ବରଫ ଚାଦରରେ ଘୋଡେଇ ହୋଇଛି ଉତ୍ତର ଭାରତର ପର୍ବତମାଳା

ଶ୍ରୀନଗର: ଶୀତଋତୁର ପ୍ରବେଶ ସହିତ ସମୁଦାୟ ଉତ୍ତର ଭାରତର ପାର୍ବତ୍ୟାଞ୍ଚଳ ବରଫର ଶୁଭ୍ର ଚାଦରରେ ଘୋଡେଇ ହୋଇଛି । ଉତ୍ତରାଖଣ୍ଡର କେଦାରନାଥ ଠାରୁ ନେଇ ଜମ୍ମୁ କାଶ୍ମୀରର ଗୁଲମାର୍ଗ ଏବଂ ହିମାଚଳ ପ୍ରଦେଶର ନାରକଣ୍ଡା ପର୍ଯ୍ୟନ୍ତ ସବୁସ୍ଥାନରେ ସୋମବାର ସାନି ବରଫପାତ ହୋଇଛି । ଏହାଦ୍ୱାରା ଉକ୍ତ ଅଞ୍ଚଳରେ ତାପପାତ୍ରା ପୁନଃ ହ୍ରାସପାଇବା ସହିତ ଜନସାଧାରଣ ଚଳିତ ଶୀତ ଋତୁରେ ହିମଶୀତଳ ପବନର ପ୍ରଥମ ସ୍ପର୍ଶ ପାଇଛନ୍ତି । ଆଜି ମଧ୍ୟ ଏହିସବୁ ଅଞ୍ଚଳରେ ବରଫପାତ ହେବାନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍କାଏମେଟୱେଦର ସଂସ୍ଥାର ଅନୁମାନ ଅନୁଯାୟୀ ଉତ୍ତର-ପଶ୍ଚିମା ପବନ ଉତ୍ତର ଭାରତର ପର୍ବତାଞ୍ଚଳରୁ ପ୍ରବାହିତ ହେଉଥିବାରୁ ପଞ୍ଜାବ, ହରିଆଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ତାପମାତ୍ରା ଆଗାମୀ ଦିନରେ ଆହୁରି ହ୍ରାସ ପାଇବ ।
ନାରକଣ୍ଡା, ଚାମୋଲି, ଗୁଲମାର୍ଗ ଏବଂ କେଦାରନାଥ ଆଦି ସ୍ଥାନରେ ସାନି ବରଫପାତ ଯୋଗୁଁ ଏହିସବୁ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି । କେଦାରନାଥ ମନ୍ଦିର ସଂଲଗ୍ନ ସମୁଦାୟ ଅଞ୍ଚଳ ଶୁଭ୍ର ବରଫ ଚାଦରରେ ଘୋଡେଇ ହୋଇଯାଇଛି । ଏହି ସ୍ଥାନରେ ତାପମାତ୍ରା ବିଯୁକ୍ତ ୨ ଡିଗ୍ରୀକୁ ଖସିଆସିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ମନ୍ଦିରକୁ ପୂର୍ବରୁ ଭକ୍ତଗଣଙ୍କ ଦର୍ଶନ ନିମନ୍ତେ ବନ୍ଦ କରିଦିଆଯାଇଛି । ସେହିଭଳି ଗତ ସୋମବାର ଦିନ ଗୁଲମାର୍ଗରେ ଭୀଷଣ ବରଫପାତ ପରେ ସମୁଦାୟ ଉପତ୍ୟକା ବରଫ ଆଚ୍ଛାଦିତ ହୋଇଯାଇଛି । ରାସ୍ତାଗୁଡିକ ଯାନବାହନ ଚଳାଚଳ ନିମନ୍ତେ ସଫା କରାଯାଉଥିବାରୁ ରାସ୍ତାକୁ ବାଦଦେଇ ଅନ୍ୟ ସର୍ବତ୍ର କେବଳ ଶ୍ୱେତ ଧବଳ ଦୃଶ୍ୟମାନ ହେଉଛି । ଶୀତ ଋତୁରେ ଆଇସ ସ୍କେଟିଂ ଭଳି ଖେଳରୁ ମଜା ଉଠାଇବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଗୁଲମାର୍ଗରେ ପହଞ୍ଚିବା ଆରମ୍ଭ କରିଛନ୍ତି । ତେବେ କୋଭିଡ-୧୯ ମହାମାରୀ ଭୟ ସହିତ ଏ ସମ୍ପର୍କିତ କଟକଣା କାରଣରୁ ପର୍ଯ୍ୟଟକ ସଂଖ୍ୟା ପୂର୍ବ ବର୍ଷଗୁଡିକ ତୁଳନାରେ ଯଥେଷ୍ଟ କମ ରହିଛି । ଅନୁରୂପ ଭାବରେ ନାରକଣ୍ଡା, ଶିମଳା ଆଦି ସ୍ଥାନରେ ମଧ୍ୟ ଭୀଷଣ ବରଫାତ ହୋଇଥିବା ଖବର ମିଳିଛି । ସମୁଦାୟ ଶିମଳା ସହର ବରଫ ଆଚ୍ଛାଦିତ ହୋଇଯାଇଛି ।

Comments are closed.