ନିର୍ବାଚନ ପରବର୍ତ୍ତୀ ସ୍ଥିତି : ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ୍

ନୂଆଦିଲ୍ଲୀ : ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଉପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଚାର ବିମର୍ଶ ଆରମ୍ଭ କରିଥିବାରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା ହେବା ଆଗରୁ ମଙ୍ଗଳବାର ବିଜେପି ସଭାପତି ଅମିତ ଶାହା ଏନ୍‍ଡିଏର ନେତାମାନଙ୍କୁ ସାକ୍ଷାତ କରିବେ। ନୂଆଦିଲ୍ଲୀରେ ଏହି ବୈଠକ ବସିବ ଏବଂ ଏନ୍‍ଡିଏର ତୁଙ୍ଗ ନେତାମାନେ ନିର୍ବାଚନ ଫଳାଫଳ ପରେ ରଣକୌଶଳ ବିଷୟ ସ୍ଥିର କରିବେ। ଶାହା ସେମାନଙ୍କ ପାଇଁ ଏକ ନୈଶ ଭୋଜିସଭାର ମଧ୍ୟ ଆୟୋଜନ କରିଛନ୍ତି। ବିଜେପି ନେତୃତ୍ୱରେ ଏନ୍‍ଡିଏ ସରକାର ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ହେବ ବୋଲି ଏକ୍‍ଜିଟ ପୋଲ୍‍ଗୁଡ଼ିକରେ ଅନୁମାନ କରାଯାଇଥିବା ଦୃଷ୍ଟିରୁ ଶାହା ଏହି ବୈଠକ ଡକାଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମବିଳାସ ପାଶ୍‍ୱାନ୍‍ ଉପସ୍ଥିତ ରହିବେ । ପୂର୍ବରୁ ବିଜେପି ନେତାମାନଙ୍କର ମଧ୍ୟ ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ବସିବ ବୋଲି ଜଣାପଡ଼ିଛି। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ମେଣ୍ଟର ନେତାମାନେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ କୌଣସି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ ନ କରିବା କ୍ଷେତ୍ରରେ ଅଣ ବିଜେପି ଦଳ ଓ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ନେଇ କେନ୍ଦ୍ରରେ ନୂଆ ସରକାର ଗଠନ କରିବା ବିଷୟରେ ବିରୋଧୀ ଦଳର ନେତାମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଟିଡିପି ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି, ଏନ୍‍ସିପି ମୁଖ୍ୟ ଶରଦ୍‍ ପାୱାର୍‍ଙ୍କ ସମେତ ବିରୋଧୀ ଦଳର ତୁଙ୍ଗ ନେତାମାନଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା ଚଳାଇଛନ୍ତି। କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ ପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ଶ୍ରୀ ନାଇଡୁ ବିଭିନ୍ନ ରଜାନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବିଏସ୍‍ପି ସଭାପତି ମାୟାବତୀଙ୍କୁ ଭେଟିବାପାଇଁ ଲକ୍ଷ୍ନୌ ଯିବା ପୂର୍ବରୁ, ଶ୍ରୀ ନାଇଡୁ ରାହୁଲ୍‍ ଗାନ୍ଧି ଓ ଶରଦ୍‍ ପାୱାର୍‍ଙ୍କୁ ସାକ୍ଷାତ କରିଛନ୍ତି । ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ୍‍ ଯାଦବ ଏବଂ ସିପିଆଇର ନେତାମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି । ପୂର୍ବରୁ ଶ୍ରୀ ନାଇଡୁ ଟିଏମ୍‍ସି ମୁଖ୍ୟ ମମତା ବାନାର୍ଜୀ, ଆପ୍‍ ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ୍‍ ଏବଂ ସିପିଆଇଏମ୍‍ର ସାଧାରଣ ସମ୍ପାଦକ ସୀତାରାମ୍‍ ୟେଚୁରୀଙ୍କ ସହ ଆଲୋଚନା କରିଛନ୍ତି।

Comments are closed.