ବାସହୀନ କଲା ବର୍ଷା!

ସାରନଗରୀ : ଗତ କିଛି ଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ଗରିବ ଗୁରୁବାଙ୍କ ଦୁଃଖକୁ ବଢାଇ ଦେଇଛି । ଗୋଟିଏ ପଟେ କରୋନା ସଂକ୍ରମଣର ହାର ଦିନକୁ ଦିନ ବଢି ଚାଲିଥିବାବେଳେ, ଅପରପକ୍ଷରେ ଲଗାଣ ବର୍ଷା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବଇରୀ ସାଜିଛି । ବର୍ଷା ଯୋଗୁ ବାସହୀନ ହୋଇ ପଡ଼ିଛନ୍ତି  ଦକ୍ଷିଣ ରାଉରକେଲା ଅଂଚଳର ଜଣେ ଦିନ ମଜୁରିଆ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ମଦନଟୋଲି ତଳବସ୍ତିରେ ରୁହନ୍ତି କିସଟପନ ଲୁଗୁନ। ପରିବାର କହିଲେ ସ୍ତ୍ରୀ ସମ୍ବରୀ ଲୁଗୁନ, ପୁଅ ସାହିଲ ଲୁଗୁନ, ଝିଅ ତ୍ରିଶଲା ଲୁଗୁନ ଓ ବୃଦ୍ଧ ମା’ଙ୍କୁ ନେଇ ତାଙ୍କ ପରିବାର ଚଳାନ୍ତି । କାରଖାନାରେ ହେଲପର ଭାବେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରିଥାନ୍ତି କିସପଟନ। ଗତ ମଙ୍ଗଳବାର ବର୍ଷାରେ ଦିନ ସମୟରେ ତାଙ୍କ ଘରର କାନ୍ଥ ଧସି ଯାଇଥିବାରୁ, ଘରଟି ଭାଙ୍ଗି ଯାଇଛି। ସୌଭାଗ୍ୟଶତଃ ଘରେ କେହି ନଥିବାରୁ  ଏକ ଦୁର୍ଘଟଣାରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି। ଏ ସମ୍ପର୍କରେ କିସପଟନ ସ୍ଥାନୀୟ ୱାର୍ଡମେମ୍ବରଙ୍କୁ ଜଣାଇଥିବାବେଳେ, ସେ କିଛି ସରକାରୀ ସହାୟତା ଏ ବାବଦରେ ପାଇବାକୁ ଅନାଇ ରହିଛନ୍ତି । ସ୍ଥାନୀୟ ଅଂଚଳର ସାମାଜିକ କର୍ମୀ ଦୁର୍ଗା ତନ୍ତୀ, ଡାକ୍ତର ଅଭିଜିତ ପାଉଲ, କମଲେଶ ସାହା, ରାମଦୀପ, ଗୋପାଳ ଘଡେଇ କିସପଟନଙ୍କୁ ସାକ୍ଷାତ କରି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଆଗକୁ ଆଉ ଏକ ଲଘୁଚାପଜନିତ ବର୍ଷା ହେବାର ଆଶଙ୍କା ଦେଖାଦେଇ ଥିବାରୁ ଏହାକୁ ନେଇ ବିଭିନ୍ନ ବସ୍ତି ଅଂଚଳରେ ଥିବା ବସ୍ତିବାସିନ୍ଦାମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସାଧାରଣତଃ ବସ୍ତି ଅଂଚଳର ଘରଗୁଡ଼ିକ ମାଟିରେ ତିଆରି ହେବା କାରଣରୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।

Comments are closed.