୨୪ଘଣ୍ଟା ପ୍ରବଳ ବର୍ଷା; ୨୮ରେ ଆଉ ଏକ ଲଘୁଚାପ

୭ ଜିଲାକୁ ୟେଲୋ, ୧୩ ଜିଲାକୁ ଅରେଞ୍ଜ ୱାର୍ନିଂ

ଭୁବନେଶ୍ୱର  : ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାଛଡ଼ା ଆସନ୍ତା ୨୮ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏହି ସମୟରେ ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ପରବର୍ତ୍ତୀ ୨୪ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ପୁରୀ ଆଦି ୯ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ୨୬ତାରିଖରେ ବର୍ଷା ସାମାନ୍ୟ କମିଯିବାର ସମ୍ଭାବନା ଥିବାବେଳେ ୨୭ରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତେବେ ୨୮ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପ୍ରକୋପ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ବୁଲେଟିନରେ କୁହାଯାଇଛି।

ଏହି ସମୟରେ ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହାଛଡ଼ା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ମଧ୍ୟ ‌ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ ଏବଂ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୪୦ ରୁ ୫୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

Comments are closed.