ହେପାଟାଇଟିସ୍‍ ଓ ଲିଭର କ୍ୟାନସର

0

ଲିଭର କ୍ୟାନସର ଏକ ମାରାତ୍ମକ ବ୍ୟାଧ, କିନ୍ତୁ ଏହି ମାରାତ୍ମକ ବ୍ୟାଧିକୁ ବହୁକାଂଶରେ ନିରାକରଣ କରାଯାଇପାରିବ। ପ୍ରତିବର୍ଷ ସମଗ୍ର ପୃଥିବୀରେ ୬ଲକ୍ଷ ବ୍ୟକ୍ତି ଲିଭର କ୍ୟାନସର ଯୋଗୁଁ ହରାଇଥାନ୍ତି। ସମଗ୍ର ପୃଥିବୀରେ ଏହି କ୍ୟାନସରର ସ୍ଥାନ ଷଷ୍ଠରେ ରହିଛି। ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଭିତରେ ଏହି କ୍ୟାନସରର ପ୍ରାଦୁର୍ଭାବ ବେଶୀ। ଫୁସ୍‍ଫୁସ୍‍ କ୍ୟାନସର ଓ ପେଟ କ୍ୟାନସର ପରେ ଲିଭର କ୍ୟାନସରରୁ ହିଁ ବେଶୀ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ନ୍ତି। ହେପାଟାଇଟିସ୍‍ ବି ଓ ସି ଏହି ରୋଗର ମୁଖ୍ୟ କାରଣ। ଏହି ହେପାଟାଇଟିସ୍‍ ବି ଓ ସି ସାଧାରଣତଃ ଦୂଷିତ ରକ୍ତ, ଦୂଷିତ ସିରିଞ୍ଜ ଓ ଛୁଞ୍ଚି ମାଧ୍ୟମରେ କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଜଣଙ୍କର ଶରୀରରୁ ଅନ୍ୟ ଜଣଙ୍କର ଶରୀରକୁ ପ୍ରବେଶ କରିଥାଏ। ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନେ ଲିଭର ସିରୋସିସ୍‍ ଓ କ୍ୟାନସର ରୋଗରେ ମଧ୍ୟ ପୀଡ଼ିତ ହୁଅନ୍ତି। ଲିଭରରେ ଅତ୍ୟଧିକ ଚର୍ବି ଜମିବା, ଧୂମ୍ରପାନ ସେବନ, ଆଫ୍‍ଲା ଟକ୍ସିନ୍‍ ସେବନ ମାଧ୍ୟମରେ ଏହି ଲିଭର କ୍ୟାନସର ହୋଇଥାଏ। ଭାରତରେ ହେପାଟାଇଟିସ୍‍ ବି ସାଧାରଣଃ ୨-୭ ପ୍ରତିଶତ ଜନସାଧାରଣଙ୍କ ଭିତରେ ଦେଖାଯାଏ। ହେପାଟାଇଟିିସ୍‍ ବିରେ ସଂକ୍ରମିତ ଚାରିଜଣଙ୍କ ମଧ୍ୟରୁ ଜଣଙ୍କର ଲିଭର କ୍ୟାନସର ହେବାର ଭୟ ରହିଛି।
ଦେଶରେ ହେପାଟାଇଟିସ୍‍ ବି ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣତଃ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଛୋଟ ପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇଥାନ୍ତି। ଯାହାକୁ ସିଧା ପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି ଗୋଟିଏ ପିଲାଠାରୁ ଅନ୍ୟ ଏକ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଏମାନେ ସାଧାରଣତଃ ନୀରୋଗ ଓ ସୁସ୍ଥ ଦେଖାଗଲେ ମଧ୍ୟ ପରବର୍ତ୍ତୀ କାଳରେ (୧୦-୧୫ବର୍ଷ ପରେ) ଲିଭର ସିରୋସିସ୍‍ ଓ ଲିଭର କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି। ହେପାଟାଇଟିସ୍‍ ବି ଏଡ଼୍‍ସ ଠାରୁ ଶହେଗୁଣ ଅଧିକ ସଂକ୍ରାମକ। ଯକୃତ କର୍କଟ ରୋଗରେ ୯୦-୯୫% ବ୍ୟକ୍ତି ଛଅ ମାସରୁ ଏକ ବର୍ଷ ଭିତରେ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ ଏହିପରି ଏକ ମାରାତ୍ମକ ବ୍ୟାଧିର ନିରାକରଣ ହେଉଛି ଆମ୍ଭମାନଙ୍କ ସମ୍ମୁଖରେ ଏକ ବଡ଼ ଆହ୍ୱାନ। ଆମ୍ଭେମାନେ ଯଦି ହେପାଟାଇଟିସ୍‍ ବି’ କୁ ଟୀକା ମାଧ୍ୟମରେ ସମ୍ପୂର୍ଣ୍ଣ ନିରାକରଣ କରିପାରିବୁ ତାହାହେଲେ ଲିଭର କ୍ୟାନସରର ସଂଖ୍ୟା ମଧ୍ୟ କମିଯିବ। ମଦ୍ୟପାନ ସେବନ ବନ୍ଦ କରିବା ଅନ୍ୟ ଏକ ପଦକ୍ଷେପ। ଏହାଦ୍ୱାରା ଲିଭର ସିରୋସିସ୍‍ ଓ ଲିଭର କ୍ୟାନସରକୁ ମଧ୍ୟ ନିରାକରଣ କରାଯାଇ ପାରିବ। ବ୍ଲଡବ୍ୟାଙ୍କରେ ହେପାଟାଇଟିସ୍‍ ବି ଓ ସି ସ୍କ୍ରିନିଂ ମାଧ୍ୟମରେ ହେପାଟାଇଟିସ୍‍ ବି ଓ ସିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଜନସାଧାରଣ ମାନଙ୍କ ମଧ୍ୟରେ ଏହି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଲେ ଲିଭର କ୍ୟାନସର ଭଳି ଏକ ମାରାତ୍ମକ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ।
ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ବିଭାଗୀୟ ମୁଖ୍ୟ, ହେପାଟାଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Leave A Reply