ଓଡ଼ିଶା : ’ନୀଳ ଜହର’ର ନୂଆ ଉପତ୍ୟକା!

୯ ଜିଲାରେ ଚାଲିଛି  ଅବାଧ ଗଞ୍ଜେଇଚାଷ

କୂଳକିନାରା ପାଉନାହିଁ ପୁଲିସ-ଅବକାରୀ

ଜଙ୍ଗଲ -ରାଜସ୍ବ ବିଭାଗ ଦାରୁଭୂତ ମୁରାରୀ

ନିକଟରେ ଗଞ୍ଜେଇ ପ୍ରସଙ୍ଗରେ କିଛି ସମୟ ଲାଗି ଓଡ଼ିଶା ଥିଲା ଚର୍ଚାରେ । ଭୁବନେଶ୍ବରରେ ଉନ୍ନତ କିସମର ଗଞ୍ଜେଇ ମିଳେ ବୋଲି ଜାତୀୟ ଗଣମାଧ୍ୟମରେ ଡ଼ିବିଡ଼ିବି ବାଜିଥିଲା । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କାଳରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଏକ ମୋବାଇଲ ଚାଟ୍ ଓଡ଼ିଶାର ଗଞ୍ଜେଇ ଉପରେ ଆଧାରିତ ଥିଲା । ମୁମ୍ବାଇ ଓ ମହାନଗରର ସେଲିବ୍ରିଟିମାନଙ୍କ ପାଇଁ ଓଡ଼ିଶାର ଗଞ୍ଜେଇ ସ୍ବତନ୍ତ୍ର ଆକର୍ଷଣ ଯେ ବହନ କରୁଥିଲା ତାହା ପକ୍ଷାନ୍ତରେ ପ୍ରମାଣିତ ହୋଇଥିଲା ।

ଓଡ଼ିଶାରେ ଗଞ୍ଜେଇ ଚାଷକୁ ଅବୈଧ ଘୋଷଣା କରାଯାଇଛି ।  ଏନଡ଼ିପିଏସ୍ ଆଇନ ୧୯୮୫ ଧାରା (୮) ଅନୁସାରେ ଗଞ୍ଜେଇ କ୍ରୟ, ବିକ୍ରୟ, ପରିବହନ, ସଂରକ୍ଷଣ, ବ୍ୟବହାର ଓ ସେବନକୁ ନିଷେଧ କରାଯାଇଛି । ମାତ୍ର ରାଜ୍ୟର ୯ଟି ଜିଲାରେ ଅବାଧ ଗଞ୍ଜେଇ ଚାଷ ଚାଲିଛି । ଖୋଦ ସରକାର ଏହାକୁ ମାନୁଛନ୍ତି । ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ପୁଲିସ, ଜଙ୍ଗଲ, ରାଜସ୍ବ ଓ ଅବକାରୀ ବିଭାଗର କର୍ମଚାରୀଙ୍କୁନେଇ ମଲଟି ଡ଼ିସିପ୍ଲିନ୍ ସ୍କ୍ବାର୍ଡ଼ (ଏମଡ଼ିଏସ୍) ଗଠନ କରାଯାଇଛି । ଅବକାରୀ ଓ ପୁଲିସ ବିଭାଗକୁ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ପ୍ରତିବର୍ଷ ବିପୁଳ ଅର୍ଥ ଯୋଗାଇ ଦିଆଯାଉଛି । ଏହା ସତ୍ବେ ରାଜ୍ୟରେ ଗଞ୍ଜେଇ ଚାଷ ବନ୍ଦ ହୋଇନାହିଁ ।

ପ୍ରତିବର୍ଷ ଗଞ୍ଜେଇ ଗଛ କାଟିବା ବାବଦରେ ବିପୁଳ ଅର୍ଥ ବ୍ୟୟ ହେଉଛି ଏବଂ ଗଞ୍ଜେଇ ଗଛର ପରିମାଣ ଓ ଆନୁମାନିକ ମୂଲ୍ୟ ସଂକ୍ରାନ୍ତ ତଥ୍ୟ ଦେଇ ଅବକାରୀ ଓ ପୁଲିସ ବିଭାଗ ନିଜ ନିଜ ପିଠି ଥାପୁଡ଼ାଉଛନ୍ତି । କିନ୍ତୁ ଗଞ୍ଜେଇ ଗଛ ବଢ଼ିବା ପରେ ତାହାକୁ କାଟିବା ପରିବର୍ତ୍ତେ ଚାଷ କରୁଥିବା ଲୋକମାନଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନରେ ଆନ୍ତରିକତା ଅଭାବ ଗଞ୍ଜେଇ ଚାଷ ରୋକିବାରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୫ ବର୍ଷ ମଧ୍ୟରେ ଚୋରା ଚାଲାଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ହଜାର କେଜି ଗଞ୍ଜେଇ ଜବତ ହୋଇଛି ଏବଂ ଏହି କାରବାରରେ ସମ୍ପୃକ୍ତ ୧୮୨୨ ଜଣଙ୍କୁ ଗିରଫ କରାଯାଇଛି । ଏହି ଅବଧି ମଧ୍ୟରେ ୪ କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଯାହାର ମୂଲ୍ୟ ୪୦୦୦ କୋଟି ଟଙ୍କା ହେବ । ଗୋଟିଏ ଗଛର ମୂଲ୍ୟ ୧୦୦୦ ଟଙ୍କା ଆକଳନ କରାଯାଇ ଏହି ମୂଲ୍ୟ ନିର୍ଧାରଣ କରାଯାଇଛି । ସେହିପରି ପ୍ରତିବର୍ଷ ରାଜ୍ୟରେ ପାଖାପାଖି ୩୪୦୦ରୁ ୪୦୦୦ ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି ବୋଲି କୁହାଯାଉଛି ।

