ଏସ୍‌ସିବିରେ ଚାଲିଛି ଚିଣ୍ଟୁଙ୍କ ଚିକିତ୍ସା; ସହାୟତାର ହାତ ବଢ଼ାଇଲା ‘ସମାଜ’

ଭୁବନେଶ୍ବର: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଇ ହାତ ଓ ଗୋଟିଏ ଗୋଡ଼ ହରାଇ କଟକ ଏସ୍‌ସିବିରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ଢେଙ୍କାନାଳ କାମାକ୍ଷାନଗରର ଚିଣ୍ଟୁ। କଅଁଳ ବୟରେ ଅସହ୍ୟ କଷ୍ଟ ତାକୁ ଯେତିକି ଜର୍ଜରିତ କରୁଛି ତା’ର ଚିକିତ୍ସା ପାଇଁ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ସମ୍ବଳ ଅଭାବ ଚିକିତ୍ସାରେ ବାଧକ ହୋଇଛି। ଏହି ପରିପ୍ରେକ୍ଷୀରେ ଚିଣ୍ଟୁର ଚିକିତ୍ସାରେ ସହାୟତା ନିମନ୍ତେ ‘ସମାଜ’ ରିଲିଫ୍‌ ପାଣ୍ଠି ପକ୍ଷରୁ ୧୫ହଜାର ଟଙ୍କା ଓ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ପକ୍ଷରୁ ୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଚିଣ୍ଟୁର ବାପା ପ୍ରଦୀପ ବିଶ୍ବାଳ ଓ ପରିବାର ସଦସ୍ୟ ଏ ନେଇ ‘ସମାଜ’ ପରିବାରକୁ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, କାମାକ୍ଷାନଗର​ରେ ପାଣି ମିସ୍ତ୍ରିଭାବେ କାର୍ଯ୍ୟ କରୁଥିବା ଶ୍ରୀ ବିଶ୍ବାଳଙ୍କ ପୁଅ ଚିଣ୍ଟୁ ଦେଢ଼ ମାସ ତଳେ ଦୁର୍ଘଟଣାର ଶିକାର ହୋଇଥିଲା। ଛାତ ଉପରେ ଏକ ଲୁହା ରଡ୍‌ ଆଣୁଥିବାବେଳେ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା। ଜୀବନ ବଞ୍ଚିଗଲା ସତ ହେଲେ ସେ ହାତ ଗୋଡ଼ ହରାଇଲା। କଟକ ବଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ବରେ ଏକ ମିଳିତ ଟିମ୍‌ ଏବେ ତା’ର ଚିକିତ୍ସା ଜାରି ରଖିଛନ୍ତି।
ଚିଣ୍ଟୁର ପ୍ରଥମ ପର୍ଯ୍ୟାୟ ଚିକିତ୍ସା ଶେଷ ହେଲା ପରେ କୃତ୍ରିମ ହସ୍ତ ପାଇଁ ‘ସମାଜ’ ରିଲିଫ୍‌ କମିଟି ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.