ୟୁପିରେ ସିଏଏ ହିଂସା : ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ, ଶାନ୍ତି ବଜାୟ ରଖିବାପାଇଁ ରାଜ୍ୟପାଳଙ୍କ ନିବେଦନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍‍ ମୁତୟନ କରାଯିବା ସହିତ ସମଗ୍ର ରାଜ୍ୟରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଓ.ପି. ସିଂହ କହିଛନ୍ତି, କୌଣସି ନିରୀହ ଲୋକକୁ ନିର୍ଯାତନା ଦିଆଯିବ ନାହିଁ ଏବଂ ଦୋଷୀମାନଙ୍କୁ ବରଦାସ୍ତ କରାଯିବ ନାହିଁ । ସେ କହିଛନ୍ତି, ପୁଲିସ୍‍ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାରେ ଲାଗିଛି ଏବଂ ସେମାନଙ୍କୁ ଯଥାର୍ଥଭାବେ ଦଣ୍ଡ ଦିଆଯିବ। କ୍ଷତିଗ୍ରସ୍ତ ସରକାରୀ ସମ୍ପତ୍ତିର ଭରଣା ଅଭିଯୁକ୍ତଙ୍କ ସମ୍ପତ୍ତିରୁ କରାଯିବ ବୋଲି ସେ କହିଛନ୍ତି।
ରାମପୁର ସମେତ ରାଜ୍ୟର ଅନେକ ସ୍ଥାନରେ ଶନିବାର ମଧ୍ୟ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି। କାନପୁରରେ ଶନିବାର ଅପରାହ୍ଣରେ ଗୋଟିଏ ପୁଲିସ୍‍ ଫାଣ୍ଡିକୁ ପୋଡ଼ି ଦିଆଯାଇଛି ।

ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜ୍ୟର ଅନେକ ଜିଲ୍ଲାରେ ଦେଖାଦେଇଥିବା ହିଂସାତ୍ମକ ପ୍ରତିବାଦ ପୃଷ୍ଠଭୂମିରେ ରାଜ୍ୟପାଳ ଆନନ୍ଦିବେନ୍‍ ପଟେଲ୍‍ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟପାଳ କହିଛନ୍ତି, ସରକାରୀ ସମ୍ପତ୍ତିର କ୍ଷତି, ଗଣ୍ଡଗୋଳ ଓ ପୋଡ଼ାଜଳା ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଛି । ଶ୍ରୀମତୀ ପଟେଲ୍‍ କହିଛନ୍ତି, ନାଗରିକତା ସଂଶୋଧନ ଆଇନରେ କୌଣସି ଜନସାଧାରଣଙ୍କ ସ୍ୱାର୍ଥହାନୀ କରିବା ଭଳି କିଛି ବି ବ୍ୟବସ୍ଥା ନାହିଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Comments are closed.