ଆଜିଠୁ ପ୍ରବଳ ବର୍ଷିବ

୧୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଭୁବନେଶ୍ବର : ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତାକାଲି(ଶନିବାର) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୭ରୁ ତିନିଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଝଡବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତଥାପି
ଆଜି ମୌସୁମୀ ପ୍ରଭାବରେ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୧୦ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ବିଶେଷ କରି ୭ରୁ ୯ତାରିଖ ଯାଏଁ କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।
ଗତକାଲିର ଘୂର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଆନ୍ଧ୍ର ଉପକୂଳରେ ସକ୍ରିୟ ଥିବାବେଳେ ଏହି ଅଞ୍ଚଳରେ ସମୁଦ୍ର ପତ୍ତନରୁ ଵାୟୁମଣ୍ଡଳର ୪.୫ କିମି ଉଚ୍ଚତା ଯାଏଁ ନିଜର କାୟା ବିସ୍ତାର କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବରଗଡ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସମୁଦ୍ର ମଧ୍ୟରେ ଝଡ଼ବର୍ଷା ସହ ପବନର ଘଣ୍ଟା ପ୍ରତିବେଗ ୪୫ରୁ ୫୫ ରହିପାରେ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୪୪ ମିମି ବର୍ଷା ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଦାରିଙ୍ଗବାଡି, ପୁରୀ, ଭୁବନେଶ୍ବର, କଟକ, ନୟାଗଡ, ପାରଳାଖେମୁଣ୍ଡି ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ଉପରବେଳା ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ସମୁଦ୍ରରେ ଲଘୁଚାପ ଦୁଇଦିନ ରହି ୯ ତାରିଖ ବେଳକୁ ଛତିଶଗଡ ମୁହଁାଇବ। ୭ରେ ଦକ୍ଷିଣ ଓଡ଼ିଶା, ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣରେ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ୧୪୦ରୁ ୧୬୦ ମିମି ବର୍ଷା ହୋଇପାରେ। ୧୩ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ଭଲ ବର୍ଷା ହେବ।

Comments are closed.