ସଂସ୍କୃତି ଓ ଐତିହ୍ୟ ପ୍ରତି ସଚେତନ ପାଇଁ ଆହ୍ବାନ

ଐତିହ୍ୟ ଦିବସରେ ପଦଯାତ୍ର

ଭୁବନେଶ୍ୱର: ଆଜି ସକାଳେ ବିଶ୍ୱଐତିହ୍ୟ ଦିବସ ଉପଲକ୍ଷେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଐତିହ୍ୟ’ ତରଫରୁ ସ୍ଥାନୀୟ ମାଉସୀମାଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛିା ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ପଦଯାତ୍ରାର ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସଂସ୍କୃତି ଓ ଐତିହ୍ୟ ପ୍ରତି ସଚେତନ ରହିବା ସହ ଐତିହ୍ୟ ଗବେଷଣାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଇତିହାସ, ସଂସ୍କୃତିି ଓ ପ୍ରତ୍ନତତ୍ତ୍ବ ବିଭାଗର ସହକାରୀ ପ୍ରଫେସର ଅନାମ ଚରଣ ବେହେରା ଏଥିରେ ଯୋଗଦେଇ ଷଷ୍ଠ ଶତାବ୍ଦୀର ପ୍ରାଚୀନ ଲକ୍ଷ୍ମଣେଶ୍ୱର-ଭରତେଶ୍ୱର-ଶତ୍ରୁଘ୍ନେଶ୍ୱର ମନ୍ଦିରମାଳାର ଇତିହାସ, ସଂସ୍କୃତି,ପ୍ରତ୍ନତାତ୍ତ୍ବିକ ବୈଶିଷ୍ଟ୍ୟ ତଥା ଏହାର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଶିଳାଲେଖ ଏବଂ ପ୍ରାଣୀ-ଉଦ୍ଭିଦମାନଙ୍କର ପ୍ରସ୍ତର ଖୋଦିତ ମୂର୍ତ୍ତି ସମ୍ପର୍କରେ ଉଦବୋଧନ ଦେଇଥିଲେ। ମନ୍ଦିରର ଗାତ୍ରରେ ଥିବା ପ୍ରାଚୀନ ଭାସ୍କର୍ଯ୍ୟ ଏବଂ ଐତିହ୍ୟ ଦିବସର ମହତ୍ବକୁ ବୁଝାଇଥିଲ।

ରାମକୃଷ୍ଣ ମିଶନର ବିଶିଷ୍ଟ ମହନ୍ତ ତଥା ରାମକୃଷ୍ଣ ମିଶନ ବିବେକାନନ୍ଦ ବିଦ୍ୟାଳୟର ସଂପାଦକ ମହନ୍ତ ସର୍ବମଙ୍ଗଳାନନ୍ଦଜୀ ମହାରାଜ ନିଜର ଆଶୀର୍ବଚନରେ କିଭଳି ଛାତ୍ରଛାତ୍ରୀମାନେ ନିଜକୁ ଐତିହ୍ୟ ପ୍ରତି ସଚେତନ ରହିବେ ସେ ସଂପର୍କରେ ପ୍ରକାଶ କରିଥିଲେ। ସରକାରଙ୍କ କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିୟର ନିର୍ମଳଚନ୍ଦ୍ର ମହାପାତ୍ର ରାଜ୍ୟର ପ୍ରାଚୀନ ଐତିହ୍ୟ ସଂରକ୍ଷଣର ବିଭିନ୍ନ ଦିଗସଂପର୍କରେ ଆଲୋକପାତ କରିଥିଲ। ଏହି ଅବସରରେ କପିଳେଶ୍ୱର ମନ୍ଦିରର ଭୂ-ଅର୍ଜନ ଅଧିକାରୀ ହରିହର ମଲିଆ ଏକାମ୍ରକ୍ଷେତ୍ର ପ୍ରାଚୀନ ଶୈବପୀଠ କପିଳେଶ୍ୱର ମନ୍ଦିରର ଐତିହ୍ୟ ସଂପର୍କରେ ବ୍ୟାଖ୍ୟାତ୍ମକ ବକ୍ତବ୍ୟ ରଖିଥିଲ। କେଦାରନାଥ ଗବେଷଣା ପ୍ରତିଷ୍ଠାନର ସଂପାଦକ ଡ. ରମେଶ ପାଣି ନିଜର ସୁଚିନ୍ତିତ ମତାମତ ମାଧ୍ୟମରେ ଇତିହାସ ଓ ଐତିହ୍ୟ ମଧ୍ୟରେ ଥିବା ସମନ୍ୱୟ ଉପରେ ବକ୍ତବ୍ୟ ରଖିଥିଲେ। ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ପ୍ରଫେସର ଅଦ୍ୱୈତ ପାତ୍ର ନିଜର ଦୀର୍ଘ ୪ ଦଶନ୍ଧି ତଳର ଅନୁଭୂତିର ସ୍ମୃତିଚାରଣ କରି କିଭଳି ଲକ୍ଷ୍ମଣେଶ୍ୱର ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଓ ଆହୁରି କିଭଳି ଏହାର ବିକାଶ କରାଯାଇପାରିବ ତାହା ଆଲୋଚନା କରିଥିଲେ। ଖବର କାଗଜ ସଂଗ୍ରାହକ ଶଶାଙ୍କାଶେଖର ଦାସ ଏହି ପଦଯାତ୍ରାରେ ଯୋଗଦେଇଥିଲୋ ଅନ୍ୟମାନଙ୍କ ମଧ୍ୟରେ ଖଦୀକମିଶନର ନୋଡାଲ ଅଧିକାରୀ ଜ୍ଞାନରଞ୍ଜନ ମଲିଆ, ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ବରିଷ୍ଠ ଭାଷା ଗବେଷକ ଦେବାଶିଷ ମହାପାତ୍ର,, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜୈନ ଚେୟାରର ସଂଯୋଜିକା ଡ. ସୁଚିତ୍ରା ଦାଶ, ବିବେକାନନ୍ଦ ଯୋଗକେନ୍ଦ୍ରର ଯୋଗ ପ୍ରଶିକ୍ଷକ ସୁନୀଲ କୁମାର ଦେବତା ପ୍ରମୁଖ ଯୋଗଦେଇଥିଲେ।
ସଂସ୍କୃତି ବିଶ୍ୱବିଦ୍ୟାଳୟର ଐତିହ୍ୟ ସଂରକ୍ଷଣ ବିଭାଗ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମାହିତ ଏହି ପଦଯାତ୍ରା ଲକ୍ଷ୍ମଣେଶ୍ୱର ମନ୍ଦିରରୁ ବାହାରି ରାମେଶ୍ୱର ମନ୍ଦିର, ରାମକୃଷ୍ଣ ମଠ, ଏବଂ କେଦାରଗୌରୀ ମାର୍ଗ ଦେଇ ବିନ୍ଦୁସାଗର, ଐତିହାସିକ କୀର୍ତ୍ତିରାଜୀ ଉତ୍ତେରେଶ୍ୱର ମନ୍ଦିର ନିକଟରେ ଉଦଯାପିତ ହୋଇଥିଲା। ‘ଐହିତ୍ୟ’ ସଂଯୋଜକ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲ।

Comments are closed.