କଳିଙ୍ଗରେ ଚତୁଃରାଷ୍ଟ୍ରୀୟ ମହିଳା ହିରୋ ଗୋଲ୍‌ଡ କପ୍‌ ଫୁଟ୍‌ବଲ ୯ରୁ

0

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମର ଇତିହାସ ସହ ଯୋଡ଼ିହେବ ଆଉ ଏକ ଅଧ୍ୟାୟ। ଚଳିତ ଫେବୃଆରୀ ୯ରୁ ୧୫ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଚତୁଃରାଷ୍ଟ୍ରୀୟ ମହିଳା ହିରୋ ଗୋଲ୍‌ଡ କପ୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ଆୟୋଜକ ଭାରତ ସମେତ ଇରାନ୍‌, ମିଆଁମାର ଓ ନେପାଳ ଦଳ ଅଂଶଗ୍ରହଣ କରିବେ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ମୋଟ ୭ଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ଗୁଡ଼ିକ ଲିଗ୍‌ କମ୍‌ ଫାଇନାଲ ଭିିତ୍ତିରେ ଖେଳାଯିବ। ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବା ବେଳେ ୧୫ରେ ଫାଇନାଲ ମ୍ୟାଚ ଖେଳାଯିବ।
ପ୍ରଥମ ମ୍ୟାଚ୍‌ ଦିନରେ ଓ ୨ୟ ମ୍ୟାଚ ଫ୍ଲଡଲାଇଟ୍‌ରେ ଖେଳାଯିବ। ୯ରେ ମିଅାଁମାର ଓ ନେପାଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବା ​‌ବେ​‌େ​‌ଳ ୨ୟ ମ୍ୟାଚ ଭାରତ ଓ ଇରାନ ମଧ୍ୟରେ ଖେଳାଯିବ। ଲିଗ୍‌ ପର୍ୟ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଏପ୍ରିଲରେ ଖେଳାଯିବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଅଲିମ୍ପିକ୍‌ ଯୋଗ୍ୟତା ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ଫୁଟବଲ ଦଳକୁ ଉକ୍ତ ପ୍ରତିଯୋଗିତା ବେଶ ସହାୟକ ହେବ। ଓଡ଼ିଶା ସରକାର ଏଭଳି ପ୍ରତିଯୋଗିତା ଆୟୋଜନ କରି ଦେଶରେ ମହିଳା ଫୁଟବଲକୁ ଆଗକୁ ନେବାରେ ସହାୟକ ହୋଇଛନ୍ତି ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି। ଫିଫା ମାନ୍ୟତାରେ ଭାରତ ବର୍ତ୍ତମାନ ୬୨ତମ ସ୍ଥାନରେ ରହିଥିବା ବେଳେ ନେପାଳ ୧୦୮, ଇରାନ ୬୦ ଓ ମିଅାଁମାର ୪୪ତମ ସ୍ଥାନରେ ରହିଛନ୍ତି। ଇରାନ ଓ ମିଅାଁମାର ଭଳି ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ସହିତ ଖେଳିବା ଲାଗି ଭାରତ ପ୍ରସ୍ତୁତ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ମାୟମଲ୍‌ ରକି କହିଛନ୍ତି। ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତ ବୋଲି କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ କହିଛନ୍ତି।
ଖେଳସୂଚୀ
୯।୨ : ନେପାଳ-ମିଅାଁମାର- ଅପରାହ୍ଣ ୪ଟା
ଭାରତ-ଇରାନ- ସନ୍ଧ୍ୟା ୭ଟା
୧୧।୨ : ମିଅାଁମାର-ଇରାନ- ଅପରାହ୍ଣ ୪ଟା
ଭାରତ-ନେପାଳ- ସନ୍ଧ୍ୟା ୭ଟା
୧୩।୨ : ଇରାନ-ନେପାଳ- ଅପରାହ୍ଣ ୪ଟା
ଭାରତ-ମିଅାଁମାର- ସନ୍ଧ୍ୟା ୭ଟା
୧୫।୨ : ଫାଇନାଲ ମ୍ୟାଚ୍‌।

Leave A Reply