୪୮ଘଣ୍ଟା ପ୍ରବଳ ଝଡ଼ବର୍ଷା, ବଜ୍ରପାତ

ଲଘୁଚାପ ପ୍ରଭାବରେ ୩୦ରୁ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର : ଆସନ୍ତା ସପ୍ତାହେ ଧରି ରାଜ୍ୟରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏବେ କାଳବୈଶାଖୀ ପ୍ରଭାବରେ ରାଜ୍ୟବ୍ୟାପୀ ଝଡ଼ବର୍ଷା ଲାଗିରହିଛି। କାଳବୈଶାଖୀର ପ୍ରଭାବ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବାବେଳେ ଆସନ୍ତା ୩୦ରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଓ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ମିଅଁାମାର- ଦକ୍ଷିଣ-ପୂର୍ବ ବାଂଲାଦେଶ ଉପକୂଳ ଅଭିମୁଖେ ମୁହଁାଇବ। ୩ରୁ ୪ ଦିନ ଏହାର ପ୍ରଭାବରେ ପ୍ରାୟ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାର ଆଶଙ୍କା ରହିଛି। ଘୂର୍ଣ୍ଣିଝଡ଼ ଏବଂ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ଏ ସମୟରେ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏବେ ଛତିଶଗଡ଼ ଉପରେ ଘୂର୍ଣ୍ଣିବଳୟ ରହିଛି। ମେଘାଳୟରୁ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ଉପର ଦେଇ ଟ୍ରଫଲାଇନ ଲମ୍ବିଛି। ଏସବୁର ପ୍ରଭାବରେ କାଳବୈଶାଖୀ ଲାଗିରହିବା ସହିତ ଦୁଇ ଦିନ ଧରି ଝଡ଼ବର୍ଷା ଓ ବଜ୍ରପାତ ଘଟୁଥିବା ଲକ୍ଷ୍ୟ କରାଯାଇଛି। ଏହାର ପ୍ରଭାବ ଆହୁରି ୪୮ଘଣ୍ଟା ଅନୁଭୂତ ହେବ । ଏହି ସମୟରେ ପ୍ରବଳ ଝଡ଼, ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ବିଶେଷକରି ଆସନ୍ତାକାଲି ୧୭ଟି ଜିଲା ଓ ୨୭ରେ ୧୪ଟି ଜିଲାରେ ପ୍ରବଳ ଝଡ଼, କୁଆପଥର ବୃଷ୍ଟି ଓ ଘଡ଼ଘଡ଼ି ସହିତ ବର୍ଷା ହେବ। ଏଥିପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରାଯାଇଛି।
ଆସନ୍ତାକାଲି ସୋନପୁର, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ୁଝରରେ ୫୦ରୁ ୬୦କିମି ବେଗରେ ପବନ ବହିବ। ଘଡ଼ଘଡ଼ି ସହିତ ବର୍ଷା ହେବ। ସୋନପୁର, ଅନୁଗୋଳ, ଢ଼େଙ୍କାନାଳ, ବୌଦ୍ଧ ଓ ବଲାଙ୍ଗୀରରେ କୁଆପଥର ବର୍ଷା ହେବ ଏବଂ ବଜ୍ରପାତର ଆଶଙ୍କା ରହିଛି। ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ। ଅନ୍ୟାନ୍ୟ ଅଞ୍ଚଳରେ ୩୦ରୁ ୪୦କିମି ବେଗରେ ପବନ ବହିବ। ଉପରୋକ୍ତ ଜିଲାଗୁଡ଼ିକୁ ଏଥିପାଇଁ ସତର୍କ ରହିବା ନିମନ୍ତେ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।
ଆସନ୍ତା ୨୭ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ୪୦ରୁ ୫୦କିମି ବେଗରେ ପବନ ବହିବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେସବୁ ଜିଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଏହାଛଡ଼ା ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହେବ। ୨୮ରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ଆଶଙ୍କା ରହିଛି।
ଆସନ୍ତା ୪୮ଘଣ୍ଟା ମଧ୍ୟରେ ‌ଦିନର ତାପମାତ୍ରା ସ୍ବାଭାବିକଠାରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାିବ। ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ୫୦ରୁ ୬୦କିମି ଗେରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ଏହି ସମୟରେ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀ​‌େ​‌ର ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ସୋନପୁରରେ ୯୨ମିମି ବର୍ଷା ହୋଇଥିବାବେଳେ ବୌଦ୍ଧରେ ୮୬ମିମି, ବାଲେଶ୍ବରରେ ୭୩, ଭୁବନେଶ୍ବର ଓ ଅନୁଗୋଳରେ ୬୪ମିମି ଲେଖାଏଁ ବର୍ଷା ହୋଇଛି। ଚାନ୍ଦବାଲି, କଟକ, ପାରାଦ୍ବୀପ, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ତାଳଚେର, ନୟାଗଡ଼, ହୀରାକୁଦରେ ମଧ୍ୟମ ଧରଣର ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି ା ଏପରିକି ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୦ଡ଼ିଗ୍ରୀ ତଳକୁ ଖସିଯାଇଛି।

Comments are closed.