ଆଜି ୫ ଜିଲାରେ ପ୍ରବଳ ବର୍ଷିବ

୪ ଦିନ ଯାଏ ପ୍ରବଳ ବର୍ଷା

ସୁନ୍ଦରଗଡ଼ରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ ବର୍ଷିଛି

ଭୁବନେଶ୍ବର : ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଉତ୍ତର ପୂର୍ବ ବଙ୍ଗୋପ ସାଗର ଯାଏଁ ସମୁଦ୍ର-ପତ୍ତନରେ ଲମ୍ବିଥିବା ନିମ୍ନ ଚାପରେଖା(ଟ୍ରପ୍‌-ଲାଇନ)ର ପ୍ରଭାବ ଏବଂ ଦକ୍ଷିଣ ବାଂଲାଦେଶ ତଥା ତା’ର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନରୁ ୨.୧ରୁ ୭.୬କିମି ଯାଏଁ ବ୍ୟାପିଥିବା ଘୂର୍ଣ୍ଣିବଳୟ ପ୍ରଭାବ ସହ ମୌସୁମି ଜନିତ ବର୍ଷା ମଙ୍ଗଳବାର ରାଜ୍ୟର ଉପକୂଳ ଜିଲାଗୁଡିକରେ ବର୍ଷା ହୋଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି।
୧ ଜୁନରୁ ୨୨ ଜୁନ ସୁଦ୍ଧା ଓଡ଼ିଶାରେ ୧୩୯.୫ ମିଲିମିଟର (ମି.ମି) ବୃଷ୍ଟିପାତ ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୧୩୭.୦ ମି.ମିରୁ ୨ ପ୍ରତିଶତ ଅଧିକ ରହିଛି। ଏହି ସମୟ ପରିଧି ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର ପରି ୮ ଜିଲାରେ ନିଅଣ୍ଟିଆ ବର୍ଷା ହେଇଛି। ଯାହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯ ପ୍ରତିଶତ ଯାଏଁ କମ୍‌। ସୁନ୍ଦରଗଡ଼ ଏବଂ କୋରାପୁଟ ୨ ଜିଲାରେ ସ୍ୱାଭାବିକରୁ ଅତ୍ୟଧିକ ଅର୍ଥାତ ୬୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ବର୍ଷା ହେଇଛି। ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରିରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅବଶିଷ୍ଟ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ୨୨ ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୧.୫ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫.୭ ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ଭୁବନେଶ୍ବରରେ ସର୍ବାଧିକ ବର୍ଷା ୪୧.୧ ମିମି ହୋଇଥିବା ବେଳେ ପାରାଦ୍ବୀପ, କଟକ, ବାଲେଶ୍ବର, ପୁରୀ, କେନ୍ଦୁଝର ଏବଂ ନୟାଗଡରେ ବର୍ଷା ହୋଇଛି।

Comments are closed.