ତିନିଦିନ ଲଗାଣ ବର୍ଷା

୨୪ଘଣ୍ଟାରେ ଲଘୁଚାପ

ଭୁବନେଶ୍ବର  : ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପରବର୍ତ୍ତୀ ୪୮ଘଣ୍ଟାରେ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ୩୦ଜୁନ ଏବଂ ଜୁଲାଇ ୨ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି।
ରବିବାର ପାଇଁ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କନ୍ଧମାଳ ଓ ମାଲକାନଗିରି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଏଚ.ଆର.ବିଶ୍ବାସ ପରାମର୍ଶ ଦେଇଛନ୍ତି।
ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସବୁ ଜିଲାର ଜିଲାପାଳ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।
ଏସଆରସି ଏଥିନେଇ ସବୁ ଜିଲାକୁ ଏକ ସ୍ବତନ୍ତ୍ର ବାର୍ତ୍ତା ଜାରି କରିଛନ୍ତି। ବି​‌େ​‌ଶଷ କରି କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ମୟୂରଭଞ୍ଜ, ମାଳକାନଗିରି ଓ ବା​‌େ​‌ଲଶ୍ବର ଆଦି ୮ଟି ଜିଲା ସମେତ ସମସ୍ତ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିପାଇଁ ସଜାଗ ରହିବା ସହିତ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଏସଆରସି ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ୧୧ଟି ଜିଲାରେ ବର୍ଷା ହୋଇଛି। କୋରାପୁଟରେ ସର୍ବାଧିକ ୫୧ , ମାଲକାନଗିରି, ବାଲେଶ୍ବର ଓ ବାରିପଦାରେ ୧୬ ମିମି ବର୍ଷା ହୋଇଛି। ଆସନ୍ତାକାଲି ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ାରେ ପ୍ରବଳ ଏବଂ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କନ୍ଧମାଳ ଓ ମାଲକାନଗିରି ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ। ଜୁଲାଇ ୧ରେ କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧରେ ଅତି ପ୍ରବଳ ବର୍ଷା ସହିତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, କଟକ, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ୨ରେ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଲଘୁଚାପ ସମ୍ଭାବନା ଥିବାରୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ରୁ ୫୦କିମି ବେଗରେ ପବନ ବହିପାରେ। ଏହାର ପ୍ରଭାବରେ ଆସନ୍ତା ତିନିଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

Comments are closed.