ଏହି ପରିସଂଖ୍ୟାନ ଅନୁସାରେ ୨୦୧୨-୧୩ରେ ୪୫.୭୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ୨୦୧୩-୧୪ରେ ୮୦.୯୦ ଲକ୍ଷ ଗଛ, ୨୦୧୩-୧୪ରେ ୬୮.୫୫ ଲକ୍ଷ ଗଛ, ୨୦୧୫-୧୬ରେ ୩୬.୧୮ ଲକ୍ଷ ଗଛ, ୨୦୧୬-୧୭ରେ ୬୮.୦୯ ଲକ୍ଷ ଗଛ ନଷ୍ଟ କରାଯାଇଛି । ଅନୁରୂପ ଭାବରେ ୨୦୧୭-୧୮ ବର୍ଷରେ ୭୯.୩୨ ଲକ୍ଷ ଓ ୨୦୧୮-୧୯ରେ ୧୨.୪୯ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଛି । ଏତେ ଗଛ ନଷ୍ଟ ନଷ୍ଟ ହେବା ସତ୍ବେ ଏହି ବର୍ଷଗୁଡ଼ିକରେ କିପରି ପୁଣି ଶହଶହ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଛି ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ ଦ୍ବାରା ୪ ବିଭାଗକୁ ନେଇ ଗଠିତ ଏମଡ଼ିଏସ୍ ଟିମ୍ ତା’ର ଦାୟିତ୍ବ ସୁଚାରୁ ସମ୍ପାଦନ କରିପାରି ନାହିଁ । ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ନଷ୍ଟ କରାଯାଇ ନାହିଁ କିମ୍ବା ଗଛ ନଷ୍ଟ ସମ୍ପର୍କରେ ଦିଆଯାଇଥିବା ରିପୋର୍ଟରେ ସତ୍ୟତା ନାହିଁ ।

ଅନ୍ୟପକ୍ଷରେ ନକ୍ସଲ ଓ ମାଓବାଦୀଙ୍କ ପ୍ରୋତ୍ସାହନରେ କନ୍ଧମାଳ, ମାଲକାନଗିରି, ଗଜପତି, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ରାୟଗଡ଼ା ଓ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଥିଲେ ହେଁ ତାହାର  ସତ୍ୟତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । ହୁଏତ କିଛି ସ୍ଥାନରେ ଏହି କାରବାରରେ ମାଓବାଦୀଙ୍କ ସମ୍ପୃକ୍ତି ଥାଇପାରେ, ମାତ୍ର ସବୁ ସ୍ଥାନରେ ମାଓବାଦୀମାନେ ଯେ ଗଞ୍ଜେଇ ଚାଷ କରାଉଛନ୍ତି ଏହାର ସତ୍ୟତା ପ୍ରମାଣିତ ହୋଇନାହିଁ । ବରଂ ନିଜ ଅପାରଗତା ଢ଼ାଙ୍କିବା ପାଇଁ ମାଓବାଦୀଙ୍କ ସମ୍ପୃକ୍ତିକୁ ବାହାନା କରାଯାଉଥିବା କେହି କେହି ଅଭିଯୋଗ କରିଛନ୍ତି ।    ଉନ୍ନତ କିସମର ଗଞ୍ଜେଇ ବିହନ ମଗାଇବା, ଚାରା ପ୍ରସ୍ତୁତ କରି ତାହାକୁ ରୋଇବା, ମୋଟର ଲଗାଇ ଜଳସେଚନ କରିବା, କଢ଼ ଓ ଫୁଲ ଆସିବା ପରେ ତାହାକୁ ଅମଳ କରି   ବଜାରକୁ ପଠାଇବା କାର୍ଯ୍ୟ କିନ୍ତୁ ସୁଚିନ୍ତିତ ଭାବରେ କରାଯାଉଛି । ସାଧାରଣ ଗରିବ ଲୋକ ପକ୍ଷରେ ଏହା ସମ୍ଭବ ନୁହେଁ । ସ୍ଥାନୀୟ ଅଞ୍ଚଳର କିଛି ପ୍ରତିପତ୍ତିଶାଳୀ ଲୋକଙ୍କ ସହ  ଜାତୀୟସ୍ତରର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଏଥିରେ ଥିବା ଅଭିଯୋଗ ହୋଇ ଆସୁଛି । ଚାଷ ଓ ଅମଳ ସ୍ଥାନରୁ ଗଞ୍ଜେଇ କେଜି ମାତ୍ର କେଇ ଶହ ଟଙ୍କାରେ କିଣି ତାହାକୁ ମହାନଗରଗୁଡ଼ିକରେ କିଲୋପିଛା ୧୦ରୁ ୧୫ ହଜାର ଟଙ୍କା ଦରରେ ବିକ୍ରି କରୁଥିବା ଏହି ବଡ଼ ଖେଳାଳିମାନଙ୍କ ନିକଟରେ ପୁଲିସ ଓ ଅବକାରୀ ବିଭାଗ ଏ ଯାଏ ପହଞ୍ଚି ପାରିନାହିଁ । ଯେ ପର୍ଯ୍ୟନ୍ତ ଏହି ପ୍ରତିପତ୍ତିଶାଳୀ ଲୋକଙ୍କୁ ଧରିବାରେ ପୁଲିସ ଓ ଅବକାରୀ ବିଭାଗ ସଫଳ ହେବ ନାହିଁ, ସେ ପର୍ଯ୍ୟନ୍ତ ଗଞ୍ଜେଇ ଚାଷ ଚାଲିଥିବ ।

Comments are closed.