ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁମ୍ବଇ: ମୁମ୍ବଇରେ ଲାଗି ରହିଥିବା ଭୀଷଣ ବର୍ଷା ପ୍ରଭାବରେ ମହାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳପ୍ଳାବନ ଜନିତ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁ ରେଳଲାଇନ ଉପରେ ପାଣି ଜମିରହିଥିବାରୁ ମୁମ୍ବଇ ମହାନଗରୀ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ସୋମବାର ସକାଳେ ଭୀଷଣ ବର୍ଷା ହେବା ଦ୍ୱାରା କେନ୍ଦ୍ରୀୟ ମୁଖ୍ୟ ଲାଇନ ଏବଂ ହାର୍ବର ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହିତ ସମୁଦାୟ ମହାନଗରରେ ଯାନବାହନ ଓ ଜନସାଧାରଣଙ୍କ ଚଳାଚଳରେ ମଧ୍ୟ ଗୁରୁତର ସମସ୍ୟା ପରିଲକ୍ଷିତ ହୋଇଛି । ଅନେକ ଅଞ୍ଚଳ ଜଳ ଘେରରେ ରହିଥିବାବେଳେ ମହାନଗରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧିପାଇଛି । ଏଭଳି ଦୁଃଖଦ ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ସେ ପ୍ରତି ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ବର୍ଷା ଏବଂ ଘର ଭୁଷୁଡିବା ଭଳି ଘଟଣାୋର ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମଧ୍ୟ ଉଦ୍ଧବ ଘୋଷଣା କରିଛନ୍ତି ।

ମହାନଗରର ଚେମ୍ବୁର ଏବଂ ଅନ୍ୟ କେତେକ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ଢାଲୁ ଅଞ୍ଚଳରେ ବାସ କରୁଛନ୍ତି ଏବଂ ସେମାନେ ପ୍ରତିଥର ମାତ୍ରାଧିକ ବର୍ଷା ସମୟରେ ଏହିଭଳି ସମସ୍ୟାର ସମ୍ମୁଖୀନ ହେବେ ବୋଲି କହି ଶିବ ସେନା ମୁମ୍ବଇ ମହାନଗର ନିଗମକୁ ଏଭଳି ଘଟଣା ପାଇଁ ଦାୟୀ କରିବାରୁ ବିରତ ରହିଛି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବଇ ଓ ଏହାର ସହରତଳି ଅଞ୍ଚଳରେ ଭୀଷଣ ବର୍ଷାର ଅନୁମାନ କରାଯାଇଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ବର୍ଷା ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ କହିବା ସହିତ ମୁମ୍ବଇ ଓ କୋଙ୍କଣ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ।

ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ଷାଜନିତ ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ସରକାରୀ ସଂସ୍ଥା ସହିତ ଏକ ସମୀକ୍ଷା ବୈଠକରେ ମିଳିତ ହୋଇଥିଲେ । ସମସ୍ତ ସଂସ୍ଥା ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେବା ସହିତ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ଜରାଜୀର୍ଣ୍ଣ କୋଠାଘରଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ କହିଛନ୍ତି । ବର୍ଷା ଯୋଗୁ ମୁମ୍ବଇ ମହାନଗରରେ ଜଳ ଯୋଗାଣ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । ମହାନଗର ନିଗମର ଭାନ୍ଦୁପ ଜଳ ବିଶୋଧନ ସ୍ଥଳରେ ବର୍ଷା ଜଳ ଜମି ରହିଥିବାରୁ ସମସ୍ତ ପାଣି ପମ୍ପକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବନ୍ଦ ରଖାଯାଇଥିବା ଜଣେ ପ୍ରବକ୍ତା କହିଛନ୍ତି ।

Comments are closed.