ସଂକଟ କାଳରେ ଦାନ-ପୁଣ୍ୟ : ସାହାଯ୍ୟ ଓ ସେବାର ନୂଆ ଉଦାହରଣ

ମହାମାରୀ, ପ୍ରାକୃତିକ ବିପତ୍ତି ଓ ସାମାଜିକ ଦୁଃସମୟରେ ମାନବିକତା ଉକୁଟି ଉଠେ । ପ୍ରାଣୀଙ୍କ ଦୁଃଖରେ ସମଦୁଃଖୀ ହୋଇ ଅନେକ ଲୋକ ସାହାଯ୍ୟ ସହଯୋଗ ପାଇଁ ସ୍ବତଃ ଆଗେଇ ଆସନ୍ତି। ଗୁଣ୍ଡୁଚି ମୂଷାର ସହଯୋଗ ହେଉ ପଛେ ତାହା ଯୋଗାଇ ଦେବାକୁ ପ୍ରତ୍ୟେକ ସମ୍ବେଦନଶୀଳ ପ୍ରାଣ ଆଗେଇ ଆସେ। ଏହା ତ ମାନବିକତା; ପରଦୁଃଖରେ ସମଭାଗୀ ହୋଇ ଦୁଃସମୟର ମୁକାବିଲା କରି ପୁଣି ଥରେ ଅଣ୍ଟା ସଳଖି ଉଠିବାର ପ୍ରକ୍ରିୟା ୟେ। ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟର ଓ ଶ୍ରେଣୀ ନିର୍ବିଶେଷରେ ଏ ଭାବ ଓ ବିଚାର ରହିଛି। କରୋନା ସଂକଟ କାଳରେ ଭାରତରେ ଏବେ ଦାନ-ପୁଣ୍ୟ, ସାହାଯ୍ୟ ଓ ସେବାର ଯେଉଁ ପ୍ରକ୍ରିୟା ଚାଲିଛି ତାହା ଅଭୂତପୂର୍ବ। ଏହି ବିପତ୍ତି ସ୍ଥାନୀୟ କିମ୍ବା ପ୍ରାନ୍ତୀୟ ନୁହେଁ। ସମଗ୍ର ବିଶ୍ବ ଏହାଦ୍ବାରା ଆକ୍ରାନ୍ତ। ଏହି ବ୍ୟାଧିର ସ୍ବଭାବ ଓ କିସମ ପୁଣି ନିଆରା। ସାମାଜିକ ସଂସର୍ଗ ଓ ସ୍ପର୍ଶ ମାଧ୍ୟମରେ ଏହି ଅଦୃଶ୍ୟ ଓ ପ୍ରତିଷେଧକହୀନ ଭୂତାଣୁ ବ୍ୟାପୁଥିବାରୁ ଆକ୍ରାନ୍ତ ତଥା ସନ୍ଦିଗ୍ଧ ବାହକଙ୍କୁ ଛୁଇଁବା, ଘରେ ପୂରାଇବା ଅଥବା ଗୋଷ୍ଠୀ, ସମୁଦାୟ ବା ଗାଁକୁ ପ୍ରବେଶ କରାଇ ନ’ଦେବାର ଏକ ଦୁଃଖଦ ଅଥଚ ଅପରିହାର୍ଯ୍ୟ ଆବଶ୍ୟକତା ଉପୁଜିଛି। ସାରାଭାରତ ଏବେ ଲକ୍‌ଡାଉନରେ। ଏହା କେତେକାଳ ଚାଲିବ ତାହା କହିବା ସହଜ ନୁହେଁ।
ଲୋକେ ନିଃସଙ୍ଗ ଅଥବା ଏକାନ୍ତବାସରେ ଘରେ ବସି ରହିବେ। କର୍ମକ୍ଷେତ୍ରକୁ ଯିବେ ନାହିଁ। ଉତ୍ପାଦନ ଓ ରୋଜଗାର ବନ୍ଦ ହେବାକୁ ବାଧ୍ୟ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ପାଇଁ କଠୋର କଟକଣା ମାନିବାକୁ ହେବ। ତେଣୁ ଲୋକଙ୍କ ଆୟ ଓ ଅର୍ଥନୀତିର ଅବସ୍ଥା କ’ଣ ହେବ ତାହା ଅନୁମାନ କରିବା କଷ୍ଟ ନୁହେଁ। ଏହି ସଂକଟକ୍ଷଣରେ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ପଡ଼ୁଛି। ଯେଉଁ କୋଟିକୋଟି ଶ୍ରମିକ ଦେଶର ବିଭିନ୍ନ ପ୍ରାନ୍ତରେ ଦୈନିକ ମଜୁରି ଖଟି ଜୀବିକା ଉପାର୍ଜନ କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଘରକୁ ଫେରି ନ’ପାରି ବିଭିନ୍ନ କ୍ବାରେଣ୍ଟାଇନ ଓ ଅସ୍ଥାୟୀ ଶିବିରରେ ରହିଛନ୍ତି। ଅନେକ ମଧ୍ୟ ଏଯାଏ ଆଶ୍ରୟ ଶିବିରକୁ ଫେରି ନ’ପାରି ଅକଥନୀୟ ଦୁଃଖ ଦୁର୍ଦଶା ମଧ୍ୟରେ ପଡ଼ିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା, ସେମାନଙ୍କ ପାଇଁ ଖାଦ୍ୟ, ରହଣି, ଚିକିତ୍ସା ବ୍ୟବସ୍ଥା କରିବା, ହସପିଟାଲଗୁଡ଼ିକର ଅତିରିକ୍ତ ବୋଝ ସମ୍ଭାଳିବା ଆଦି କାର୍ଯ୍ୟପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି।
ସରକାରଙ୍କର ସମ୍ବଳ ସୀମିତ। ବାହ୍ୟ ସହାୟତା ଆଶା ଏଭଳି ପରିସ୍ଥିତିରେ କ୍ଷୀଣ। ତେଣୁ ଏଇ ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ଲୋକବଳ, ଅର୍ଥବଳ ଓ ଭିତ୍ତିଭୂମିର ବ୍ୟବସ୍ଥା କରିବା ସବୁଠୁ ଆହ୍ବାନମୂଳକ। ତେଣୁ ସରକାରଙ୍କ ନିବେଦନ ପରେ ଉଦ୍ୟୋଗଜଗତ ଶିଳ୍ପପତି, ବିଭିନ୍ନ ଅନୁଷ୍ଠାନ ଅର୍ଥ, ସାମଗ୍ରୀ, ସହଯୋଗ ଓ ସମର୍ଥନର ହାତ ବଢ଼ାଇ ଯେପରି ଆଗେଇ ଆସୁଛନ୍ତି ତାହା ଅଭୂତପୂର୍ବ ଓ ଉତ୍ସାହଜନକ। ଏହା ଆମ ମଣିଷ ପଣିଆର ଉତ୍କୃଷ୍ଟ ଦିଗକୁ ପ୍ରତିପାଦନ କରୁଛି। ସମାଜର ପ୍ରାୟ ସବୁବର୍ଗର ଲୋକେ ଏହି କାମରେ ସହଯୋଗ କରି ନୂଆ ଉଦାହରଣ ଓ ଉଚ୍ଚମାନ ସୃଷ୍ଟି କରୁଛନ୍ତି। ସମ୍ବଳହୀନ, ସମ୍ବେଦନଶୀଳ ଜନତା ରୋଗକୁ ଖାତିର ନ’କରି ବିପନ୍ନ ମଣିଷ ଓ କ୍ଷୁଧାରେ ଥିବା ଜୀବଙ୍କ ସାହାଯ୍ୟରେ ଲାଗିଛନ୍ତି। ଅନେକ ସାଧାରଣ ଲୋକ ଏଇ ସଂକଟକ୍ଷଣରେ ଅସାଧାରଣ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ବୃତ୍ତିଗତ ଦୃଷ୍ଟିରୁ ବିପନ୍ନଙ୍କୁ ସେବା ଯୋଗାଣ ଓ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ତଥା ଚିକିତ୍ସା, ଥଇଥାନ ଓ ପରିବହନ ଆଦି କାମରେ ଲାଗିଛନ୍ତି ସେମାନଙ୍କୁ ପ୍ରଶଂସା କରିବାର ଭାଷା ନାହିଁ।
ଅତି ଅସାଧାରଣ ଘଟଣା ଅସାଧାରଣ ପରିସ୍ଥିତି ସୃଷ୍ଟିକରେ। ଏହାର ଦୀର୍ଘମିଆଦୀ ପ୍ରଭାବ ମଧ୍ୟ ଅତ୍ୟନ୍ତ ଅସହ୍ୟ ହୋଇଥାଏ। ତେଣୁ କରୋନା ଭଳି ଯେଉଁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମିଳିତ ମୁକାବିଲାରେ ସମସ୍ତଙ୍କ ସହଯୋଗ ଲୋଡ଼ା। ଏହି ବ୍ୟାଧି ବିଶ୍ବକୁ ଜୟ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆମେରିକା, ଚୀନ, ରୁଷିଆ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଭଳି ଧନାଢ଼୍ୟ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଆଗୁଆ ଦେଶ ମଧ୍ୟ ଏହାଦ୍ବାରା ବିଶେଷ ପ୍ରଭାବିତ । ଭାରତଭଳି ବିପୁଳ ଜନସଂଖ୍ୟା ବିଶିଷ୍ଟ ଏକ ସମସ୍ୟାବହୁଳ ବିକାଶଶୀଳ ଅର୍ଥନୀତି ଏହାର ମୁକାବିଲା ସହଜରେ କରିପାରିବା ମନେ ହେଉନାହିଁ। ଆମର ସମ୍ବଳ, ସ୍ବାସ୍ଥ୍ୟଭିତ୍ତିଭୂମି, ଚିକିତ୍ସକ, ଚିକିତ୍ସାକର୍ମୀ ଓ ତାଲିମପ୍ରାପ୍ତ ଲୋକଶକ୍ତି ସୀମିତ। ସେଇ ସୀମିତ ସମ୍ବଳ ମଧ୍ୟରେ ଆମକୁ ଏହି ଲଢ଼େଇ ଲଢ଼ିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଆମେ, ସର୍ବସାଧାରଣ ବ୍ୟକ୍ତିଗତ ଭାବେ ଯଦି ସଚେତନ, ସଂଯମ, ସମ୍ବେଦନଶୀଳ ଓ ଦାୟିତ୍ବସମ୍ପନ୍ନ ନ’ହେବା ତେବେ ଏ ପରୀକ୍ଷାରେ ଆମେ ସଫଳ ହେବାନାହିଁ।
ମାନବିକ ସମସ୍ୟା ସୃଷ୍ଟି କରିବା ବିପତ୍ତିର ଧର୍ମ। ଗୋଟିକର ମୁକାବିଲା କଲାବେଳେ ଆଉ ଗୋଟେ ବିପତ୍ତି ମୁଣ୍ଡ ଟେକିଥାଏ। ସବୁକଥା ସରକାର କରିପାରିବେ ନାହିଁ। ଏଥିରେ ଜନସହଯୋଗ, ସଚେତନତା ଓ ସମର୍ଥନର ଆବଶ୍ୟକତା ରହିଛି। ଲଢ଼େଇରେ ଛୋଟବଡ଼ ତ୍ରୁଟି ରହେ। ତାହାକୁ ତୁରନ୍ତ ନ’ସୁଧାରିଲେ ଏହାର ପରିଣାମ ଭୟାବହ ହୋଇଥାଏ। ଆମେ ଯଦି ସଂକ୍ରମଣକୁ ଲୁଚାଇବା ଏବଂ ସାମାଜିକ ଲାଞ୍ଛନା ବା ବାସନ୍ଦ ଭୟରେ ଆତ୍ମଗୋପନ କରିବା କଥା ସରିଲା। ଆମେ ବୁଝିବା ଦରକାର ଯେ ଆମେ ଯଦି କୌଣସି ଅଜଣା କାରଣରୁ ସଂକ୍ରମିତ ହେଉଛୁ, ସେଥିପାଇଁ ଆମେ ଅପରାଧୀ ନୋହୁ। ଆମ ସାବଧାନତା ବାହାରେ କାହାର ଦାୟିତ୍ବହୀନତା ଯୋଗୁଁ ଆମେ ସଂକ୍ରମିତ ହୋଇପାରୁ। ତେଣୁ ଡାକ୍ତରଙ୍କ ସହାୟତା ନେବା ଓ ନିଜର ପରୀକ୍ଷା କରିବା, ଦରକାର ପଡ଼ିଲେ ଚିକିତ୍ସିତ ହେବା। ଏହାଦ୍ବାରା ଆମେ ନିଜର, ନିଜ ପରିବାର, ଗୋଷ୍ଠୀ, ପଡ଼ା, ଗାଁ, ସହର, ରାଜ୍ୟ ଓ ଦେଶକୁ ସୁରକ୍ଷିତ କରିପାରିବା। ସଂକଟର ଏଇ କ୍ଷଣରେ ଏସବୁ ମନେ ରଖିବା ସହ ବ୍ୟକ୍ତିଗତ ଭାବେ ନିଜକୁ ସୁରକ୍ଷିତ ରଖିବାକୁ ଆସନ୍ତୁ ସମସ୍ତେ ପୁଣିଥରେ ଶପଥ ନେବା।

Comments are closed.