକିତ୍ସା ପଦ୍ଧତି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଏହି ଗୃହ ସଙ୍ଗରୋଧରେ ରହିବା ସମୟରେ ସଂକ୍ରମିତ ବ୍ୟକ୍ତି କି ପ୍ରକାର ଉପଚାର ବ୍ୟବସ୍ଥା କରିବେ ସେଥିନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିୟମାବଳୀ ଜାରି କରିଛି। ନିୟମାବଳୀ ଅନୁଯାୟୀ ଗୃହ ସଙ୍ଗରୋଧରେ ରହିବା ସମୟରେ ସଂକ୍ରମିତ ବ୍ୟକ୍ତି ରେମଡେସିଭିର୍ ଇଞ୍ଜେକସନ୍‌ ନେବେ ନାହିଁ। ରେମଡେସିଭିର ଇଞ୍ଜେକସନ୍‌ କେବଳ ଡାକ୍ତରଖାନାରେ ରହି ଚିକିତ୍ସା ସମୟରେ ଦିଆଯିବ। ସେହିପରି ସାମାନ୍ୟ ଲକ୍ଷଣ କ୍ଷେତ୍ରରେ ଓରାଲ ଷ୍ଟେରଏଡ୍ ଦିଆଯିବ ନାହିଁ। ଯଦି ଜ୍ବର ଓ କାଶ ଭଳି ଲକ୍ଷଣ ୭ରୁ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ କମ୍‌ ମାତ୍ରା (ଡୋଜ୍‌)ର ଓରାଲ ଷ୍ଟେରଏଡ୍ ଦିଆଯିବ।
୬୦ ବର୍ଷରୁ ଅଧିକ ବୟସ୍କ ସଂକ୍ରମିତ କିମ୍ବା ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଫୁସ୍‌ଫୁସ୍‌, ଯକୃତ ଆଦି ରୋଗରେ ପୀଡିତ ବ୍ୟକ୍ତି ସଂକ୍ରମିତ ହେଲେ ଡାକ୍ତରଙ୍କ ଯାଞ୍ଚ ପରେ ଗୃହ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯିବ। ଗୃହ ସଙ୍ଗରୋଧରେ ରହିବା ସମୟରେ ଯଦି ଅମ୍ଳଜାନ ସ୍ତର ହ୍ରାସ ପାଏ ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଦରକାର। ଗୃହ ସଙ୍ଗରୋଧରେ ରହିବା ସମୟରେ ରୋଗୀ ଦିନକୁ ଦୁଇଥର ଉଷୁମ ପାଣି ଗଳଗଳ (ଗାର୍ଗେଲ) କିମ୍ବା ବାମ୍ଫ ଶ୍ବାସ ନେବା ଦରକାର। ସର୍ବାଧିକ ମାତ୍ରା (ଡୋଜ୍‌) ନେବା ପରେ ଯଦି ଜ୍ବର ନ କମେ ତେବେ ପାରାସିଟାମଲ୍‌ (୬୫୦ ଏମଜି) ଦିନକୁ ୪ଥର ନେବା ଦରକାର। ଏହା ସହିତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର। ଡାକ୍ତର ତାଙ୍କୁ ଅନ୍ୟାନ୍ୟ ଔଷଧ ଯଥା ନନ୍ ଷ୍ଟେରଏଡ ଆଣ୍ଟି ଇନଫ୍ଲମେଟୋରି ଡ୍ରଗ୍‌ (ଏନ୍‌ଏସ୍‌ଏଆଇଡି) (ନାପ୍ରୋସେନ୍‌ ୨୫୦ ଏମଜି) ଦିନକୁ ଦୁଇଥର। ଆଇଭରମେକଟିନ୍‌ ବଟିକା (୨୦୦ ଏମଜି/କେଜି) ଦିନକୁ ଥରେ ଖାଲି ପେଟରେ ଖାଇବାକୁ ୩ରୁ ୫ଦିନ ପର୍ଯ୍ୟନ୍ତ ପରାମର୍ଶ ଦେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିୟମାବଳୀରେ କୁହାଯାଇଛି। ଶ୍ବାସକ୍ରିୟା ନିମନ୍ତେ ବୁଡେସୋନାଇଡ (୮୦୦ ଏମସିଜି) ଦିନକୁ ଦୁଇଥର ୫ରୁ ୭ଦିନ ପାଇଁ ନିଆଯାଇପାରିବ।
ସଙ୍ଗରୋଧରେ ରହିବା ସମୟରେ ସଂକ୍ରମିତ ବ୍ୟକ୍ତି ନିଜକୁ ଏକାକୀ ରଖିବା ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଦୂରେଇ ରଖିବା ଦରକାର। ରୋଗୀ ଯେଉଁ ଘରେ ରହିବେ ସେଠାରେ ବାୟୁ ଚଳାଚଳ ଠିକ୍ ହେଉଥିବା ଦରକାର। ସେ ସର୍ବଦା ତିନିଟି ସ୍ତର ଥିବା ତୁଣ୍ଡି ପିନ୍ଧିବା ଦରକାର। ବିଶେଷକରି ଏନ୯୫ ତୁଣ୍ଡି ପିନ୍ଧିବା ଉଚିତ। ତୁଣ୍ଡିକୁ ହାଇପୋକ୍ଲୋରାଇଟ୍‌ ମାଧ୍ୟମରେ ବିଶୋଧନ କରିବା ଦରକାର।

Comments are closed.