ମାଳମାଳ କାରଖାନା, ନିଯୁକ୍ତିର ସ୍ୱପ୍ନ ପାଣିଚିଆ

ରାଉରକେଲା : ସୁନ୍ଦରଗଡ଼ ଜିଲାକୁ ପ୍ରକୃତି ଖଣି ଖାଦାନରେ ପରିପୂର୍ଣ୍ଣ କରିଛି। କିନ୍ତୁ ବ୍ୟବସ୍ଥା ଏଠାକାର ଅଧିବାସୀଙ୍କୁ ନିଃସ୍ୱ କରିଛି। ଖଣିଖାଦାନ ଓ ଶିଳ୍ପ ମାଳମାଳ। ନିଯୁକ୍ତିର ସୁଯୋଗ ଅନେକ। ତଥାପି ସୁନ୍ଦରଗଡ଼ ଜିଲାର ଯୁବ ସମାଜ ନିରାଶ। ବୟସ ଗଡ଼ି ଯାଉଛି ସିନା ନିଯୁକ୍ତି ମିଳୁନି ବାର୍ଷିକ କୋଟିକୋଟି ଟଙ୍କା ଲାଭ କରୁଥିବା ଖଣି ଓ କାରଖାନା ମାଲିକ ସେମାନଙ୍କୁ ମନେ ପକେଇ ପାରୁନାହାଁନ୍ତି। ମାଳ ମାଳ କାରଖାନା ଥିବା ଏହି ଜିଲାରେ ଗତ ୩ବର୍ଷର ପରିସଂଖ୍ୟାନକୁ ଦେଖିଲେ ମାତ୍ର ଜଣଙ୍କୁ ନିଯୁକ୍ତି ମିଳିବା ଦୁର୍ଭାଗ୍ୟ ଜନକ। ଜିଲା କର୍ମନିୟୋଜନ କାର୍ଯ୍ୟାଳୟରେ ବେକାରଙ୍କ ସଂଖ୍ୟା ବଢିବଢି ଚାଲିଛି। ରାଉରକେଲାରେ ଥିବା ମୁଖ୍ୟ କର୍ମନିୟୋଜନ କାର୍ଯ୍ୟାଳୟ ସହିତ ସୁନ୍ଦରଗଡ଼ ଓ ବଣାଇ କାର୍ଯ୍ୟାଳୟର ଚିତ୍ରକୁ ଦେଖିଲେ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ସମୁଦାୟ ପଂଜିକୃତ ବେକାରଙ୍କ ସଂଖ୍ୟା ହେଉଛି ୪୮୩୭୮। ପଂଜିକୃତ ଯୁବକଙ୍କ ସଂଖ୍ୟାକୁ ଦେଖିଲେ ସପ୍ତମ ଶ୍ରେଣୀରୁ କମ୍ ପାଠ ପଢିଥିବା ୨୫୬, ମାଟ୍ରିକରୁ କମ୧୯୮୨, ମାଟ୍ରିକ୍ ପଢିଥିବା ୧୪୦୧୩, ଆଇ.ଏ.୨୫୪୮, ଆଇଏସସି ୧୧୦୮, ଆଇକମ୍ ୫୦୪, ବି.ଏ. ୧୩୪୮, ବିଏସସି ୧୧୧୪, ବି.କମ୍ ୬୩୦, ଡିପ୍ଲୋମା ୨୧୬୭,ଆଇଟିଆଇ ୩୩୩୬, ସିଟି ୩୧୮, ଫାର୍ମାସି ୧୮୨, ନର୍ସ ୩୨, ଷ୍ଟେନୋ ୪୪, ଟାଇପିଷ୍ଟ ୫୨, ଲ୍ୟାବ ସାଇନ୍ସ ୧୦ ଓ ଅନ୍ୟ ୮୩୬ ପଂଜିକରଣ କରିଛନ୍ତି। ଯୁବତୀଙ୍କ ସଂଖ୍ୟାକୁ ଦେଖିଲେ ସପ୍ତମ ଶ୍ରେଣୀରୁ କମ୍ ପାଠ ପଢିଥିବା ୪୭, ମ୍ୟାଟ୍ରିକରୁ କମ୍ ୧୨୮, ମ୍ୟାଟ୍ରିକ୍ ୪୫୩୨, ଆଇ.ଏ.୩୯୯୬, ଆଇଏସସି ୧୩୦୪, ଆଇକମ୍ ୪୦୪, ବି.ଏ. ୨୭୧୮, ବିଏସସି ୧୧୬୬, ବି.କମ୍ ୨୬୮, ଡିପ୍ଲୋମା ୭୦୮,ଆଇଟିଆଇ ୧୮୭, ସିଟି ୫୭୬, ଫାର୍ମାସି ୫୩, ନର୍ସ ୯୩୯, ଷ୍ଟେନୋ ୧୧୦, ଟାଇପିଷ୍ଟ ୩୧, ଲ୍ୟାବ ସାଇନ୍ସ ୭ ଓ ଅନ୍ୟ ୭୨୪ ପଂଜିକରଣ କରିଛନ୍ତି। ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଜିଲାରେ କଳ କାରଖାନାରେ ନିଯୁକ୍ତି ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ଜିଲା କର୍ମନିୟୋଜନର ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ବିଭିନ୍ନ କଳକାରଖାନା ଓ ପ୍ରତିଷ୍ଠାନରେ ୧୩୩୦ଜଣ, ୨୦୧୯-୨୦ରେ ୨୨୬୫ଜଣ  ଓ ୨୦୨୦-୨୧ରେ ୧୧୯ଜଣଙ୍କୁ  ନିଯୁକ୍ତି ମିଳିଛି। ସେହିପରି ୨୦୮-୧୯ ନିଯୁକ୍ତି ମେଳାରେ ଯୋଗ ଦେଇଥିବା ୨୪୯୫ଜଣଙ୍କ ମଧ୍ୟରୁ ୧୫୫୩ଜଣଙ୍କୁ  ଓ ୨୦୧୯-୨୦ରେ ୪୧୨୦ଜଣଙ୍କ ମଧ୍ୟରୁ ୨୯୫୪ଜଣଙ୍କୁ ଚୟନ କରାଯାଇ ବିଭିନ୍ନ କମ୍ପାନୀରେ ଅବସ୍ଥାପିତ କରାଯାଇଛି। ପଂଜିକୃତ ଶିକ୍ଷିତ ବେକାରଙ୍କ ମଧ୍ୟରୁ ୨୦୧୮-୧୯ରେ ୧୭ଜଣ, ୨୦୧୯-୨୦ରେ ୧୩୬ଜଣ, ଓ ୨୦୨୦-୨୧ରେ ୭ଜଣ ସରକାରୀ ନିଯୁକ୍ତି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ, ଜିଲାରେ ବହୁ ପ୍ରମୁଖ ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ଯେପରି ଅଗ୍ରାଧିକାର ମିଳିବା କଥା ତାହା ମିଳୁନାହିଁ। ସରକାରୀ କାଗଜପତ୍ରରେ ସ୍ଥାନୀୟ ଶିଳ୍ପ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବେ ବୋଲି କୁହାଯାଉଥିବା ବେଳେ ତାହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ। ଆଧୁନିକ ମେଟାଲିକ୍ସ କାରଖାନାର ରୂପ ବଦଳିବା ପରେ ଏହା ଲିବର୍ଟି ହାଉସକୁ ଯାଇଛି। ଏହା ସହିତ ଓସିଏଲ, ସୋନାପର୍ବତରେ ଥିବା ଆଇଡିଏଲ କେମିକାଲ କାରଖାନା, କକଲୁଙ୍ଗାରେ ଥିବା ମହାବୀର ଫେରୋ ଆଲଏଜ,  ଲହୁଣୀପଡ଼ର ତୁମକେଲାରେ ଥିବା ଭାସ୍କର ଷ୍ଟିଲ ଓ ଫେରୋ ଆଲଏଜ, ରାଜଗାଙ୍ଗପୁର ରମାବାହାଲରେ ଥିବା ସ୍କାନଷ୍ଟିଲ, ଟାଇଁସରରେ ଥିବା ଜୟବାଲାଜି ଷ୍ଟିଲ, କଲୁଙ୍ଗାରେ ଥିବା ବୈଷ୍ଣବୀ ସ୍ପଂଜ, କୋଇଡ଼ାରେ ଥିବା କମଣ୍ଡୋ ଷ୍ଟିଲ, କୁତ୍ରାରେ ଶିବା ସିମେଂଟ, ବଣାଇର ସୁରେନ୍ଦ୍ର ମାଇନିଙ୍ଗ, କୁଆଁରମୁଣ୍ଡା ଗୋଇଭଙ୍ଗାର ଗଣେଶ ମେଟାଲିକସ, କୁଆଁରମୁଣ୍ଡାର ସର୍ଭେସ ରିଫ୍ରାକ୍ଟୋରୀର ସମେତ ଜିଲାରେ ଛୋଟବଡ଼  ୭୪ଟି କାରଖାନା ରହିଛି। ଅନେକ କାରଖାନା କେବଳ ଠିକା ଶ୍ରମିକ ବ୍ୟବସ୍ଥାରେ ଚାଲିଛି। ମାଳମାଳ କଳକାରଖାନା ଥାଇ ମଧ୍ୟ ଜିଲାର ଯୁବକ ଯୁବତୀ ଗୁଜରାଟରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାର ଦୃଷ୍ଟାନ୍ତ ବିଗତ ଦିନରେ ଦେଖିବାକୁ ମିଳିଛି। ତୃଟିପୂର୍ଣ୍ଣ ସରକାରୀ ନୀତି ସାଙ୍ଗକୁ ରାଜନୈତିକ ଇଛାଶକ୍ତିର ଅଭାବ ବେକାର ଯୁବକ ଯୁବତୀଙ୍କ ପାଇଁ ଦୁର୍ଗତିକୁ ଟାଣି ଆଣିଛି ବୋଲି ଅଭିଯୋଗ ହେଉଛି।

Comments
Loading...